ନୂଆଦିଲ୍ଲୀ: ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍‌ । ବିହାରର ରାଜଗିରରେ ରାଜ୍‌ କରିଛି ମହିଳା ହକି ଦଳ । ଫାଇନାଲ୍‌ରେ ଚୀନ୍‌କୁ ହରାଇ ଲଗାତାର ଦ୍ବିତୀୟ ଥର ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହାତେଇଛି ଟିମ୍‌ । ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍‌ରେ ପରାସ୍ତ ନହୋଇ ଚାମ୍ପିୟନ୍‌ ହୋଇଥିବା ମହିଳା ହକି ଟିମକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଆଜି ଫାଇନାଲରେ ଭାରତୀୟ ମହିଳା ଦଳ ଚୀନକୁ ୧-୦ରେ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ୨୦୨୩ରେ ଦଳ ଜାପାନକୁ ୪-୦ ଗୋଲରେ ହରାଇ ରାଞ୍ଚିରେ ଟ୍ରଫି ଜିତିଥିଲା । ଏଥର ବିହାରରେ ଚୀନ୍‌ ଉପରେ ବଡ଼ ବିଜୟ ପାଇଛି ଭାରତୀୟ ଟିମ୍‌ ।

ଫାଇନାଲରେ ଭାରତ ପକ୍ଷରୁ ଏକମାତ୍ର ଗୋଲ ଦୀପିକା ସ୍କୋର କରିଛନ୍ତି । ୩୧ ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ନବନୀତ କୌର ଠିକ ଭାବେ ହିଟ କରିପାରି ନଥିଲେ । ଏହା ତାଙ୍କ ଷ୍ଟିକରେ ବାଜି ଦୀପିକାଙ୍କ ପାଖକୁ ଚାଲି ଯାଇଥିଲା । ଦୀପିକା କୌଣସି ତ୍ରୁଟି ନକରି ଏହାକୁ ଗୋଲରେ ପରିଣତ କରିଥିଲେ । ଏହି ଗୋଲରେ ହିଁ ଭାରତ ବିଜୟୀ ହୋଇଛି । ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ଦୀପିକାଙ୍କୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା । କିନ୍ତୁ ସେ ଏହାକୁ ଗୋଲରେ ପରିଣତ କରିପାରି ନଥିଲେ । ଭାରତ ଶେଷରେ ୧-୦ରେ ମ୍ୟାଚ ଜିତି ଚାମ୍ପିୟନ ହୋଇଛି । 

ଭାରତ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିବା ସହ ଟ୍ରଫି କବଜା କରିଛି । ସେମି ଫାଇନାଲରେ ଦଳ ଜାପାନକୁ ୨-୦ରେ ହରାଇଥିଲା । ୨୦୧୦ରୁ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେଉଛି । ଭାରତ ପ୍ରଥମଥର ପାଇଁ ୨୦୧୬ରେ ଟ୍ରଫି ଜିତିଥିଲା। ୨୦୧୮ରେ ଦକ୍ଷିଣ କୋରିଆ ଠାରୁ ୦-୧ରେ ପରାସ୍ତ ହୋଇଥିଲା ଭାରତୀୟ ମହିଳା ହକି ଟିମ୍‌ । ହେଲେ ୨୦୨୩ ଓ ୨୦୨୪ରେ ଭାରତୀୟ ମହିଳା ଦଳ ଚାମ୍ପିୟନ ହୋଇଛି ।

ସେପଟେ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦଳର ଅଧିନାୟକ ହୋଇଥିବା ସଲୀମା ଟେଟେ ବଡ଼ ସଫଳତା ମିଳିଛି । ପ୍ରଥମ ଟୁର୍ଣ୍ଣାମେଣ୍ଟରେ ସେ ଟିମ୍‌କୁ ଚାମ୍ପୟନ କରାଇଛନ୍ତି । ଫାଇନାଲ୍‌ ମ୍ୟାଚ୍‌ରେ ଚୀନ୍‌ରେ ଶେଷ ଯାଏଁ ଗୋଲଟିଏ କରିବାକୁ ସଂଘର୍ଷ କରିଥିଲା । ସବୁ ପ୍ରକାର ଚେଷ୍ଟା କରିଥିଲେ ବି ଚୀନକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ତେବେ ତୃତୀୟ ଥର ଲାଗି ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍‌ରେ ପ୍ରବେଶ କରିଥିବା ଚୀନ୍‌ ନିରାଶ ହୋଇଛି । 




ଭାରତୀୟ ମହିଳା ହକି ଦଳର ଐତିହାସକି ବିଜୟ ପରେ ପ୍ରଶଂସାର ସୁଅ ଛୁଟିଛି । ୨୦୩୬ ପର୍ଯ୍ୟନ୍ତ ଉଭୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ଥିବା ଓଡ଼ିଶା ପାଇଁ ଏହା ଏକ ଗୌରବର ମୂହୂର୍ତ୍ତୂ । ଏ ସଫଳତା ଲାଗି ମହିଳା ହକି ଟିମ୍‌କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି ।  କ୍ରୀଡାରେ ଭାରତୀୟ ମହିଳାଙ୍କ ଭୂମିକା ଏକ ନୂଆ ଶୀଖର ଛୁଇଁଛି ବୋଲି ଏକ୍ସରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ମହିଳା ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ।