ନୂଆଦିଲ୍ଲୀ,୧୮/୦୫: ଭାରତ ଏବଂ ନେଦରଲାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କକୁ ଆଉପାଦେ ଆଗକୁ ନେବାକୁ ଅଗ୍ରସର ହୋଇଛନ୍ତି । ନେଦରଲାଣ୍ଡ ଗସ୍ତ ଅବସରରେ ହେଗ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଡଚ୍ ପ୍ରତିପକ୍ଷ ରବ୍ ଜେଟେନ ବ୍ୟାପକ ଆଲୋଚନା କରିଛନ୍ତି । ଉଭୟ ନେତାଙ୍କ ଉପସ୍ଥିତିରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନି ଏଏସ୍ଏମ୍ଏଲ୍ ମଧ୍ୟରେ ରାଜିନାମା ସ୍ୱାକ୍ଷର ହୋଇଛି । ଗୁଜରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସର ଆଗାମୀ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ପ୍ରତିଷ୍ଠା ଓ ସମ୍ପ୍ରସାରଣରେ ଏଏସ୍ଏମ୍ଏଲ ସହଯୋଗ କରିବ । ଏହାଦ୍ୱାରା ଭାରତର ଏଆଇ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରକୁ ଲାଭ ମିଳିବ ବୋଲି ଆଶା କରାଯାଉଛି ।
ଦେଶର ସେମିକଣ୍ଡକ୍ଟର ଦୃଢ଼ୀକରଣ ଯାତ୍ରା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଛନ୍ତି ମୋଦି । ସେ କହିଛନ୍ତି, ୨୦୨୬ ଭାରତ-ୟୁରୋପ ଦ୍ୱିପାକ୍ଷିକ ସମ୍ପର୍କରେ ନୂଆ ସୁବର୍ଣ୍ଣ ଯୁଗ ଆରମ୍ଭ କରିଛି । ଚଳିତ ବର୍ଷ ଭାରତୟୁରୋପୀୟ ୟୁନିୟନ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବିଶ୍ୱର ୨ ବୃହତ ଗଣତନ୍ତ୍ର ମଧ୍ୟରେ ହୋଇଥିବା ଚୁକ୍ତି ଦ୍ୱାରା ମିଳିତ ଭାବେ ସମୃଦ୍ଧିର ମୂଳଭିତ୍ତି ସ୍ଥାପନ ହୋଇପାରିବ । ଡଚ୍ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ନବସୃଜନ ଏବଂ ମାନବସମ୍ବଳ ଭଳି ଗୁରୁତ୍ୱପୂର୍ଣ୍ଣ ଦିଗରେ ଫୋକସ କରାଯାଇଛି । ଅନ୍ୟପଟେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଟାଟା ଇଲେକଟ୍ରୋନିକ୍ସ ଏବଂ ଏଏସ୍ଏମ୍ଏଲ୍ ସହଭାଗିତାକୁ ଉଭୟ ନେତା ସ୍ୱାଗତ କରିଛନ୍ତି । ଏହା ଜରିଆରେ ଫ୍ରଣ୍ଟ ଏଣ୍ଡ୍ ସେମିକଣ୍ଡକ୍ଟର ଫ୍ୟାବ୍ ୟୁନିଟ ସ୍ଥାପନ ହେବ । ନେଦରଲାଣ୍ଡରେ ରହିଛି ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ସେମିକଣ୍ଡକ୍ଟର ଇକୋସିଷ୍ଟମ । ଡଚ୍ ବହୁ ରାଷ୍ଟ୍ରୀୟ କମ୍ପାନି ଏଏସ୍ଏମ୍ଏଲ୍ ଲିଥୋଗ୍ରାଫି ଯନ୍ତ୍ରାଂଶ ଯୋଗାଣ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ସେମିକଣ୍ଡକ୍ଟର ଚିପ୍ ନିର୍ମାଣ କ୍ଷେତ୍ରରେ ବହୁଳ ଭାବେ ବ୍ୟବହାର ହୋଇଥାଏ । ଆଗକୁ ଭାରତରେ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏଏସ୍ଏମ୍ଏଲ୍ର ଯନ୍ତ୍ରାଂଶ ବ୍ୟବହାର ହେବ । ଏହା କାର୍ଯ୍ୟାନ୍ୱୟନ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡଚ୍ ସିଇଓ ରାଉଣ୍ଡଟେବୁଲରେ କହିଛନ୍ତି ମୋଦି ।
ଗ୍ରୀନ ହାଇଡ୍ରୋଜେନ ଠାରୁ ଆରମ୍ଭ କରି ଟେକ୍ନୋଲୋଜି ଭଳି କ୍ଷେତ୍ର ଏହା ମଧ୍ୟରେ ସାମିଲ ରହିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁତାବକ, ପ୍ରତିରକ୍ଷା, ନିରାପତ୍ତା, ନବସୃଜନ, ଗ୍ରୀନ ହାଇଡ୍ରୋଜେନ, ସେମିକଣ୍ଡକ୍ଟର ଏବଂ ଜଳ ପରିଚାଳନା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି । ୟୁରୋପରେ ନେଦରଲାଣ୍ଡ ଭାରତର ଅନ୍ୟତମ ବାଣିଜ୍ୟ ସହଯୋଗୀ । ଉଭୟ ଦେଶ ମଧ୍ୟରେ ୨୦୨୪- ୨୫ରେ ୨୭.୮ ବିଲିୟନ ଡଲାରର ଦ୍ୱିପାକ୍ଷିକ କାରବାର ହୋଇଥିଲା । ଭାରତ ସେଠାରେ ୪ର୍ଥ ବୃହତ ନିବେଶକ । ଭାରତ ୫୫.୬ ବିଲିୟନ ଡଲାର ନିବେଶ କରିଛି । ସେହିଭଳି ନୂଆ ଟେକ୍ନୋଲୋଜି, ବିଜ୍ଞାନ ଏବଂ ଶିକ୍ଷା କ୍ଷେତ୍ରରେ ଉଭୟ ଦେଶ ମିଳିତ ହୋଇ କାମ କରିବେ । ଶିଳ୍ପ, ଗବେଷଣା ପ୍ରତିଷ୍ଠାନ ଏବଂ ସରକାରୀ ସ୍ତରରେ ମଧ୍ୟ ସହଭାଗିତାକୁ ଦୃଢ଼ କରାଯିବ । ଉଭୟ ଦେଶ ଏଆଇ, ଫୋଟୋନିକ୍ସ, କ୍ୱାଣ୍ଟମ ଟେକ୍ନୋଲୋଜି, ସାଇବର ସିକ୍ୟୁରିଟି ସହ ଟେକ୍ନୋଲୋଜି ଭାଲ୍ୟୁଚେନ ଦୃଢ଼ୀକରଣ ଦିଗରେ ମଧ୍ୟ ମିଳିତ ହୋଇ କାମ କରିବେ ।
ଏହା ବି ପଢନ୍ତୁ...Terrorist Mission: ଲସ୍କର ଆତଙ୍କୀର ବଦଳିଲା ମିଶନ: ଆକ୍ରମଣ ପାଇଁ ଆସିଥିଲା, କାଶ୍ମୀରରେ କେଶ ପ୍ରତିରୋପଣ କଲା
ଡଚ୍ ସେମିକନ କମ୍ପିଟେନ୍ସ ସେଣ୍ଟର, ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ମିଳିତ ଭାବେ ଷ୍ଟାର୍ଟଅପ୍ ଏବଂ ଏମ୍ଏସ୍ଏମ୍ଇ ଗୁଡ଼ିକର ବିକାଶ ଲାଗି ଟେକ୍ନୋଲୋଜି ଆଦାନପ୍ରଦାନ, ନଲେଜ ଶେୟାରିଂ, ଦକ୍ଷତା ବିକାଶ, ନବସୃଜନ ଉପରେ ଧ୍ୟାନ ରଖିବେ । ଏନ୍ଏକ୍ସପି ସେମିକଣ୍ଡକ୍ଟର, ଏଏସ୍ଏମ୍ଏଲ, ଟାଟା ଇଲେକଟ୍ରୋନିକ୍ସ ଏବଂ ସିଜି ସେମି ସହଭାଗିତାରେ ନେଦରଲାଣ୍ଡର ୨ ବିଶ୍ୱବିଦ୍ୟାଳୟ ଭାରତର ୬ ପ୍ରମୁଖ ଆଇଆଇଟି ସହ ବ୍ରେନ ବ୍ରିଜ ଗ୍ୟାପ୍ ସେମିକଣ୍ଡକ୍ଟର ସେଣ୍ଟର ସ୍ଥାପନ କରିବେ । ଏହାବାଦ ଏନର୍ଜି ମ୍ୟାଟେରିଆଲ, ବାୟୋମଲେକ୍ୟୁଲାର ସେଲ୍ ଟେକ୍ନୋଲୋଜି, ଏଆଇ ଏବଂ ସାଇବର ନିରାପତ୍ତା କ୍ଷେତ୍ରରେ ଜଏଣ୍ଟ ୱାର୍କିଂ ଗ୍ରୁପ ଜରିଆରେ କାର୍ଯ୍ୟ କରିବେ । ଏହାବାଦ ଷ୍ଟେମ ଭିତ୍ତିକ ଏକାଡେମିକ ଏକ୍ସଚେଞ୍ଜ, ମହାକାଶ, ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ସୁରକ୍ଷା ଏବଂ ବାୟୁ ଗୁଣବତ୍ତା କ୍ଷେତ୍ରରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।