ନୂଆଦିଲ୍ଲୀ,୨୬/୦୭: କଥାରେ କୁହନ୍ତି ସମୟ ବଡ଼ ବଳବାନ । କ୍ରୀଡା ଜଗତରେ ବି ଏହାର ପ୍ରଭାବ ଦେଖିବାକୁ ମିଳେ । ଆଜି ସଫଳ ହେଲେ କାଲି ବିଫଳ । ଭାରତୀୟ ପୁରୁଷ ଟି-ଟ୍ୱେଣ୍ଟି ଟିମ୍ ସହ କିଛି ସେହିପରି ହୋଇଥିଲା । ଆୟର୍ଲାଣ୍ଡ ପରେ ଇଂଲଣ୍ଡଠାରୁ ଟି-ଟ୍ୱେଣ୍ଟି ସିରିଜ ହାରିବା ପରେ ପ୍ରଥମ ସ୍ଥାନ ହରାଇଥିଲା ଭାରତ । କିନ୍ତୁ ଆଜି ଦଳ ପୁଣି ପ୍ରଥମ ସ୍ଥାନ ଫେରି ପାଇଛି । ଜିମ୍ୱାୱେ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜକୁ ଆଗୁଆ କବଜା କରି ଆଇସିସି ଟି-ଟ୍ୱେଣ୍ଟି ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛି ଟିମ୍ ଆୟର । ଇଂଲଣ୍ଡକୁ ପଛରେ ପକାଇ ନମ୍ବର ୱାନ୍ ହୋଇଛି । ଅଧିନାୟକ ଭାବେ ପ୍ରଥମ ସିରିଜ ଜିତିଛନ୍ତି ଶ୍ରେୟାସ ଆୟର । ଉଭୟ ଆୟର୍ଲାଣ୍ଡ ଓ ଇଂଲଣ୍ଡରେ ପରାଜୟ ପରେ ଆୟରଙ୍କ ଭାରତୀୟ ଦଳ ଘରୋଇ ଜିମ୍ବାୱେ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ୨ଟି ମ୍ୟାଚ ଜିତି ସିରିଜ କବ୍ଜା କରିଛି । ହାରାରେ ସ୍ପୋର୍ଟ୍ସ କ୍ଲବ୍ ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନ୍ରେ ଘରୋଇ ଦଳକୁ ହରାଇଥିଲା ।
ଜିମ୍ୱାୱେ ସିରିଜ ବିଜୟ ସହିତ ଭାରତ ପୁଣି ଥରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟି-ଟ୍ୱେଣ୍ଟି ଦଳ ରାଙ୍କିଙ୍ଗରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । ଇଂଲଣ୍ଡଠାରୁ ନମ୍ୱର ୱାନ୍ ମୁକୁଟ ଛଡ଼ାଇ ନେଇଛି । ଜୁଲାଇ ୨୫ରେ ରାଙ୍କିଙ୍ଗ ଅପଡେଟ୍ ହୋଇ ଭାରତ ୨୬୮ ପଏଣ୍ଟରେ ଅଛି । ଇଂଲଣ୍ଡ ମଧ୍ୟ ସମାନ ପଏଣ୍ଟ ପାଇଛନ୍ତି କିନ୍ତୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ଟି-ଟ୍ୱେଣ୍ଟି ବିଶ୍ୱକପ ଚାମ୍ପଅନ୍ ଭାରତ ଜୁଲାଇ ୧୧ରେ ଇଂଲଣ୍ଡଠାରୁ ଶୀର୍ଷ ସ୍ଥାନ ହରାଇଥିଲା । ଇଂଲଣ୍ଡ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରେ ୪-୦ରେ ଜିତିଥିଲା । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିଲା । ଟି-ଟ୍ୱେଣ୍ଟି ଟିମ୍ ତାଲିକାରେ ଅଷ୍ଟ୍ରେଲିଆ ୨୬୦ ପଏଣ୍ଟ ସହ ତୃତୀୟ ସ୍ଥାନ, ନ୍ୟୁଜିଲାଣ୍ଡ ୨୪୬ ପଏଣ୍ଟ ପାଇଁ ଚତୁର୍ଥ ସ୍ଥାନରେ ରହିଛି । ସେହିପରି ୨୪୪ ପଏଣ୍ଟ ସହ ଦକ୍ଷିଣ ଆପ୍ରିକା ପଞ୍ଚମ ଏବଂ ୨୪୦ ପଏଣ୍ଟ ସହ ପାକିସ୍ତାନ ଷଷ୍ଠ ସ୍ଥାନରେ ରହିଛି । ଜିମ୍ୱାୱେ ୨୦୨ ପଏଣ୍ଟ ସହ ଦ୍ୱାଦଶ ସ୍ଥାନରେ ରହିଛି ।
ଏହା ବି ପଢନ୍ତୁ...Ind Vs Zim: ଦ୍ବିତୀୟ ମ୍ୟାଚ୍ ବିଜୟ ସହ ଟିମ୍ ଇଣ୍ଡିଆର ସିରିଜ୍ କବଜା; ନିଜ ଘରେ ମାଟି କାମୁଡ଼ିଲା ଜିମ୍ବାଓ୍ବେ ଟିମ୍
ଜିମ୍ୱାୱେ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଫଳାଫଳ କଥା କହିବାକୁ ଗଲେ, ଭାରତ ୯୦ ରନ୍ରେ ଘରୋଇ ଦଳକୁ ହରାଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ବିନିମୟରେ ୨୧୯ ରନ ସଂଗ୍ରହ କରିଥିଲା । ଜବାବରେ ଜିମ୍ବାୱେ ୧୭.୫ ଓଭରରେ ୧୨୯ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ୮୧ରନ୍ର ଧୂଆଁଧାର ଇନିଂସ୍ ଖେଳିଥିବା ଇଶାନ କିଷନ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।