ନୂଆଦିଲ୍ଲୀ,୧୨/୦୫: ଗୁଳିଗୋଳା ବର୍ଷୁଥିଲା । ପ୍ରଚଣ୍ଡ ବିସ୍ଫୋରଣରେ ଅଞ୍ଚଳ ଥରି ଉଠୁଥିଲା । ଭୟ ଭିତରେ ଦିନ ବିତୁଥିଲା । ଯୁଦ୍ଧ ଆଶଙ୍କା ରହିଥିଲା । ସମସ୍ତେ ବନ୍ଦ ଘରେ ରହୁଥିଲେ ।  ୭ ଦିନ ପରେ ସବୁ ଶାନ୍ତ ପଡିଛି । ବଜାର ଘାଟ ଖୋଲିଛି । ଲୋକମାନେ ନିଜ ନିଜ କାମରେ ବାହାରିଛନ୍ତି ।  ସପ୍ତାହ ପରେ ଶାନ୍ତି ଫେରିଛି । ରବିବାର ରାତିରେ ଲୋକ ଶାନ୍ତିରେ ଶୋଇଛନ୍ତି । ସ୍ଥିତି ସ୍ୱଭାବିକ ହୋଇଛି । ଲୋକମାନେ ନର୍ଭୟରେ ଘରୁ ବାହିରିଛନ୍ତି । ଜମ୍ମୁ, ପଞ୍ଜାବର କିଛି ସ୍ଥାନର ଭିଡିଓ ଆସିଛି । ଯେଉଁଥିରେ ସ୍ଥିତି ସ୍ୱାଭାବିକ୍ ରହିଥିବା ଦେଖିବାକୁ ମିଳିଛି । ଏହା ସହିତ ସୀମାରେ ପାକ୍ ସେନା ପଟୁ କୌଣସି ଘଟଣା ଘଟି ନଥିବା କହିଛି ଭାରତୀୟ ସେନା ।

ଅପରେସନ୍ 'ସିନ୍ଦୂର' ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଘମାସନ ଆରମ୍ଭ ହୋଇଥିଲା । ମେ ୮ ତାରିଖ ରାତିରୁ ପାକ୍ ସେନା ସୀମାବର୍ତ୍ତୀ ଅଞ୍ଚଳରେ ଫାୟାରିଂ କରିଥିଲା । ଡ୍ରୋନ୍, ମିଜାଇଲ ମାଡ଼ କରିଥିଲା । ଭାରତୀୟ ସେନା ପାକିସ୍ତାନକୁ କଡା ଜବାବ୍ ଦେଇଥିଲା । ଗତ ଶନିବାର ସନ୍ଧ୍ୟାରେ ଆମେରିକାର ମଧ୍ୟସ୍ଥତାରେ ଭାରତ -ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଆଲୋଚନା ହୋଇଥିଲା । ଏହା ପରେ ବି ପାକ୍ ଡ୍ରୋନ୍ ମାଡ କରିଥିଲା । ଭାରତୀୟ ସେନା ମୁହଁତୋଡ ଜବାବ୍ ଦେଇଥିଲା । ଅସ୍ତ୍ରବିରତି ପରେ ମାହୋଲ ଶାନ୍ତ ପଡ଼ିଛି ।

ଅଧିକ ପଢନ୍ତୁ...ଭାରତ ବିରୋଧରେ ବ୍ୟବହାର କରି ସର୍ତ୍ତ ଉଲ୍ଲଂଘନ କଲା ପାକ୍, ଏଫ୍‌-୧୬ ଫେରାଇନେବାକୁ ବିଚାର କରୁଛି ଆମେରିକା

ପଞ୍ଜାବ ଫିରୋଜପୁରର ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ପରିବେଶ ଶାନ୍ତ ଏବଂ ରହିଛି । ମାହୋଲ ଭଲ ଅଛି । ଶାନ୍ତି ରହିବା ଦରକାର । ଯୁଦ୍ଧ ସମାଧାନ ନୁହେଁ । ଆଲୋଚନା କରି ସମାଧାନର ବାଟ ବାହାର କରିବାରୁ ପଡିବ । ଲୋକଙ୍କର କ୍ଷତି କରି କେହି କେବେ ସଫଳ ହୋଇନାହିଁ ।'' ସେହିପରି ପଠାନକୋଟର ଜଣେ ସ୍ଥାନୀୟ ଲୋକ କହିଛନ୍ତି, ଅସ୍ତ୍ରବିରତି ପରେ ସବୁ କିଛି ଶାନ୍ତିର ସହ ଚାଲିଛି । ଦୋକାନ ବଜାର ଖୋଲିଛି । ସବୁ ଠିକ୍‌ଠାକ୍‌ ଅଛି । ଲୋକ ସବୁ ନିଜ ନିଜ କାମରେ ବାହାରିଛନ୍ତି । ଯୁଦ୍ଧରେ ସମସ୍ତଙ୍କର କ୍ଷତି ହୁଏ । ଏହା କେବେ ସମାଧାନର ବାଟ ନୁହେଁ ।''

ଆଜି DGMO ମିିଟିଂ- ଆଜି ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ଆଲୋଚନା ହେବ । ଅସ୍ତ୍ରବିରତି ପରେ ଆଜି ଦୁଇ ଦେଶ ମଧ୍ୟରେ ଡିଜିଏମ୍ଓ ସ୍ତରୀୟ ଆଲୋଚନା ହେବ । ପୂର୍ବାହ୍ନ ୧୨ଟାରେ ମିଟିଂ ହେବ । ମେ ୧୦ରେ ହୋଇଥିବା ବୈଠକରେ ଉଭୟ ଦେଶ ଅସ୍ତ୍ରବିରତି ସହମତି ଦେଇଥିଲେ । ଏହା ପରଠୁ ସୀମାରେ ଶାନ୍ତ ପରିବେଶ ରହିଛି । ପାକ୍‌ ପଟୁ କୌଣସି ଗୁଳିଗୋଳା ବର୍ଷଣ ହୋଇନଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।