ନୂଆଦିଲ୍ଲୀ,୦୪/୦୫:ଭାରତ ଏକ ଆଶାବାଦ ଭବିଷ୍ୟତରେ ପ୍ରବେଶ କରୁଛି, ଯେଉଁଠି ନିରନ୍ତର, ସ୍ୱଚ୍ଛ, ସୁରକ୍ଷିତ ଏବଂ ପ୍ରଦୂଷଣ-ରହିତ ଉର୍ଜ୍ଜା ପ୍ରବାହିତ ହୋଇପାରିବ । ଇନ୍ଧନର ଅଭାବ ମଧ୍ୟ ରହିବ ନାହିଁ । ବିଶ୍ୱର ସର୍ବବୃହତ ବୈଜ୍ଞାନିକ ସହଯୋଗ-ଇଣ୍ଟର୍‌ନ୍ୟାସନାଲ ଥର୍ମୋନ୍ୟୁକ୍ଲିୟର ଏକ୍ସପେରିମେଣ୍ଟାଲ ରିଆକ୍ଟରରେ ଯୋଗ ଦେଇଛି ଭାରତ । ପୃଥିବୀରେ ସୂର୍ଯ୍ୟର ଉର୍ଜ୍ଜାକୁ ନକଲ କରିବା ଆଇଟିଇଆର୍‌ର ଲକ୍ଷ୍ୟ । ଦକ୍ଷିଣ ଫ୍ରାନ୍ସର ସୁନ୍ଦର ପରିଦୃଶ୍ୟରେ ସ୍ଥିତ ଆଇଟିଇଆର୍‌ ଭାରତ, ଆମେରିକା, ଜାପାନ, ଚୀନ୍‌, ରୁଷ୍‌ ଏବଂ ୟୁରୋପୀୟ ସଂଘର ଅନେକ ଦେଶ ସମେତ ୩୦ ରାଷ୍ଟ୍ରର ପ୍ରତିଭା ଓ ସଂସାଧନକୁ ଏକତ୍ର କରିଛି । ଏମାନଙ୍କର ଗୋଟିଏ ମିଶନ, ତାହା ହେଉଛି ପରମାଣୁ ଫ୍ୟୁଜନ୍‌ର କେନ୍ଦ୍ର ଶକ୍ତିକୁ ଉନ୍ମୁକ୍ତ କରିବା । ଏହା ହିଁ ଆମ ସୂର୍ଯ୍ୟକୁ ଶକ୍ତି ଦେଉଥିବା ମୂଳ ପ୍ରତିକ୍ରିୟା । ଫ୍ୟୁଜନ୍‌ ଦୁଇଟି ହାଲୁକା ପରମାଣୁ ନ୍ୟୁକ୍ଲିକୁ ଏକ ଭାରୀ ପରମାଣୁରେ ରୂପାନ୍ତରିତ କରେ । ଏହି ପ୍ରକ୍ରିୟାରେ ତାହା ବିଶାଳ ମାତ୍ରାରେ ଉର୍ଜ୍ଜା ଉତ୍ପନ୍ନ କରେ । ପରମାଣୁ ଫିଜନ୍‌ ବା ବିଖଣ୍ଡନଠୁ ଏହା ଭିନ୍ନ । ଏହି ପଦ୍ଧତି (ପରମାଣୁ ଫିଜନ୍‌) ବର୍ତ୍ତମାନ ପରମାଣୁ ପ୍ଲାଣ୍ଟ୍‌କୁ ଇନ୍ଧନ ପ୍ରଦାନ କରୁଛି ଏବଂ ବିପଦପୂର୍ଣ୍ଣ ବର୍ଜ୍ୟ ଉତ୍ପନ୍ନ କରୁଛି  । 

କିନ୍ତୁ ଫ୍ୟୁଜନ୍‌ ଅପେକ୍ଷାକୃତ ସ୍ୱଚ୍ଛ ଓ ସୁରକ୍ଷିତ ବିକଳ୍ପ ଉପସ୍ଥାପନ କରେ । ତେବେ ପୃଥିବୀରେ ଏହି ଘଟଣାର ଲାଭ ଉଠାଇବା ପାଇଁ ଅସାଧାରଣ ଉତ୍ତାପ ଓ ଚାପର ପ୍ରବନ୍ଧନ ଆବଶ୍ୟକ । ଏହି ଆହ୍ୱାନର ସମାଧାନ ପାଇଁ ବୈଜ୍ଞାନିକମାନେ ଦୀର୍ଘ ଦଶନ୍ଧି ଧରି ନିରନ୍ତର କାମ କରୁଛନ୍ତି । ଆଇଟିଇଆର୍‌ର କେନ୍ଦ୍ରରେ ଏକ ଶକ୍ତିଶାଳୀ ଚୁମ୍ବକ ରହିଛି । ନିକଟରେ ଏହା ନିର୍ମିତ ହୋଇଛି ଏବଂ ଆମେରିକାରେ ଏହାର ପୁଙ୍ଖାନୁପୁଙ୍ଖ ପରୀକ୍ଷା ଶେଷ ହୋଇଛି । ଏହି ଚୁମ୍ବକ ସେଣ୍ଟ୍ରାଲ ସୋଲନଏଡ୍‌ ଭାବେ ପରିଚିତ । ଏଇଟି ଏ ଶ୍ରେଣୀର ସବୁଠୁ ଶକ୍ତିଶାଳୀ ଏବଂ ସବୁଠୁ ଉତ୍ତପ୍ତ ପ୍ଲାଜ୍‌ମା ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ପ୍ଲାଜ୍‌ମା ଏକ ଗ୍ୟାସ୍‌, ଯାହା ଏତେ ଉତ୍ତପ୍ତ ଯେ ଏହାର ତାପମାତ୍ରା ୧୫ କୋଟି ଡିଗ୍ରୀ ସେଲ୍‌ସିୟସ୍‌ରୁ ଉଦ୍ଧ୍ୱର୍ରେ ପହଞ୍ଚିପାରେ । ଦୀର୍ଘକାଳୀନ ଫ୍ୟୁଜନ୍‌ ପାଇଁ ଏହା ଯଥେଷ୍ଟ । ଏହାର ଗୁରୁତ୍ୱକୁ ଦର୍ଶାଇବା ପାଇଁ ଆଇଟିଇଆର୍‌ର ଡାଇରେକ୍ଟର ଜେନେରାଲ ପିଟ୍ରୋ ବାରାବାସ୍‌ଚି ଏକ ବାକ୍ୟାଂଶ ବ୍ୟବହାର କରି କହିଛନ୍ତି ‘ୱାଇନ୍‌ ବୋତଲଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରେ, କିନ୍ତୁ ୱାଇନ୍‌କୁ ରଖିବା ପାଇଁ ବୋତଲ ଆବଶ୍ୟକ ।’ 


ଏହି ବାକ୍ୟାଂଶରେ ପ୍ଲାଜ୍‌ମା ମହଙ୍ଗା ୱାଇନ୍‌କୁ ପ୍ରତିନିଧିତ୍ୱ କରୁଛି ଏବଂ ଚୁମ୍ବକ ଗୁରୁତ୍ୱପୂର୍ଣ୍ଣ ବୋତଲ ଭାବେ କାମ କରୁଛି ଯାହା ଖୁବ୍‌ ସତର୍କତାର ସହିତ ଅସ୍ଥିର ଫ୍ୟୁଜନ୍‌ ପ୍ରକ୍ରିୟାକୁ ଧାରଣ କରିଛି । ଆଇଟିଇଆର୍‌ ସହିତ ଭାରତ ଯୋଡ଼ି ହେବା ଆର୍ଥିକ ପୃଷ୍ଠଭୂମିଠୁ ଉଦ୍ଧ୍ୱର୍ରେ, କାରଣ ଭାରତୀୟ ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏହି ଫ୍ୟୁଜନ୍‌ ରିଆକ୍ଟର୍‌ ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଉପକରଣଗୁଡ଼ିକର ନିର୍ମାଣରେ ସକ୍ରିୟ ରୂପେ ସାମିଲ ହୋଇଛନ୍ତି । ଏହି ସମ୍ପୃକ୍ତି ସେମାନଙ୍କୁ ବୈଶ୍ୱିକ ଶକ୍ତି ଢାଞ୍ଚାରେ ଏକ ପରିବର୍ତ୍ତନକାରୀ ଉତ୍ଥାନର ଅଗ୍ରଣି ସ୍ଥାନରେ ସ୍ଥାନୀତ କରିଛି । ଆଇଟିଇଆର୍‌ ଯଦି ଏହାର ମହତ୍ୱାକାଂକ୍ଷୀ ଅଭିଳାଷରେ ସଫଳ ହୁଏ, ପରିଣାମ ବୈଜ୍ଞାନିକ ମାଇଲଖୁଣ୍ଟଠୁ ଆହୁରି ବିସ୍ତୃତ ହେବ । ବିଶ୍ୱ ଶକ୍ତିର ମୂଳାଧାରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାର ସାମର୍ଥ୍ୟ ଏହାର ଅଛି । ଏହି ଅସାଧାରଣ ପ୍ରୋଜେକ୍ଟରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେ ଉର୍ଜ୍ଜାର ଭବିଷ୍ୟତ ସ୍ୱଚ୍ଛ, ଉଜ୍ଜ୍ୱଳ ଏବଂ ଆଗାମି ପିଢ଼ିମାନଙ୍କ ପାଇଁ ଅଧିକ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରହିଛି । 

୨୦୨୧ ମସିହାରେ ଚୁମ୍ବକର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, କିନ୍ତୁ ବିଳମ୍ବ ଯୋଗୁ ଶେଷ ହୋଇପାରିଲା ନାହିଁ । ବାରାବାସ୍‌ଚି କହିଛନ୍ତି, ସଙ୍କଟ ଏବେ ଆଉ ନାହିଁ । ଆଇଟିଇଆର୍‌ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ାଇଛି । ପ୍ରୋଜେକ୍ଟର ଷ୍ଟାର୍ଟ-ଅପ୍‌ ଫେଜ୍‌ ୨୦୩୩ରେ ଆରମ୍ଭ କରି ପ୍ଲାଜ୍‌ମା ଉତ୍ପନ୍ନର ଯୋଜନା ରହିଛି । ଫ୍ୟୁଜନ୍‌ ନିବେଶ ବଢୁଥିବାବେଳେ ଏ ନେଇ ଅନେକ ପ୍ରୟାସ ଜାରି ରହିଛି । ଅନେକ ଘରୋଇ ଷ୍ଟାର୍ଟ-ଅପ୍‌ କହିଛନ୍ତି ଯେ ଗୋଟିଏ ଦଶନ୍ଧି ମଧ୍ୟରେ ସେମାନେ କମର୍ସିଆଲ ଫ୍ୟୁଜନ୍‌ ରିଆକ୍ଟର୍‌ ନିର୍ମାଣ କରିପାରିବେ । ଭାରତ ଏହି ପ୍ରୋଜେକ୍ଟରେ ୨୦୦୫ ମସିହାରେ ଯୋଗ ଦେଇଥିଲା । ଏବେ ପ୍ରୋଜେକ୍ଟର ଡେଲିଭରୀ, ବୈଜ୍ଞାନିକ ଅନୁସନ୍ଧାନ ଓ ଆର୍ଥିକ ଯୋଗଦାନ ଭଳି କାର୍ଯ୍ୟରେ ଦେଶ ନିଜର ଯୋଗଦାନ ଜାରି ରଖିଛି । ଚଳିତ ବର୍ଷ ଫେବ୍ରୁଆରୀରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ଗସ୍ତ ଶେଷ କରିବା ପୂର୍ବରୁ ରାଷ୍ଟ୍ରପତି ଇମାୁନଏଲ ମାକ୍ରନ୍‌ଙ୍କ ସହ ଆଇଟିଇଆର୍‌ ୟୁନିଟ୍‌କୁ ଯାଇଥିଲେ ।