ପର୍ଥ,୧୯/୧୦: ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆଜି ପ୍ରଥମ ଦିନିକିଆ । ପର୍ଥର ଅପ୍ଟସ ଷ୍ଟାଡ଼ିୟମ୍ରେ ଭାରତୀୟ ସମୟ ସକାଳ ୮ଟାରେ ଆରମ୍ଭ ହୋଇଛି ମ୍ୟାଚ୍ । ସର୍ବୋପରି ସମସ୍ତ କ୍ରିକେଟ୍ ପ୍ରେମୀଙ୍କ ନଜର ଦୁଇ ମହାନ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ରହିଛି । ଦୀର୍ଘ ୭ ମାସ ପରେ ବିରାଟ ଓ ରୋହିତଙ୍କୁ ଏକତ୍ର ନୀଳ ଜର୍ସିରେ ଦେଖିବାକୁ ମିଳିବ । ଉଭୟ ଗତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ୍ ହେବା ପରଠୁ ଏକତ୍ର ଖେଳି ନାହାନ୍ତି । କ୍ୟାରିୟର୍ର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ରୋହିତ ଓ କୋହଲି ଆଗାମୀ ଦିନିକିଆ ବିଶ୍ୱକପ୍ (୨୦୨୭) ଖେଳିବାକୁ ଆଶାବାଦୀ ରହିଥିବାରୁ ଏହି ସିରିଜ ଜରିଆରେ ପ୍ରସ୍ତୁତି ଆରମ୍ଭ କରିବେ । ନୂଆ ଅଧିନାୟକ ଶୁଭମନ ଗିଲଙ୍କ ଅଧିନରେ ଭାରତୀୟ ଦଳ ଆଜି ଅଭିଯାନ ଆରମ୍ଭ କରିବାକୁ ଯାଉଛି ।
ଟେଷ୍ଟରେ ସଫଳତା ପରେ ଗିଲଙ୍କୁ ଦିନିକିଆ ନେତୃତ୍ୱ ପ୍ରଦାନ କରାଯାଇଛି । ଦିନିକିଆରେ ଅଧିନାୟକ ଭାବେ ପଦାର୍ପଣରେ ସେ ବିଶ୍ୱର ଦୁଇ ସର୍ବକାଳୀନ ଶ୍ରେଷ୍ଠ ଦିନିକିଆ ବ୍ୟାଟର ରୋହିତ ଓ କୋହଲିଙ୍କୁ ପରିଚାଳନା କରିବେ । ରୋହିତ ଓ କୋହଲି ଦୀର୍ଘ ୯ ବର୍ଷ ପରେ ଏକତ୍ର କୌଣସି ଅଧିନାୟକଙ୍କ ଅଧିନରେ ଦିନିକିଆ ଖେଳିବାକୁ ଯାଉଛନ୍ତି । ମ୍ୟାଚ୍ର ଫଳାଫଳକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ଶକ୍ତିଶାଳୀ । ଅବଶ୍ୟ ଅଷ୍ଟ୍ରେଲିଆର କିଛି ପ୍ରମୁଖ ଖେଳାଳି ଆହତ ଓ ଅନୁପସ୍ଥିତ ରହିଛନ୍ତି । ତଥାପି ଦଳର ସନ୍ତୁଳନ ଅପରିବର୍ତ୍ତିତ ରହିଛି । ଟପ ଅର୍ଡର ଓ ବୋଲିଂ ବିଭାଗ ଭାରତ ପାଇଁ ଚିନ୍ତା ବଢ଼ାଇବା ନିଶ୍ଚିତ । ମଧ୍ୟକ୍ରମରେ ପରିବର୍ତ୍ତନ ହେବ । ଆସନ୍ତାକାଲି ଟ୍ରେଭିସ୍ ହେଡ୍ ଓ ବିରାଟ କୋହଲିଙ୍କ ଉପରେ ନଜର ରହିବ । ଭାରତ ବିପକ୍ଷରେ ହେଡ୍ ନିୟମିତ ଭାବେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ଗତ ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ୍ରେ ହେଡ୍ଙ୍କ ପ୍ରଦର୍ଶନକୁ କ୍ରିକେଟ୍ ପ୍ରେମୀ ଏପର୍ଯ୍ୟନ୍ତ ଭୁଲି ନାହାନ୍ତି । ସେ ଆସନ୍ତାକାଲି ଆଉ ୫୮ ରନ କଲେ ୩୦୦୦ ଦିନିକିଆ ରନ କ୍ଲବରେ ସାମିଲ ହେବେ । କୋହଲି ସର୍ବଦା ଦର୍ଶକଙ୍କ ହୃଦୟରେ ରାଜ କରି ଆସିଛନ୍ତି । ତାଙ୍କୁ ଦେଖିବା ପାଇଁ ଅଭ୍ୟାସ ଗ୍ରାଉଣ୍ଡ୍ରେ ମଧ୍ୟ ଗହଳି ଲାଗି ରହୁଛି ।
ଆଜିର ମ୍ୟାଚ୍ରେ ମଧ୍ୟ ୫୦,୦୦୦ ଦର୍ଶକ ଷ୍ଟାଡ଼ିୟମ୍କୁ ମ୍ୟାଚ ଦେଖିବା ପାଇଁ ଆସିବେ । ମାଟ୍ ରେନସ ଓ ମିଚେଲ ଓଏନ ଆ ଦିନିକିଆ ପଦାର୍ପଣ କରିବାର ସମ୍ଭାବନା ରହିଛି । କାମେରନ ଗ୍ରୀନଙ୍କ ସ୍ଥାନରେ ରେନସ ଏକାଦଶରେ ସ୍ଥାନ ପାଇବା ଆଶା କରାଯାଉଛି । ଭାରତ ବ୍ୟାଟିଂ ବିଭାଗକୁ ଲମ୍ବା କରାଇବାକୁ ଗୁରୁତ୍ୱ ଦେଉଛି । ବ୍ୟାଟିଂ କ୍ରମର ପ୍ରଥମ ୬ଟି ସ୍ଥାନରେ ପରିବର୍ତ୍ତନ ହେବ ନାହିଁ । ବାକି ୫ଟି ସ୍ଥାନ ପାଇଁ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହେବ । ଅପ୍ଟସ ଷ୍ଟାଡ଼ିୟମ୍ର ପିଚ୍ରେ ସେଭଳି ବଡ଼ ସ୍କୋର ହେବାର ରେକର୍ଡ ନାହିଁ । ଅଷ୍ଟ୍ରେଲିଆ ଏଠାରେ ଖେଳିଥିବା ଶେଷ ୨ଟି ଦିନିକିଆରେ ଯଥାକ୍ରମେ ୧୫୨ ଓ ୧୪୦ ରନ କରିଥିଲା । ଡ୍ରପ୍ ଇନ୍ ପିଚ୍ ପ୍ରାରମ୍ଭରୁ ପେସ୍ ବୋଲରଙ୍କୁ ଭରପୁର ସହାୟତା କରିବାର ସମ୍ଭାବନା ରହିଛି । ବର୍ଷା ମଧ୍ୟ ମ୍ୟାଚ୍ରେ ବାଧା ଉପୁଯାଇବା ଆଶଙ୍କା କରାଯାଉଛି । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । ସମ୍ଭାବ୍ୟ ଦଳ ଭାରତ: ରୋହିତ ଶର୍ମା, ଶୁଭମନ ଗିଲ୍ (ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର/କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା/ଅର୍ଶଦୀପ ସିଂହ । ଅଷ୍ଟ୍ରେଲିଆ: ଟ୍ରେଭିସ୍ ହେଡ୍, ମିଚେଲ ମାର୍ଶ (ଅଧିନାୟକ), ମାଟ ସର୍ଟ, ମାଟ ରେନସ, ଜୋସ ଫିଲିପ, ମିଚେଲ ଓଏନ, କୁପର କନଲି, ମିଚେଲ ଷ୍ଟାର୍କ, ନାଥାନ ଏଲିସ, ମାଟ କୁହ୍ନେମନ, ଜୋସ ହାଜେଲଉଡ ।