ନୂଆଦିଲ୍ଲୀ ୧୪/୦୭: ମହାକାଶରେ ୧୮ ଦିନ ଧରି ବୈଜ୍ଞାନିକ ପ୍ରୟୋଗ ପରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ତାଙ୍କ ଅନ୍ୟ ୩ ସାଥୀଙ୍କୁ ମହାକାଶରୁ ବିଦାୟ ଦିଆଯାଇଛି । ଆକ୍ସିଓମ-୪ ମିଶନର ଏହି ଟିମ୍‌ ସୋମବାର ପୃଥିବୀକୁ ଫେରିବା ଲାଗି ପ୍ରସ୍ତୁତି କରିଛନ୍ତି । 

ଏହି ଅବସରରେ  ଭାରତକୁ ଦେଇଥିବା ବାର୍ତ୍ତାରେ ଶୁଭାଂଶୁ କହିଛନ୍ତି,  ଏବେ ବି ଭାରତ ‘ସାରେ ଜହାଁସେ ଅଚ୍ଛା’ । ଆକ୍ସିଓମ୍‌-୪ ମିଶନରେ ପାଇଲଟ ଶୁଭାଂଶୁଙ୍କ  ସମେତ କ୍ରୁ-କମାଣ୍ଡର ପେଗି ହ୍ୱିଟସନ(ଆମେରିକା),  ମିଶନ ସ୍ପେଶାଲିଷ୍ଟ ସଓସ୍‌ଜ ଉଜ୍‌ନାନ୍‌ସ୍କି-ୱିସ୍‌ନିଉସ୍କି(ପୋଲାଣ୍ଡ) ଏବଂ ତିବୋର କପୁ  (ହଙ୍ଗେରୀ) ରହିଛନ୍ତି । ଗତ ଜୁନ୍‌ ୨୬ରେ ସେମାନେ  ନାସାର କେନେଡି ସ୍ପେସ୍‌ ସେଣ୍ଟରରୁ ଅନ୍ତର୍ଜାତୀୟ  ସ୍ପେସ୍‌ ଷ୍ଟେଶନ(ଆଇଏସ୍‌ଏସ୍‌)କୁ ଯାଇଥିଲେ ।  ଏଏକ୍ସ-୪ ସୋମବାର ଭାରତୀୟ ସମୟ ଅନୁସାରେ  ଅପରାହ୍ନ ୪ଟା ୩୫ରେ ଅନ୍‌ଡକିଂ (ସ୍ପେସ୍‌ ଷ୍ଟେଶନରୁ  ସ୍ପେସ୍‌କ୍ରାଫ୍ଟ ଅଲଗା ହେବା) ହେବ । ସ୍ପେସ୍‌ଏକ୍ସ  ଡ୍ରାଗନ ସ୍ପେସ୍‌କ୍ରାଫ୍ଟରେ ସେମାନେ ପୃଥିବୀ ଅଭିମୁଖେ  ବାହାରିବେ । ଜୁଲାଇ ୧୫ ଅପରାହ୍ନ ପ୍ରାୟ ୩ଟାରେ  କାଲିଫର୍ଣ୍ଣିଆ ଉପକୂଳରେ ସ୍ପେସ୍‌କ୍ରାଫ୍ଟ ଅବତରଣ  କରିବ । ଅନ୍‌ଡକିଂରୁ ସ୍ପ୍ଳାସ୍‌ଡାଉନ ପର୍ଯ୍ୟନ୍ତ ୧୨ରୁ  ୧୬ ଘଣ୍ଟା ଲାଗିପାରେ । 

ଶୁକ୍ରବାର ଏବଂ ଶନିବାର ୪  ମହାକାଶଚାରୀ ଆଇଏସ୍‌ଏସ୍‌ରେ ସ୍ୱତନ୍ତ୍ର ଭୋଜିର  ଆୟୋଜନ କରିଥିଲେ । ସେମାନଙ୍କ ଅବତରଣର ସିଧା ପ୍ରସାରଣ ନାସାର ଏକ୍ସ ହ୍ୟାଣ୍ଡେଲରେ ଦେଖିହେବ ।  ଜୁଲାଇ ୧୪ ଅପରାହ୍ନ ୨ଟାରୁ ଲାଇଭ୍‌ ଟେଲିକାଷ୍ଟ  ଆରମ୍ଭ ହେବ। ସ୍ପେସ୍‌ କ୍ୟାପ୍‌ସୁଲ ପୃଥିବୀର  ବାୟୁମଣ୍ଡଳରେ ପଶିବା କ୍ଷଣି ଉଚ୍ଚ ତାପମାତ୍ରା ଏବଂ  ଶକ୍ତିଶାଳୀ ଘର୍ଷଣର ସାମ୍‌ନା କରିବ । ଏହି ସମୟରେ କ୍ୟାପ୍‌ସୁଲର ଗତି ଘଣ୍ଟାପ୍ରତି ପ୍ରାୟ ୨୮,୦୦୦ କିମି  ରହିବ । ପରେ ଧୀରେ ଧୀରେ ତାହାକୁ ହ୍ରାସ କରାଯିବ ।  ନିର୍ଦ୍ଦିଷ୍ଟ ସମୟରେ ପାରାଶୁଟ୍‌ ଖୋଲିବ । ପୃଥିବୀରେ  ଅବତରଣ କରିବା ପରେ ଶୁଭାଂଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ  କରାଯାଇ ତାଙ୍କୁ ମାଧ୍ୟାକର୍ଷଣ ଶକ୍ତି ସହ ଖାପ ଖୁଆଇବା  ଲାଗି ୭ ଦିନ ପୁନର୍ବାସ କେନ୍ଦ୍ରରେ ରଖାଯିବ ।