ନୂଆଦିଲ୍ଲୀ ୧୪/୦୭: ମହାକାଶରେ ୧୮ ଦିନ ଧରି ବୈଜ୍ଞାନିକ ପ୍ରୟୋଗ ପରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ତାଙ୍କ ଅନ୍ୟ ୩ ସାଥୀଙ୍କୁ ମହାକାଶରୁ ବିଦାୟ ଦିଆଯାଇଛି । ଆକ୍ସିଓମ-୪ ମିଶନର ଏହି ଟିମ୍ ସୋମବାର ପୃଥିବୀକୁ ଫେରିବା ଲାଗି ପ୍ରସ୍ତୁତି କରିଛନ୍ତି ।
ଏହି ଅବସରରେ ଭାରତକୁ ଦେଇଥିବା ବାର୍ତ୍ତାରେ ଶୁଭାଂଶୁ କହିଛନ୍ତି, ଏବେ ବି ଭାରତ ‘ସାରେ ଜହାଁସେ ଅଚ୍ଛା’ । ଆକ୍ସିଓମ୍-୪ ମିଶନରେ ପାଇଲଟ ଶୁଭାଂଶୁଙ୍କ ସମେତ କ୍ରୁ-କମାଣ୍ଡର ପେଗି ହ୍ୱିଟସନ(ଆମେରିକା), ମିଶନ ସ୍ପେଶାଲିଷ୍ଟ ସଓସ୍ଜ ଉଜ୍ନାନ୍ସ୍କି-ୱିସ୍ନିଉସ୍କି(ପୋଲାଣ୍ଡ) ଏବଂ ତିବୋର କପୁ (ହଙ୍ଗେରୀ) ରହିଛନ୍ତି । ଗତ ଜୁନ୍ ୨୬ରେ ସେମାନେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେଶନ(ଆଇଏସ୍ଏସ୍)କୁ ଯାଇଥିଲେ । ଏଏକ୍ସ-୪ ସୋମବାର ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪ଟା ୩୫ରେ ଅନ୍ଡକିଂ (ସ୍ପେସ୍ ଷ୍ଟେଶନରୁ ସ୍ପେସ୍କ୍ରାଫ୍ଟ ଅଲଗା ହେବା) ହେବ । ସ୍ପେସ୍ଏକ୍ସ ଡ୍ରାଗନ ସ୍ପେସ୍କ୍ରାଫ୍ଟରେ ସେମାନେ ପୃଥିବୀ ଅଭିମୁଖେ ବାହାରିବେ । ଜୁଲାଇ ୧୫ ଅପରାହ୍ନ ପ୍ରାୟ ୩ଟାରେ କାଲିଫର୍ଣ୍ଣିଆ ଉପକୂଳରେ ସ୍ପେସ୍କ୍ରାଫ୍ଟ ଅବତରଣ କରିବ । ଅନ୍ଡକିଂରୁ ସ୍ପ୍ଳାସ୍ଡାଉନ ପର୍ଯ୍ୟନ୍ତ ୧୨ରୁ ୧୬ ଘଣ୍ଟା ଲାଗିପାରେ ।
ଶୁକ୍ରବାର ଏବଂ ଶନିବାର ୪ ମହାକାଶଚାରୀ ଆଇଏସ୍ଏସ୍ରେ ସ୍ୱତନ୍ତ୍ର ଭୋଜିର ଆୟୋଜନ କରିଥିଲେ । ସେମାନଙ୍କ ଅବତରଣର ସିଧା ପ୍ରସାରଣ ନାସାର ଏକ୍ସ ହ୍ୟାଣ୍ଡେଲରେ ଦେଖିହେବ । ଜୁଲାଇ ୧୪ ଅପରାହ୍ନ ୨ଟାରୁ ଲାଇଭ୍ ଟେଲିକାଷ୍ଟ ଆରମ୍ଭ ହେବ। ସ୍ପେସ୍ କ୍ୟାପ୍ସୁଲ ପୃଥିବୀର ବାୟୁମଣ୍ଡଳରେ ପଶିବା କ୍ଷଣି ଉଚ୍ଚ ତାପମାତ୍ରା ଏବଂ ଶକ୍ତିଶାଳୀ ଘର୍ଷଣର ସାମ୍ନା କରିବ । ଏହି ସମୟରେ କ୍ୟାପ୍ସୁଲର ଗତି ଘଣ୍ଟାପ୍ରତି ପ୍ରାୟ ୨୮,୦୦୦ କିମି ରହିବ । ପରେ ଧୀରେ ଧୀରେ ତାହାକୁ ହ୍ରାସ କରାଯିବ । ନିର୍ଦ୍ଦିଷ୍ଟ ସମୟରେ ପାରାଶୁଟ୍ ଖୋଲିବ । ପୃଥିବୀରେ ଅବତରଣ କରିବା ପରେ ଶୁଭାଂଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇ ତାଙ୍କୁ ମାଧ୍ୟାକର୍ଷଣ ଶକ୍ତି ସହ ଖାପ ଖୁଆଇବା ଲାଗି ୭ ଦିନ ପୁନର୍ବାସ କେନ୍ଦ୍ରରେ ରଖାଯିବ ।