ଭୁବନେଶ୍ୱର,୧୭/୦୨: ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣା ନୂଆ ମୋଡ଼ ନେଇଛି । ଅଭିଯୋଗ ଉଠିଛି ଯେ କେବଳ ସାର୍ଥକ ନୁହନ୍ତି, ‘ନିଉ ଜର୍ସି’ ଜାହାଜରୁ ଆହୁରି ଅନେକ ନାବିକ ପୂର୍ବରୁ ଗାଏବ୍ ହୋଇଛନ୍ତି । ସାର୍ଥକ ଗାଏବ୍ ହେବାର ୧୫ ଦିନ ପୂର୍ବରୁ ଉକ୍ତ ଜାହାଜରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା । ଖାଇବା ପାଇଁ କ୍ୟାଣ୍ଟିନ୍‌କୁ  ଛଡ଼ା ଯାଉନଥିଲା । କ୍ୟାବିନ୍‌କୁ ଖାଦ୍ୟ ପଠାଯାଉଥିଲା ।

ସାର୍ଥକଙ୍କ ସନ୍ଧାନରେ ଯାଇଥିବା ପରିବାର ଲୋକଙ୍କୁ ସିପିଂ କମ୍ପାନୀ ‘ଆଙ୍ଗେ୍ଲା-ଇଷ୍ଟର୍ଣ୍ଣ’ କର୍ତ୍ତୃପକ୍ଷ ଆଦୌ ସହଯୋଗ କରୁନାହାନ୍ତି । ତାଙ୍କ ମାମୁ ସନ୍ତୋଷ କୁମାର ସାହୁ କହିଛନ୍ତି, ପଶ୍ଚିମବଙ୍ଗରେ ସିପିଂ ସଂସ୍ଥାର ଏକ କାର୍ଯ୍ୟାଳୟ ଅଛି । ସେଠାରୁ ଏସ୍ ଦାସଗୁପ୍ତା ନାମକ ଜଣେ ଅଧିକାରୀ ଆମ ସହ ସିଙ୍ଗାପୁର ଆସିଛନ୍ତି । ସେ ଆମକୁ ଆଦୌ ସହଯୋଗ କରୁନାହାନ୍ତି । ସିପିଂ ସଂସ୍ଥା ଅଧିକାରୀଙ୍କୁ ଆମକୁ ମାତ୍ର ୨ ଘଣ୍ଟା ପାଇଁ ଜାହାଜରେ ଚଢ଼ିବାକୁ ଅନୁମତି ଦେଲେ । କେବଳ ସାର୍ଥକଙ୍କ କ୍ୟାବିନ୍ ଭିତରକୁ ନେଇଗଲେ । କ୍ୟାବିନ୍‌ରୁ ସାର୍ଥକର କିଛି ସାମଗ୍ରୀ ଗାଏବ୍ ଥିଲା । ସିସି କ୍ୟାମେରା ଫୁଟେଜ୍ ଅନୁସାରେ ସାର୍ଥକ ଘଟଣାଦିନ ଜାହାଜର ଯେଉଁ ଡେକ୍ ଏରିଆକୁ ଯାଇ ଗାଏବ୍ ହୋଇଯାଇଥିଲା । ସେଠାକୁ ଯିବାବେଳେ ଆମକୁ ବାରଣ କରାଗଲା । ଆମେ ନେହୁରା ହେବାରୁ ସିପିଂ ସଂସ୍ଥା ଅଧିକାରୀ ଆମକୁ ଧମକ ଦେଲେ । କହିଲେ, ଯଦି ଏମିତି ଜବରଦସ୍ତି କରିବେ । ଆମେ ଜାହାଜରୁ ଓହ୍ଲାଇଦେବୁ ।

ସାର୍ଥକଙ୍କ ମା’ ରଶ୍ମିତା ଅଭିଯୋଗ କରିଛନ୍ତି ଯେ ଜାହାଜର ଆଇନଜୀବୀମାନେ ଆମ କଥା ଆଦୌ ଶୁଣୁନାହାନ୍ତି । ସେପଟେ ପୁଅକୁ ୧୫ ଦିନ ଧରି ଖାଇବା ପିଇବାରେ ହଇରାଣ କରାଯାଉଥିଲା । ଏହାର ଅର୍ଥ, ମୋ ପୁଅ ସହ ନିଶ୍ଚିତ ଭାବେ କିଛି ଅଘଟଣ ଘଟିଛି । ନଚେତ୍, ମଝି ଦରିଆରେ ଅନ୍ୟ ନାବିକମାନେ ତା’କୁ ନିର୍ଯାତନା ଦେଇଛନ୍ତି । ନିରପେକ୍ଷ ତଦନ୍ତ କଲେ, ସତ ସାମ୍ନାକୁ ଆସିବ । ଏନେଇ ସିଙ୍ଗାପୁରରେ ଅବସ୍ଥିତ ଭାରତୀୟ ହାଇ-କମିଶନ ଅଫିସରେ ଅଭିଯୋଗ କରିଥିଲେ। ପୁଅକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ତେବେ ହାଇକମିଶନର ବି ମାଆ ଓ ମାମୁୁଙ୍କୁ ଆଶ୍ୱସନା ଦେଇଛନ୍ତି । ଅନ୍ୟପଟେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବ ବୋଲି ହାଇକମିଶନ ଅଫିସରୁ ସୂଚନା ମିଳିଛି ।

​​​​​​​ଆହୁରି ପଢ଼ନ୍ତୁ :- ଚାରି ଦିନ ବିତିଗଲା, ସାର୍ଥକ କେଉଁଠି ? ପୁଅର ଫେରିବା ବାଟ ଚାହିଁ ବସିଛି ମା’... ଖୋଜିବାକୁ କଲେ ଗୁହାରୀ