ନୂଆଦିଲ୍ଲୀ,୨୩/୦୧: ପର୍ବତାରୋହଣରେ ଭାରତୀୟଙ୍କ ବିଶ୍ୱ ରେକର୍ଡ । ୟୁରୋପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍‌ ଏଲବ୍ରଶରେ ଅମ୍ଳଜାନ ବିନା ୨୪ ଘଣ୍ଟା । ହରିୟାଣାର ହିସାର ସ୍ଥିତ ମଲାପୁର ବାସିନ୍ଦା ରୋହତାଶ ଖିଲେରୀ ୧୮,୫୧୦ ଫୁଟ ଉଚ୍ଚରେ ଅମ୍ଳଜାନ ବିନା ୨୪ ଘଣ୍ଟା ବିତାଇବା ପରେ ନିଜେ ଭିଡିଓ ପ୍ରସ୍ତୁତ କରିଛନ୍ତି । ସେ ଦାବି କରିଛନ୍ତି, ଏହା ବିଶ୍ୱ ରେକର୍ଡ ଏବଂ ସେ ଏହା କରିଥିବା ବିଶ୍ୱର ପ୍ରଥମ ବ୍ୟକ୍ତି । ରୋହତାଶ ୮ ବର୍ଷ ବୟସରୁ ପର୍ବତାରୋହଣ କରୁଛନ୍ତି । 

ଚଳିତ ମାସ ୨୦ ତାରିଖରେ ରୋହତାଶ ମାଉଣ୍ଟ୍‌ ଏଲବ୍ରଶ ପର୍ବତ ଉପରେ ପହଞ୍ଚିଥିଲେ । ସେଠାରେ ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରୀରୁ ବିଯୁକ୍ତ ୫୦ ଡିଗ୍ରୀ ସେଲ୍‌ସିୟସ ଥିଲା । ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ଥଣ୍ଡା ପବନ ପ୍ରବାହିତ ହେଉଥିଲା । ରୋହତାଶ ସୋସିଆଲ ମିଡିଆରେ ନିଜର ଅନୁଭବ ଶେୟାର କରି କହିଛନ୍ତି, ଏହି ବିଜୟ ସହଜ ନ ଥିଲା । ୨୦୧୮ରେ ସେ ଏହି ଯାତ୍ରା ଆରମ୍ଭ କରିଥିଲେ । ୨୦୨୦ରେ ଜଣେ ଗାଇଡ୍‌ଙ୍କ ଜୀବନ ବଞ୍ଚାଇବା ଲାଗି ତାଙ୍କୁ ମିଶନ୍‌ ଛାଡ଼ିବାକୁ ପଡ଼ିଥିଲା । ୨୦୨୩ରେ ଖରାପ ପାଣିପାଗ ତାଙ୍କ ଯାତ୍ରାରେ ବାଧକ ହେଲା । ଏହି ଐତିହାସିକ ମିଶନ ସମୟରେ ରୋହତାଶଙ୍କୁ ଫ୍ରଷ୍ଟ୍‌ ବାଇଟ୍‌ର ସମ୍ମୁଖୀନ ହେବାକୁ ପଡ଼ିଲା । ଏଥିରେ ସେ ଦୁଇଟି ଆଙ୍ଗୁଳି ହରାଇଲେ । କିନ୍ତୁ ଲକ୍ଷ୍ୟଚ୍ୟୁତ ହେଲେ ନାହିଁ । 

ଆହୁରି ପଢନ୍ତୁ-ଆମେରିକାକୁ ଭାରତର ଝଟ୍‌କା; ଟ୍ରମ୍ପଙ୍କ ‘ପିସ୍ ଅଫ୍ ବୋର୍ଡ’ରେ ହେଲାନି ସାମିଲ, ୬୦ ଦେଶକୁ ଥିଲା ନିମନ୍ତ୍ରଣ​​​​​​​

ଏହା ପୂର୍ବରୁ ବାବୁ ଚିରୀ ଶେର୍ପା ୧୯୯୯ରେ ମାଉଣ୍ଟ୍‌ ଏଭରେଷ୍ଟ୍‌ ଶିଖରରେ ଅମ୍ଳଜାନ ବିନା ୨୧ ଘଣ୍ଟା ବିତାଇ ବିଶ୍ୱ ରେକର୍ଡ କରିଥିଲେ । ରୋହତାଶ କହିଛନ୍ତି, ପର୍ବତ ଶିଖରରେ ସ୍ଥିତି ଅତ୍ୟନ୍ତ ଭୟାନକ ଥିଲା । ତାପମାତ୍ରା ବିଯୁକ୍ତ ୫୦ ଡିଗ୍ରୀ ସେଲ୍‌ସିୟସ ଥିବାରୁ ତାଙ୍କର କୌଣସି ସାଥୀ ସାଙ୍ଗରେ ରହିବାକୁ ପ୍ରସ୍ତୁତ ନ ଥିଲେ । ରୋହତାଶ କିନ୍ତୁ ଏକୁଟିଆ ରହିଲେ । ଏହି ସଫଳତାକୁ ସେ ଜାତୀୟ ପତାକା ଓ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ଏଭରେଷ୍ଟ୍‌ର ତାଲିମ ତାଙ୍କୁ ପ୍ରାଣଘାତକ ଥଣ୍ଡାରେ ଜୀବିତ ରହିବା ଓ ଇତିହାସ ରଚିବାକୁ ଶକ୍ତି ଦେଇଥିବା ସେ କହିଛନ୍ତି । ରୋହତାଶ ୨୦୨୧, ମାର୍ଚ୍ଚ ୨୧ରେ ଆଫ୍ରିକା ମହାଦ୍ୱୀପର ସର୍ବୋଚ୍ଚ ଶିଖର ୫,୮୯୫ ମିଟର ଉଚ୍ଚ ମାଉଣ୍ଟ୍‌ କିଲିମଞ୍ଜାରୋରେ ୨୪ ଘଣ୍ଟା ବିତାଇ ତ୍ରିରଙ୍ଗା ଉଡ଼ାଇଥିଲେ । ଏଥିପାଇଁ ତାଙ୍କ ନାଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଥିଲା ।