ନୂଆଦିଲ୍ଲୀ ୨୮/୦୧: ମହାରାଷ୍ଟ୍ର ବାରାମତିରେ ବଡ଼ ଧରଣ ବିମାନ ଦୁର୍ଘଟଣା । ପ୍ଲେନ୍ କ୍ରାସରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ବାରଙ୍କ ଦେହାନ୍ତ । ପୁଣେର ବାରାମତୀ ଅଞ୍ଚଳରେ ବିମାନ ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଏକ ଜନସଭା ପାଇଁ ମୁମ୍ବାଇରୁ ବାରାମତୀ ଯାଉଥିଲେ। ଦୁର୍ଘଟଣା ପରେ ଚିକିତ୍ସା ପାଇଁ ତାଙ୍କୁ ବାରାମତୀ ହସ୍ପିଟାଲକୁ ଅଣାଯାଇଥିଲା, କିନ୍ତୁ ତାଙ୍କ ବଞ୍ଚାଯାଇ ପାରିଲା ନାହିଁ। ତେବେ ଖାଲି ଅଜିତ୍‌ ପାୱାର ନୁହଁନ୍ତି ଭାରତ ତା'ର ଇତିହାସରେ ବିମାନ କିମ୍ବା ହେଲିକପ୍ଟର ଦୁର୍ଘଟଣାରେ ଅନେକ ପ୍ରମୁଖ ରାଜନେତାଙ୍କୁ ହରାଇଛି।

ଗତବର୍ଷ ଜୁନ୍ ୨୦୨୫ରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ହୋଇଥିଲା। ଏବେ ପୁଣେରେ ପୁଣିଥରେ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ଛାତିଥରା ଦୁଃଖଦ ଦୁର୍ଘଟଣାର ଇତିହାସକୁ ମନେ ପକାଇ ଦେଇଛି।

ବିଜୟ ରୂପାଣୀ: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ବିଜୟ ରୂପାଣୀ। ୧୨ ଜୁନ୍ ୨୦୨୫ରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା।ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ସମସ୍ତ ୨୪୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା।

ଦୋର୍ଜେ ଖଣ୍ଡୁ: ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଦୋର୍ଜେ ଖଣ୍ଡୁଙ୍କ ମୃତ୍ୟୁ ୩୦ ଏପ୍ରିଲ ୨୦୧୧ରେ ପବନ ହଂସ ହେଲିକପ୍ଟର ଦୁର୍ଘଟଣାରେ ହୋଇଥିଲା। ସେ ତୱାଙ୍ଗରୁ ଇଟାନଗର ଫେରୁଥିବା ସମୟରେ ଚୀନ ସୀମା ନିକଟରେ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ...ରାଉରକେଲା ବିମାନ ଦୁର୍ଘଟଣା ଘଟଣା : ଜଣେ ମୃତ

ୱାଇ.ଏସ୍. ରାଜଶେଖର ରେଡ୍ଡୀ: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ରାଜଶେଖର ରେଡ୍ଡୀଙ୍କ ମୃତ୍ୟୁ ୨ ସେପ୍ଟେମ୍ବର ୨୦୦୯ରେ ଚିତ୍ତୁର ଜିଲ୍ଲାରେ ଏକ ବେଲ୍ ୪୩୦ ହେଲିକପ୍ଟର ଦୁର୍ଘଟଣାରେ ହୋଇଥିଲା। ଖରାପ ପାଗ ଯୋଗୁଁ ହେଲିକପ୍ଟରଟି ଜଙ୍ଗଲରେ ଖସି ପଡ଼ିଥିଲା।ଦୁର୍ଘଟଣାର ୨୭ ଘଣ୍ଟା ପରେ ରେଡ୍ଡିଙ୍କ ମୃତଦେହ ମିଳିଥିଲା।

ଓ. ପି. ଜିନ୍ଦଲ ଏବଂ ସୁରେନ୍ଦ୍ର ସିଂହ: ତତ୍କାଳୀନ ହରିୟାଣା ଶକ୍ତି ମନ୍ତ୍ରୀ ଓମ୍ ପ୍ରକାଶ ଜିନ୍ଦଲ ଏବଂ କୃଷି ମନ୍ତ୍ରୀ ସୁରେନ୍ଦ୍ର ସିଂହଙ୍କର ୩୧ ମାର୍ଚ୍ଚ ୨୦୦୫ ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।ଦିଲ୍ଲୀରୁ ଚଣ୍ଡିଗଡ଼ ଯାଉଥିବା ତାଙ୍କ ହେଲିକପ୍ଟରଟି ଉତ୍ତର ପ୍ରଦେଶର ସହାରନପୁର ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଇଲଟଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା।

ମାଧବରାଓ ସିନ୍ଧିଆ: ବରିଷ୍ଠ କଂଗ୍ରେସ ନେତା ଏବଂ ଗ୍ୱାଲିୟର ରାଜପରିବାରର ଉତ୍ତରାଧିକାରୀ, ମାଧବରାଓ ସିନ୍ଧିଆ ୩୦ ସେପ୍ଟେମ୍ବର ୨୦୦୧ ରେ ଉତ୍ତର ପ୍ରଦେଶର ମୈନପୁରୀରେ ଏକ ଘରୋଇ ସେସନା ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। କାନପୁରରେ ଏକ ରାଜନୈତିକ ରାଲିକୁ ଯାଉଥିବା ସମୟରେ ବିମାନଟି ଯୋଗାଯୋଗ ବିଚ୍ଛିନ୍ନ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତାଙ୍କ ମୃତ୍ୟୁ କଂଗ୍ରେସ ପାଇଁ ଏକ ବଡ଼ କ୍ଷତି  ଆଣିଥିଲା।

ଜିଏମସି ବାଲାଯୋଗୀ: ଲୋକସଭା ବାଚସ୍ପତି ଏବଂ ପ୍ରମୁଖ ତେଲୁଗୁ ଦେଶମ ପାର୍ଟି ନେତା ଜିଏମସି ବାଲାଯୋଗୀଙ୍କର ୩ ମାର୍ଚ୍ଚ, ୨୦୦୨ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।ସେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ଭୀମାଭରମରୁ ଫେରୁଥିବା ବେଳେ ତାଙ୍କ ହେଲିକପ୍ଟରଟି କୃଷ୍ଣା ଜିଲ୍ଲାର କୈକାଲୁର ନିକଟରେ ଏକ ପୋଖରୀରେ ଖସି ପଡ଼ିଥିଲା।

​​​​​​​

ସଞ୍ଜୟ ଗାନ୍ଧୀ: କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ ସଞ୍ଜୟ ଗାନ୍ଧୀ। ୨୩ ଜୁନ୍ ୧୯୮୦ରେ ଦିଲ୍ଲୀର ସଫଦରଜଙ୍ଗ ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସେ ନିଜେ ବିମାନ ଉଡ଼ାଉଥିଲେ ଏବଂ ଏହି ସମୟରେ ନିୟନ୍ତ୍ରଣ ହରାଇ ବସିଲେ। ୩୩ ବର୍ଷ ବୟସରେ ତାଙ୍କ ମୃତ୍ୟୁ ସାରା ଦେଶରେ ଶୋକର ଛାୟା ଖେଳାଇଥିଲା। ସଂଜୟ ଯୁବ କଂଗ୍ରେସକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁ ପରେ, ତାଙ୍କ ବଡ଼ ଭାଇ ରାଜୀବ ଗାନ୍ଧୀ ରାଜନୀତିରେ ପ୍ରବେଶ କରିଥିଲେ।