ନୂଆଦିଲ୍ଲୀ/ଭୁବନେଶ୍ବର: ଫେବ୍ରୁଆରୀ ୧୫ରୁ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଏଫଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୪-୨୫ ପାଇଁ ଭାରତୀୟ ମହିଳା ଟିମ୍‌ ଘୋଷଣା ହୋଇଛି । ହକି ଇଣ୍ଡିଆ ପକ୍ଷରୁ ୨୪ ସଦସ୍ୟ ବିଶିଷ୍ଟ ଟିମ୍‌ ଘୋଷଣା ହୋଇଥିବା ବେଳେ ଜଣେ ଖେଳାଳିଙ୍କୁ ଷ୍ଟାଣ୍ଡବାୟ ମଧ୍ୟ ରଖାଯାଇଛି । ଭାରତୀୟ ଦଳ ପ୍ରଥମେ ଫେବ୍ରୁଆରୀ ୧୫ରେ ଇଂଲଣ୍ଡ ଟିମ୍‌କୁ ଭେଟିବ ।  

ଏଫଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୪-୨୫ରେ ଭାରତୀୟ ମହିଳା ଦଳର ଅଧିନାୟକ ରହିବେ ସଲୀମା ଟେଟେ । ଏହା ବ୍ୟତୀତ ଫରଓ୍ବାର୍ଡ ଖେଳାଳି ନବନୀତ କୌର ଉପଅଧିନାୟକ ରହିଛନ୍ତି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଫେବ୍ରୁଆରୀ ୧୫ରୁ ୨୫ ଯାଏଁ ହେବାକୁ ଥିବା ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତୀୟ ଦଳ ଇଂଲଣ୍ଡ, ନେଦରଲାଣ୍ଡସ୍‌, ସ୍ପେନ୍‌ ଏବଂ ଜର୍ମାନୀ ସହ ଦୁଇ ଥର ଲେଖାଏଁ ମ୍ୟାଚ୍‌ ଖେଳିବ । ଭାରତୀୟ ଦଳରେ ଷ୍ଟ୍ରାଇକର ବନ୍ଦନା କଟାରିଆଙ୍କୁ ସାମିଲ କରାଯାଇଛି । ସେହିଭଳି ଅନୁଭବୀ ଡିଫେଣ୍ଡର ନିକ୍କି ପ୍ରଧାନ, ଜ୍ୟୋତି ଛତ୍ରୀ, ମିଡ୍‌ ଫିଲ୍ଡର ବଲଜୀତ କୌର ଏବଂ ଫରଓ୍ବାଡ୍‌ ଖେଳାଳି ମମତାଜ ଖାନଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି ।




ଗୋଲ କିପ୍‌ର – ସବିତା, ବିଚୁ ଦେବୀ ଖାରିବାମ 

ଡିଫେଣ୍ଡର- ସୁଶୀଳା ଚାନୁ, ନିକ୍କି ପ୍ରଧାନ, ଉଦିତା, ଜ୍ୟୋତି, ଇଶିକା ଚୌଧୁରୀ, ଜ୍ୟୋତି ଛତ୍ରୀ 

ମିଡ୍‌ ଫିଲ୍ଡର- ବୈଷ୍ଣବୀ ବିଠଲ ଫାଲକେ, ନେହା, ମନୀଷା ଚୌହାନ, ସଲୀମା ଟେଟେ (ଅଧିନାୟକ), ସୁନେଲିତା ଟୋପୋ, ଲାଲରେମସିଆମୀ, ବଲଜିତ କୌର, ଶର୍ମୀଳା ଦେବୀ 

ଫରଓ୍ବାର୍ଡ- ନବନୀତ କୌର (ଉପଅଧିନାୟକ), ମମତାଜ ଖାନ, ପ୍ରୀତି ଦୁବେ, ରୁତାଜା ନିସାଲ,  ବିୟୁଟି ଡୁଙ୍ଗଡୁଙ୍ଗ, ସଙ୍ଗୀତା କୁମାରୀ, ଦୀପିକା, ବନ୍ଦନା କଟାରିଆ ।

ସୂଚନାଯୋଗ୍ୟ, ଏଫଆଇଏଚ୍‌ ପ୍ରୋ ଲିଗ୍‌ ଲାଗି ଭାରତୀୟ ଦଳରେ ଦୁଇ ଜଣ ଓଡ଼ିଶା ଖେଳାଳି ସାମିଲ ହୋଇଛନ୍ତି । ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ସୁନେଲିତା ଟୋପୋ ଏବଂ ଜ୍ୟୋତି ଛତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛି ଓଡ଼ିଶା ହକି ଆସୋସିଏସନ୍‌ ।