ଅସହନୀୟ ମାର୍ଗରେ ଘଟୁଥିବା ବିକାଶ ପ୍ରକ୍ରିୟା, ଜଳବାୟୁ ପରିବର୍ତ୍ତନର ନକାରାତ୍ମକ ପ୍ରଭାବ ଭାରତର ପ୍ରାକୃତିକ ଐତିହ୍ୟ ପ୍ରତି ବିପଦ ବୃଦ୍ଧି କରୁଛି । ତଥାପି ମାନବ ବନ୍ୟଜନ୍ତୁ ବିବାଦକୁ ପ୍ରଶମିତ କରିବା ଏବଂ ଜୀବଜାତିଙ୍କର ପୁନରୁଦ୍ଧାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବନ୍ୟଜନ୍ତୁ କରିଡର ସ୍ଥାପନ, ସ୍ଥାନାନ୍ତରଣ ପ୍ରକଳ୍ପ ପ୍ରଶଂସାଯୋଗ୍ୟ । ଆଗାମୀ ପିଢ଼ି ନିମନ୍ତେ ଭାରତର ସମୃଦ୍ଧ ଜୈବବିବିଧତାର ସୁରକ୍ଷାକୁ ନିଶ୍ଚିତ କରିବାକୁ, ସଂରକ୍ଷଣ ନୀତିକୁ ସୁଦୃଢ଼ କରିବା ଏକ ଆହ୍ୱାନ ।
ବିଶ୍ୱସ୍ତରରେ ସର୍ବପ୍ରଥମ ପ୍ରକୃତି ସଂରକ୍ଷଣ ସୂଚକାଙ୍କ ସମ୍ପ୍ରତି ଗତ ଅକ୍ଟୋବରରେ ଇସ୍ରାଏଲର ନେଗେଭ୍ସ୍ଥ ବେନ୍-ଗୁରିଅନ୍ ବିଶ୍ୱବିଦ୍ୟାଳୟର ‘ଗୋଲ୍ଡମ୍ୟାନ୍ ସୋନେନଫେଲ୍ଡ ସ୍କୁଲ୍ ଅଫ୍ ସଷ୍ଟେନେବିଲିଟି ଆଣ୍ଡ କ୍ଲାଇମେଟ୍ ଚେଞ୍ଜ୍’ ଏବଂ ଏକ ଅଣ-ଲାଭକରୀ ୱେବ୍ସାଇଟ୍ ‘ବାୟାଡିବି’ ଆନୁକୂଲ୍ୟରେ ପ୍ରକାଶିତ ହୋଇଛି । ଚାରୋଟି ଚିହ୍ନଟକାରୀ (ମାର୍କର୍)ର ବ୍ୟବହାର ଦ୍ୱାରା ସଂରକ୍ଷଣ ପ୍ରୟାସର ମୂଲ୍ୟାଙ୍କନ ହୋଇଛି, ଯାହା ହେଉଛି ଭୂମି ପରିଚାଳନା, ଜୈବବିବିଧତା ପ୍ରତି ବିପଦ, ଦକ୍ଷତା ଓ ଶାସନ ବ୍ୟବସ୍ଥା ଏବଂ ଭବିଷ୍ୟତର ଧାରା । ପରିତାପର ବିଷୟ ହେଉଛି ଯେ ସମଗ୍ର ବିଶ୍ୱର ୧୮୦ଟି ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ତାଲିକା ମଧ୍ୟରେ ଭାରତର ସ୍ଥାନ ନିମ୍ନଭାଗରେ ୧୭୬ରେ ରହିଛି, ଯାହାର ପରବର୍ତ୍ତୀ କ୍ରମରେ ରହିଛନ୍ତି ମାଇକ୍ରୋନେସିଆ (୧୭୭), ଇରାକ (୧୭୮), ତୁର୍କୀ (୧୭୯) ଏବଂ କିରିବାଟି (୧୮୦) । ଏହି ତାଲିକାରେ ସ୍ୱଳ୍ପ ନମ୍ବର ହାସଲ ନିମନ୍ତେ ମୁଖ୍ୟତଃ ଗୋଟିଏ ରାଷ୍ଟ୍ରରେ ଜୈବବିବିଧତା ପ୍ରତି ଥିବା ବିପଦ ଏବଂ ଭୂମିର ଅପାରଗ ପରିଚାଳନାକୁ ଦାୟୀ କରାଯାଇଛି ।
ଅନୁସନ୍ଧାନକାରୀଙ୍କ ମତାନୁଯାୟୀ ଭାରତ ଉଭୟ ଉଦ୍ବେଗଜନକ ଜୈବବିବିଧତା ଆହ୍ୱାନ ଏବଂ ଆଶାପ୍ରଦ ସୁଯୋଗର ସମ୍ମୁଖୀନ ହୋଇଛି । ବିଶ୍ୱର ସର୍ବାଧିକ ଜନବହୁଳ ଅଞ୍ଚଳ ମଧ୍ୟରେ ଅନ୍ତର୍ଭୁକ୍ତ ଏହି ରାଷ୍ଟ୍ରର ଜନସଂଖ୍ୟାର ସାନ୍ଦ୍ରତା ହିଁ ଏହାର ଜୈବବିବିଧତା ସମୃଦ୍ଧତାକୁ କ୍ରମାଗତ ଚାପଗ୍ରସ୍ତ ଏବଂ ବିପଦସଂକୁଳ ଅବସ୍ଥାରେ ଉପନୀତ କରାଇଛି । ବର୍ଦ୍ଧିତ ସହରୀକରଣ, ଦ୍ରୁତ ଶିଳ୍ପାୟନ ଏବଂ କୃଷିର ପ୍ରସାର ତଥା ଭିତ୍ତିଭୂମି ବିକାଶ ଉଦ୍ଦେଶ୍ୟରେ ଭୂମିର ରୂପାନ୍ତରଣ ଏବେ ୫୩% ରେ ପହଞ୍ଚିଥିବାରୁ ଦେଶରେ ସହନୀୟ ଭୂମି ବ୍ୟବହାର ଅଭ୍ୟାସର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏସବୁ ପ୍ରକ୍ରିୟାରେ ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବା ଏବଂ ପରିସଂସ୍ଥା ବିଖଣ୍ଡିତ ହେବା ଜୈବବିବିଧତା ପାଇଁ ବିପଦ ସୃଷ୍ଟିର କାରଣ ପାଲଟୁଛି ।
ରିପୋର୍ଟରେ ଦର୍ଶାଯାଇଛି ଯେ ଜଙ୍ଗଲ ନଷ୍ଟହେବା ପ୍ରକ୍ରିୟା ହେତୁ ୨୦୦୧ରୁ ୨୦୧୯ ମଧ୍ୟରେ ଦେଶରେ ୨୩,୩୦୦ ବର୍ଗ କିମି ବୃକ୍ଷ ଆଚ୍ଛାଦନ ହ୍ରାସ ପାଇଛି । ଏହି ପରିପ୍ରେକ୍ଷୀରେ ନିରନ୍ତର ବିକାଶକୁ ସମର୍ଥନ କରୁଥିବା ନିୟମର ପ୍ରଣୟନ, ସଂରକ୍ଷଣ ପାଇଁ ଆବଶ୍ୟକ ପାଣ୍ଠିର ଆବଣ୍ଟନ ଏବଂ ଦକ୍ଷ ସଂରକ୍ଷଣ ପଦକ୍ଷେପକୁ ପ୍ରୋତ୍ସାହିତ କରୁଥିବା ନୀତି ନିର୍ଣ୍ଣୟକାରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟଧାରା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ।
ଏହା ଉଲ୍ଲେଖଯୋଗ୍ୟ ଯେ ଜୀବଜାତିଙ୍କର ପ୍ରାଚୁର୍ଯ୍ୟ ନିମନ୍ତେ ପୃଥିବୀରେ ଚିହ୍ନିତ ୧୭ଟି ମହା-ଜୈବବିବିଧତା ରାଷ୍ଟ୍ରଗୁଡିକ ମଧ୍ୟରେ ଭାରତ ଅନ୍ୟତମ । ବିଭିନ୍ନ ପରିବେଶୀୟ ଅବସ୍ଥିତିରେ ଏଠାରେ ଜଙ୍ଗଲ, ତୃଣଭୂମି, ଆର୍ଦ୍ରଭୂମି, ମରୁଭୂମି ଏବଂ ଉପକୂଳ ତଥା ସାମୁଦ୍ରିକ ପରିସଂସ୍ଥା ପରି ପ୍ରାକୃତିକ ବାସସ୍ଥଳୀରେ ବହୁବିଧ ଜାତିର ଉଦ୍ଭିଦ ଏବଂ ଜୀବଜନ୍ତୁ ଉପଲବ୍ଧ ଅଛନ୍ତି । ପୃଥିବୀର ଭୂଭାଗର ୨.୪ ଶତାଂଶ ଅଧିକୃତ କରିଥିବା ଭାରତ କିନ୍ତୁ ବିଶ୍ୱର ୭-୮ ଶତାଂଶ ଜୀବଜାତିଙ୍କର ବାସସ୍ଥଳୀ, ଯାହା ଏହାର ଦଶଟି ଜୈବ-ଭୌଗୋଳିକ ଅଞ୍ଚଳରେ ଚିହ୍ନଟ ହୋଇଥିବା ପ୍ରାୟ ୯୧,୨୦୦ ଜାତିର ପ୍ରାଣୀ ଏବଂ ୪୫,୫୦୦ ଜାତିର ଉଦ୍ଭିଦକୁ ଅନ୍ତର୍ଭୁକ୍ତ କରେ । ବିଶ୍ୱରେ ଏପର୍ଯ୍ୟନ୍ତ ଲିପିବଦ୍ଧ ହୋଇଥିବା ଜୀବଜାତି ମଧ୍ୟରୁ ସ୍ତନ୍ୟପାୟୀ ଜାତିର ୮.୫୮%, ପକ୍ଷୀ ଜାତିର ୧୩.୬୬%, ସରୀସୃପ ଜାତିର ୭.୯୧%, ଉଭୟଚର ଜାତିର ୪.୬୬%, ମତ୍ସ୍ୟ ଜାତିର ୧୧.୭୨% ଏବଂ ଉଦ୍ଭିଦ ଜାତିର ୧୧.୮୦% ଭାରତରେ ରହିଛି, ଯେଉଁଥିରୁ ଅନେକ ପୃଥିବୀର ଅନ୍ୟ କେଉଁଠାରେ ଉପଲବ୍ଧ ହୁଅନ୍ତି ନାହିଁ । ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଚିହ୍ନିତ ୩୪ଟି ଜୈବବିବିଧତା ହଟସ୍ପଟ୍ ମଧ୍ୟରୁ ହିମାଳୟ ପାର୍ବତ୍ୟାଞ୍ଚଳ, ଭାରତ-ବର୍ମା ସୀମାଞ୍ଚଳ, ପାଶ୍ଚାତ୍ୟ ଘାଟ ଏବଂ ସୁଣ୍ଡାଲାଣ୍ଡ (ନିକୋବର ଦ୍ୱୀପପୁଞ୍ଜ) ପରି ଚାରିଟିକୁ ଭାରତ ପ୍ରତିନିଧିତ୍ୱ କରୁଛି ।
ଏହି କ୍ଷେତ୍ରଗୁଡ଼ିକ କେବଳ ସଂରକ୍ଷଣ ପ୍ରୟାସ ଉଦ୍ଦେଶ୍ୟରେ ନୁହେଁ, ବରଂ ବିଶ୍ୱର ଜୈବବିବିଧତା ବଜାୟ ରଖିବା ନିମନ୍ତେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି ଜୈବବିବିଧତାପୂର୍ଣ୍ଣ ପରିବେଶ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଲୋକଙ୍କର ଜୀବିକା ନିର୍ବାହ କ୍ଷେତ୍ରକୁ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖେ । ଭାରତ ମଧ୍ୟ ଜୈବିକ ଉତ୍ସ ସହିତ ଜଡ଼ିତ ପାରମ୍ପରିକ ଜ୍ଞାନର ଏକ ବିଶାଳ ଭଣ୍ଡାର । ମାତ୍ର ଅସହନୀୟ ମାର୍ଗରେ ଘଟୁଥିବା ବିକାଶ ପ୍ରକ୍ରିୟା ସହିତ ଜଳବାୟୁ ପରିବର୍ତ୍ତନର ନକାରାତ୍ମକ ପ୍ରଭାବ ଭାରତର ପ୍ରାକୃତିକ ଐତିହ୍ୟ ପ୍ରତି ବିପଦ ବୃଦ୍ଧି କରୁଛି । ଭାରତରେ ପ୍ରକୃତି ସଂରକ୍ଷଣର ସାମ୍ପ୍ରତିକ ସ୍ଥିତିକୁ ହୃଦୟଙ୍ଗମ କରିବା ନିମନ୍ତେ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ହାସଲ ହୋଇଥିବା ସଫଳତା ଏବଂ ଏହା ସମ୍ମୁଖୀନ ହେଉଥିବା ଆହ୍ୱାନ ଉଭୟକୁ ଅନୁସନ୍ଧାନ କରିବା ଏକାନ୍ତ ଅପରିହାର୍ଯ୍ୟ । ଜୈବବିବିଧତାର ସୁରକ୍ଷା ନିମନ୍ତେ ସଂରକ୍ଷିତ ଅଞ୍ଚଳ ସ୍ଥାପନରେ ଭାରତ ପ୍ରୟୋଜନୀୟ ପଦକ୍ଷେପ ଗ୍ରହଣ କରି ଅଗ୍ରଗତି ହାସଲ କରିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ବିଜ୍ଞପ୍ତିପ୍ରାପ୍ତ ୫୭୩ଟି ବନ୍ୟଜନ୍ତୁ ଅଭୟାରଣ୍ୟ, ୧୦୬ଟି ଜାତୀୟ ଉଦ୍ୟାନ, ୧୮ଟି ସଂରକ୍ଷିତ ଜୈବମଣ୍ଡଳ ଏବଂ ୩୧ଟି ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ସମେତ ୧,୫୦୦ରୁ ଅଧିକ ସଂରକ୍ଷିତ ଅଞ୍ଚଳ ସ୍ଥାପିତ ହୋଇଛି, ଯାହା ସ୍ଥଳଭାଗର ପ୍ରାୟ ୫%କୁ ଅନ୍ତର୍ଭୁକ୍ତ କରେ ।
ଉଲ୍ଲେଖନୀୟ ଦୃଷ୍ଟାନ୍ତ ମଧ୍ୟରେ ଉତ୍ତରାଖଣ୍ଡର ଜିମ୍ କରବେଟ୍ ଜାତୀୟ ଉଦ୍ୟାନ, ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ, ପଶ୍ଚିମବଙ୍ଗର ସୁନ୍ଦରବନ ହେନ୍ତାଳବନ ପ୍ରଭୃତି ଅନ୍ତର୍ଭୁକ୍ତ, ଯାହା ମହାବଳ ବାଘ, ଏକ-ଶିଙ୍ଗା ଗଣ୍ଡା ଏବଂ ବଉଳା କୁମ୍ଭୀର ପରି ପ୍ରଜାତିର ସଂରକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ବହୁବିଧ ଆହ୍ୱାନର ଉପସ୍ଥିତି ସତ୍ତେ୍ୱ ଦେଶରେ ଅନେକ ସଫଳତାର କାହାଣୀ ମଧ୍ୟ ଉପଲବ୍ଧ ରହିଛି, ଯାହା ଭାରତରେ ପ୍ରଭାବଶାଳୀ ସଂରକ୍ଷଣର ସମ୍ଭାବନାକୁ ଆଲୋକିତ କରେ । ୧୯୭୩ରେ ଆରମ୍ଭ ହୋଇଥିବା ‘ବ୍ୟାଘ୍ର ପ୍ରକଳ୍ପ’ ଅଧୀନରେ ସମ୍ପ୍ରତି ଦେଶରେ ସମୁଦାୟ ୫୫ଟି ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ସ୍ଥାପିତ ହୋଇଛି । ଗୃହୀତ ପ୍ରଭାବଶାଳୀ ପଦକ୍ଷେପ ଦ୍ୱାରା ବାଘ ସଂଖ୍ୟା ପ୍ରାୟ ୧,୮୦୦ରୁ ୨୦୨୩ରେ ହାରାହାରି ୩,୬୮୨କୁ ବୃଦ୍ଧିପ୍ରାପ୍ତ ହୋଇଛି, ଯାହା ପ୍ରଶଂସନୀୟ ଅଭିବୃଦ୍ଧିକୁ ପ୍ରତିଫଳିତ କରିବା ସହ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଆଶାର ଆଲୋକ ସଞ୍ଚାର କରିଛି । ସେହିପରି, ଗୁଜରାଟର ଗିର୍ ଜଙ୍ଗଲ ଜାତୀୟ ଉଦ୍ୟାନରେ ଏସୀୟ ସିଂହ ସଂରକ୍ଷଣ ପାଇଁ ହୋଇଥିବା ପ୍ରୟାସ ସେମାନଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇଛି ।
ଆଫ୍ରିକାରୁ ସ୍ଥାନାନ୍ତରଣ କରି ମଧ୍ୟପ୍ରଦେଶର କୁନା ଜାତୀୟ ଉଦ୍ୟାନରେ ଚିତାବାଘକୁ ପୁନଃସ୍ଥାପିତ କରିବାର ପ୍ରୟାସ ହେଉଛି ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ, ଯାହା ହେଉଛି ଭାରତରେ ବିଲୁପ୍ତ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ବନ୍ୟପ୍ରାଣୀକୁ ଏହାର ପ୍ରାକୃତିକ ବାସସ୍ଥଳୀକୁ ଫେରାଇ ଆଣିବାର ଏକ ପ୍ରତିବଦ୍ଧ ପ୍ରଚେଷ୍ଟା । ମାନବ-ବନ୍ୟଜନ୍ତୁ ବିବାଦକୁ ପ୍ରଶମିତ କରିବା ଏବଂ ଜୀବଜାତିଙ୍କର ପୁନରୁଦ୍ଧାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବନ୍ୟଜନ୍ତୁ କରିଡର ସ୍ଥାପନ ଏବଂ ସ୍ଥାନାନ୍ତରଣ ପ୍ରକଳ୍ପ ଭଳି ଅଭିନବ ଉପାୟର ଅବଲମ୍ବନ ମଧ୍ୟ ପ୍ରଶଂସନୀୟ । ଭାରତରେ ପ୍ରକୃତି ସଂରକ୍ଷଣ ନିମନ୍ତେ ଆଇନଗତ ଢାଞ୍ଚା ମଧ୍ୟ ସୁଦୃଢ଼, ଯେଉଁଥିରେ ଅନେକ ପ୍ରମୁଖ ନୀତିନିୟମ ଏବଂ ଆଇନର ପ୍ରାବଧାନ ରହିଛି । ୧୯୭୨ର ବନ୍ୟଜନ୍ତୁ ସୁରକ୍ଷା ଆଇନ୍, ୧୯୮୦ର ଜଙ୍ଗଲ ସଂରକ୍ଷଣ ଆଇନ୍, ୧୯୮୬ର ପରିବେଶ ସୁରକ୍ଷା ଆଇନ ଏବଂ ୨୦୦୨ର ଜୈବବିବିଧତା ଆଇନ ବନ୍ୟଜନ୍ତୁ ଏବଂ ଜଙ୍ଗଲକୁ ପ୍ରଭାବିତ କରୁଥିବା ନକାରାତ୍ମକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏଥିସହ, ଭାରତ ବିଭିନ୍ନ ଅନ୍ତର୍ଜାତୀୟ ଚୁକ୍ତିନାମାରେ ଏକ ସ୍ୱାକ୍ଷରକାରୀ, ଯେପରିକି ବିପଦଗ୍ରସ୍ତ ବନ୍ୟଜନ୍ତୁ ଏବଂ ଉଦ୍ଭିଦ ଜାତିର ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ସମ୍ମିଳନୀ (ସାଇଟସ୍), ଜୈବବିବିଧତା ସମ୍ମିଳନୀ (ସିବିଡି) ଏବଂ ଆର୍ଦ୍ରଭୂମି ଉପରେ ରାମସର୍ ସମ୍ମିଳନୀ, ଯାହା ବିଶ୍ୱ ସଂରକ୍ଷଣ ପ୍ରୟାସ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦର୍ଶାଏ ।
୨୦୦୩ରେ ଆରମ୍ଭ ହୋଇଥିବା ଜାତୀୟ ଜୈବବିବିଧତା କାର୍ଯ୍ୟ ଯୋଜନା, ସଂରକ୍ଷଣ, ସହନୀୟ ବ୍ୟବହାର ଏବଂ ଜୈବବିବିଧତାରୁ ଉତ୍ପନ୍ନ ଲାଭର ସମାନ ବଣ୍ଟନକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖେ । ଏହା ଜନଜାତି ତଥା ସ୍ଥାନୀୟ ସମ୍ପ୍ରଦାୟର ଭୂମିକାକୁ ଗୁରୁତ୍ୱ ପ୍ରଦାନ କରି ସଂରକ୍ଷଣ ପଦକ୍ଷେପଗୁଡ଼ିକରେ ସମ୍ପ୍ରଦାୟର ଯୋଗଦାନକୁ ଅଗ୍ରାଧିକାର ଦିଏ, କାରଣ ଏହା ହେଉଛି ସଫଳ ସଂରକ୍ଷଣର ମୂଳଦୁଆ । ଉଦାହରଣ ସ୍ୱରୂପ, ନୀଳଗିରି ଏବଂ ରାଜସ୍ଥାନ ପରି କେତେକ ଅଞ୍ଚଳରେ ଗୃହୀତ ପଦକ୍ଷେପ ସ୍ଥାନୀୟ ଜନସାଧାରଣଙ୍କୁ ସହନୀୟ ଅଭ୍ୟାସରେ ଅଭ୍ୟସ୍ତ ହେବାକୁ ସକ୍ଷମ କରିଛି, ଯାହାଦ୍ୱରା ବନ୍ୟଜନ୍ତୁ ଶିକାର ଏବଂ ବାସସ୍ଥଳୀ ନଷ୍ଟ ହେବା ହ୍ରାସ ପାଇଛି । ଏପରି ଅନେକ ଅଭ୍ୟାସ ଦୀର୍ଘ ବର୍ଷ ଧରି ପ୍ରଚଳିତ ରହିଛି, ଯାହା ସ୍ଥାୟୀ ସମ୍ବଳ ପରିଚାଳନା ଏବଂ ଜୈବବିବିଧତା ସଂରକ୍ଷଣ ପ୍ରସଙ୍ଗରେ ଅମୂଲ୍ୟ ଜ୍ଞାନ ପ୍ରଦାନକାରୀ । ଭାରତରେ ପ୍ରକୃତି ସଂରକ୍ଷଣ ହେଉଛି ଆହ୍ୱାନ ଏବଂ ସୁଯାଗର ଏକ ଜଟିଳ ସମାହାର । ଆଇନ ପ୍ରଣୟନ, ସମ୍ପ୍ରଦାୟର ସମ୍ପୃକ୍ତି ଏବଂ ସଂରକ୍ଷଣ କାର୍ଯ୍ୟକ୍ରମ ଗ୍ରହଣ ମାଧ୍ୟମରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା ବେଳେ ବିଭିନ୍ନ ଭାବରେ ପ୍ରାକୃତିକ ବାସସ୍ଥଳୀର ନଷ୍ଟ ଏବଂ ଭୂମି, ଜଳ ଓ ବାୟୁଜନିତ ପରିବେଶ ପ୍ରଦୂଷଣ ଦ୍ୱାରା ସୃଷ୍ଟ ବିପଦ କ୍ରମଶଃ ଭୟଙ୍କର ରୂପ ଧାରଣ କରୁଛି ।
ପବିତ୍ର ବିବେଚିତ ଗଙ୍ଗା ନଦୀର ଜଳ ଗମ୍ଭୀର ପ୍ରଦୂଷଣର ସମ୍ମୁଖୀନ ହେବା ପରିପ୍ରେକ୍ଷୀରେ ଏହାର ଜଳଚର ଜୀବ ଏବଂ ଜଳ ଉପରେ ନିର୍ଭରଶୀଳ ମାନବ ସମ୍ପ୍ରଦାୟ ବିଶେଷ ରୂପେ ପ୍ରଭାବିତ ହେଉଛନ୍ତି । ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ସାମ୍ପ୍ରତିକ ସମୟର ଅନ୍ୟ ଏକ ବିପଦପୂର୍ଣ୍ଣ ଘଟଣା । ପରିଣାମରେ, ଅପ୍ରତ୍ୟାଶିତ ପାଣିପାଗର ଢାଞ୍ଚା ପରିସଂସ୍ଥାଗୁଡିକୁ ଚାପଗ୍ରସ୍ତ କରି ଜୀବଜାତିର ବଣ୍ଟନ ଏବଂ ପ୍ରଜନନ ପ୍ରକ୍ରିୟାକୁ ପ୍ରଭାବିତ କରୁଛି । ଜଳବାୟୁ ସଙ୍କଟ ପଶ୍ଚିମ ଘାଟରେ କେତେକ ପ୍ରଜାତିର ବିତରଣକୁ ପ୍ରଭାବିତ କରିସାରିଲାଣି, ଯାହା ଏହି ଅଞ୍ଚଳର ଜୈବବିବିଧତାର ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଗାମୀ ପିଢ଼ି ନିମନ୍ତେ ଭାରତର ସମୃଦ୍ଧ ଜୈବବିବିଧତାର ସୁରକ୍ଷାକୁ ନିଶ୍ଚିତ କରିବାକୁ, ସଂରକ୍ଷଣ ନୀତିକୁ ସୁଦୃଢ଼ କରିବା, ସହନୀୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ଜନସଚେତନତା ତଥା ଜଡ଼ିତ ହେବାକୁ ଅଗ୍ରାଧିକାର ଦେବା ଅତ୍ୟନ୍ତ ପ୍ରୟାଜନୀୟ ।
ପରିଶେଷରେ, ଭାରତରେ ପ୍ରକୃତି ସଂରକ୍ଷଣର ଭବିଷ୍ୟତ ସରକାରୀ ସଂସ୍ଥା, ସ୍ଥାନୀୟ ସମ୍ପ୍ରଦାୟ, ବେସରକାରୀ ସଂଗଠନ ଏବଂ ଘରୋଇ କ୍ଷେତ୍ରମାନଙ୍କର ମିଳିତ ପ୍ରୟାସ ଉପରେ ନିର୍ଭରଶୀଳ । ପ୍ରତିବଦ୍ଧତା ଏବଂ ଅଭିନବ ରଣନୀତି ମାଧ୍ୟମରେ ବିବିଧ ବୃକ୍ଷ ଓ ପ୍ରାଣୀଙ୍କୁ ପୂଜା କରିବାର ପ୍ରାଚୀନ ପରମ୍ପରାରେ ଋଦ୍ଧିମନ୍ତ ଦେଶ ଭାରତ ଏହାର ପ୍ରାକୃତିକ ଐତିହ୍ୟର ସୁରକ୍ଷା ଜାରି ରଖି ଲୋକମାନଙ୍କର ଆବଶ୍ୟକତା ପୂରଣ କରିପାରିବ । ଅନ୍ୟଥା, ଆଗାମୀ ଦିନର ସୂଚିରେ ଭାରତ ପୁଣି ନିମ୍ନତମ ସ୍ଥାନ ଅଧିକାର କରିବା ସହିତ ପ୍ରାକୃତିକ ସମ୍ପଦର କ୍ରମହ୍ରାସନ ଦ୍ୱାରା ରାଷ୍ଟ୍ରର ଅଧିବାସୀମାନଙ୍କୁ ସମ୍ବଳ ଉପଲବ୍ଧିରୁ ବଞ୍ଚିତ କରିବ।