ନୂଆଦିଲ୍ଲୀ,୩୦/୦୯: ଭାରତ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ପାଇଁ ୨୭୧ ରନର ଟାର୍ଗେଟ ଦେଇଛି। ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ଏହି ବର୍ଷା ପ୍ରଭାବିତ ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତର ଓପନର୍ ବ୍ୟାଟର ତଥା ବିଶ୍ୱର ନମ୍ବର ୧ ବ୍ୟାଟର ସ୍ମୃତି ମନ୍ଧାନା ମାତ୍ର ୮ ରନ କରି ଆଉଟ ହୋଇଥିଲେ। ତଥାପି, ଅଷ୍ଟମ ସ୍ଥାନରେ ବ୍ୟାଟିଂ କରୁଥିବା ଦୀପ୍ତି ଶର୍ମା ଏବଂ ଅମନଜୋତ କୌର ଭାରତ ପାଇଁ ୫୭ ରନର ଦୃଢ଼ ଇନିଂସ ଖେଳିଥିଲେ। ଭାରତୀୟ ଦଳର ଆରମ୍ଭ ଖରାପ ହୋଇଥିଲା, କାରଣ ଫର୍ମରେ ଥିବା ବ୍ୟାଟର ସ୍ମୃତି ମନ୍ଧାନା ମାତ୍ର ୮ ରନ କରି ଆଉଟ ହୋଇଥିଲେ। ମନ୍ଧାନା ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତାର ଦୁଇଟି ଶତକ ହାସଲ କରିଥିଲେ, କିନ୍ତୁ ସେ ବିଶ୍ୱକପର ପ୍ରଥମ ମ୍ୟାଚ୍ରେ ହିଁ ବିଫଳ ହୋଇଥିଲେ।
ଭାରତର ସ୍କୋର ୨୬୯, ତାହେଲେ ଟାର୍ଗେଟ ୨୭୧ କେମିତି ?
ଏହି ମ୍ୟାଚ୍ରେ ଭାରତୀୟ ଦଳ ୨୬୯ ରନ୍ କରିଥିଲା, ତେବେ ଶ୍ରୀଲଙ୍କା ୨୭୧ ରନ୍ର ଟାର୍ଗେଟ କିପରି ହାସଲ କଲା ବୋଲି ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ। ମ୍ୟାଚ୍ ସମୟରେ ବର୍ଷା ହେବା ଫଳରେ ପ୍ରତି ଇନିଂସରେ ଓଭର ସଂଖ୍ୟା ୪୭କୁ ହ୍ରାସ ପାଇଲା। ଟିମ୍ ଇଣ୍ଡିଆ ମୋଟ ୨୬୯ ରନ୍ କରିଥିଲା, କିନ୍ତୁ ଡିଏଲ୍ଏସ୍ ପଦ୍ଧତି ଯୋଗୁଁ ଶ୍ରୀଲଙ୍କାକୁ ଜିତିବା ପାଇଁ ୪୭ ଓଭରରେ ୨୭୧ ରନ୍ କରିବାକୁ ପଡ଼ିବ।
ମଝିରେ ଭାରତ ମାତ୍ର ୧୨୪ ରନରେ ୬ଟି ୱିକେଟ ହରାଇଥିଲା। ପ୍ରତୀକା ରାୱଲ ୩୭ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟିକା ହରମନପ୍ରୀତ କୌର ମାତ୍ର ୨୧ ରନ କରି ଆଉଟ ହୋଇଥିଲେ। ହରଲିନ୍ ଦେଓଲ ୪୮ ରନ କରିଥିବା ବେଳେ ଜେମିମାହ ରଡ୍ରିଗ୍ସ ପ୍ରଥମ ବଲରେ ଆଉଟ ହୋଇଥିଲେ। ୱିକେଟକିପର ରିଚା ଘୋଷ ମଧ୍ୟ ମାତ୍ର ଦୁଇ ରନ କରିପାରିଥିଲେ।
ଏହି କଠିନ ପରିସ୍ଥିତିରେ ଦୀପ୍ତି ଶର୍ମା ଏବଂ ଅମନଜୋତ କୌର ୧୦୩ ରନର ଭାଗୀଦାରି କରି ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଦୀପ୍ତି ୫୩ ରନ, କୌର ୫୮ ରନର ଅବଦାନ ରଖିଥିଲେ। ଗୋଟିଏ ସମୟରେ ଲାଗୁଥିଲା ଯେ ଭାରତ ପ୍ରାୟ ୨୫୦ ରନରେ ପହଞ୍ଚିବ, କିନ୍ତୁ ସ୍ନେହ ରାଣା ୧୫ ବଲରେ ୨୮ ରନର ଏକ ବିରାଟ ଇନିଂସ ଖେଳି ଭାରତକୁ ୨୬୯ ରନର ବିଶାଳ ସ୍କୋରରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ।