ବେଙ୍ଗାଲୁରୁ,୨୮/୦୧: ଇନଫୋସିସ୍ ସହ ପ୍ରତିଷ୍ଠାତା ସେନାପତି କ୍ରିସ୍ ଗୋପାଳକ୍ରିଷ୍ଣନଙ୍କ ନାମରେ ମାମଲା ରଜ୍ଜୁ ହୋଇଛି । ଜଣେ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେବା ପରେ ଅଡୁଆରେ ପଡିଛନ୍ତି ଇନଫୋସିସ୍ ସହ ପ୍ରତିଷ୍ଠାତା । ଜଣେ ଆଦିବାସୀ ଅଭିଯୋଗକାରୀ ଗମ୍ଭୀର ଅଭିଯୋଗ ଆଣିବା ପରେ କର୍ଣ୍ଣାଟକର ସଦାଶିବ ନଗର ପୋଲିସ ଷ୍ଟେସନରେ ମାମଲା ଦାୟର ହୋଇଛି । 

୭୧ତମ ସିଭିଲ ଓ ସେସନ କୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରଜ୍ଜୁ ହୋଇଛି । କ୍ରିସ୍ ଗୋପାଳକ୍ରିଷ୍ଣନ ଓ ପୂର୍ବ ଆଇଆଇଏସ ନିର୍ଦ୍ଦେଶକ ବଳରାମଙ୍କ ସମେତ ୧୮ ଜଣଙ୍କ ନାମରେ ଏସସି/ଏସଟି  ନିବାରଣ ଅଧିନିୟମରେ ମାମଲା ରଜ୍ଜୁ ହୋଇଛି । ଏହି ମାମଲାରେ ଆଇଆଇଏସ ପ୍ରଶାସନ କିମ୍ବା ଗୋପାଳକ୍ରିଷ୍ଣାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

କଣ ପୂରା ମାମଲା- ଅଭିଯୋଗକାରୀ ଦୁର୍ଗପ୍ପା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସର(ଆଇଆଇଏସ) ସେଣ୍ଟର ଅଫ୍ ସଷ୍ଟେନେବୁଲ ଟେକ୍ନୋଲୋଜିରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ୨୦୧୪ରେ  ହନି ଟ୍ରାପ ମାମଲାରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ହନି ଟ୍ରାପ ମାମଲାରେ ତାଙ୍କୁ ଫସାଇ ଦିଆଯାଇଥିବା କହିଥିଲେ ଅଭିଯୋଗକାରୀ । ଦୁର୍ଗପ୍ପାଙ୍କୁ ଜାତିସୂଚିତ ଶଦ୍ଦ ବ୍ୟବହାର କରି ତାଙ୍କୁ ଅପମାନ ଦିଆଯାଇଥିବା ସହ ଧମକା ଯାଇଥିବା ଅଭିଯୋଗ କରିଛନ୍ତି ଦୁର୍ଗପ୍ପା । ଅଭିଯୋଗରେ ନ୍ୟାୟ ଦାବି କରିଛନ୍ତି ଅଭିଯୋଗକାରୀ । ଦୁର୍ଗପ୍ପା ଆଦିବାସୀ ବୋଭି ସମ୍ପ୍ରଦାୟର ।

ଏହା ବି ପଢନ୍ତୁ...ତାମିଲନାଡ଼ୁର ୨୫ଟି ସ୍ଥାନରେ ଏନଆଇଏର ଚଢାଉ, ଜାଣନ୍ତୁ କ'ଣ ରହିଛି ମାମଲା...

କ୍ରିସ୍ ଗୋପାଳକ୍ରିଷ୍ଣନ୍ ୨୦୦୭ରୁ ୨୦୧୧ ଯାଏ ଇନଫୋସିସ୍ କମ୍ପାନୀର ସିଇଓ ଓ ଏମଡି ଥିଲେ । ୨୦୧୧ରେ ଭାରତ ସରକାରଙ୍କ ଦ୍ବାରା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା ।