ସିମୁଳିଆ, ୨୬/୦୫ (ଗଦାଧର ଜେନା): ଧୁଡୁଧୁଡୁ ଚମ । ଶିରାଳ ଶରୀର । ମୁଣ୍ଡରେ ପାଚିଲା କେଶ । ହସହସ ମୁହଁକୁ ଦେଖିଲେ କେହି କଳନା କରିପାରିବନି ମନରେ ବୋହୁଛି ଦୁଃଖର ଉଜାଣି । ଗୋଟିଏ  ବୋଲି ଭେଣ୍ଡିଆ ପୁଅ ଅକାଳରେ ଚାଲିଗଲା । ବୟସର ସାୟାହ୍ଣରେ ଏକଲା କରି ପରପାରିକୁ ଚାଲିଗଲେ ସ୍ୱାମୀ । ଦଇବ ସବୁ ସୁଖ  ଛଡ଼ାଇ ନେବା ପରେ ୮୦ ବର୍ଷୀୟା ରମ୍ଭାମଣି ନାୟକଙ୍କ ପାଇଁ ଦୀର୍ଘ ୧୬ ବର୍ଷ ହେଲା ସୁଖ-ଦୁଃଖର ସାଥୀ ପାଲଟିଛି ଖବରକାଗଜ ।

ବାଲେଶ୍ୱର ଜିଲ୍ଲା ସୋର ଥାନା  ଅନ୍ତର୍ଗତ ତଳନଗର ପଞ୍ଚାୟତ ଅଲିପୁର ଗ୍ରାମର ପ୍ରାଣବନ୍ଧୁ ନାୟକଙ୍କ ସହ ରମ୍ଭାମଣିଙ୍କ ବିବାହ ହୋଇଥିଲା । ପ୍ରାଣବନ୍ଧୁ ଜାମୁଝାଡ଼ି ଛକରେ ଏକ ହୋଟେଲରେ କାମ କରୁଥିଲେ । ତା’ ସହ ଖବରକାଗଜ ବାଣ୍ଟୁଥିଲେ । ଦୁଇଝିଅ, ଗୋଟିଏ ପୁଅ ସହ ହସଖୁସିରେ ଗଡ଼ି  ଚାଲିଥିବା ସଂସାର ରଥ । ପୁଅ ମୋହନଙ୍କ ବିବାହ ପରେ ନାତିଟିଏ ଜନ୍ମ ହୋଇଥିଲା । ହେଲେ ଦଇବ ସୁଖ ଦେଖିପାରିଲାନି । ଏକମାତ୍ର ପୁଅ ମୋହନଙ୍କ ଅକାଳ ବିୟୋଗ ପରିବାରକୁ ଶକ୍ତ ଧକ୍କାଦେଲା । ପୁଅ ମୃତ୍ୟୁର ଦୁଃଖରୁ ମୁକୁଳି ନ ଥିବାବେଳେ ସ୍ୱାମୀ ମଧ୍ୟ ଆରପାରିକୁ ଚାଲିଗଲେ । ପରିବାର ଚଳାଇବା କଷ୍ଟକର ହେବାରୁ ନାତି ବସନ୍ତକୁ ଧରି ବାପଘର ଗାଁ ଜାମୁଝାଡ଼ି ଚାଲି ଆସିଲେ  ରମ୍ଭାମଣି । ସ୍ୱାମୀଙ୍କ ଖବରକାଗଜ ବିକ୍ରି ବୃତ୍ତିକୁ ଆଦରିନେଲେ।

ଜାମୁଝାଡ଼ିର ମିଠା ଦୋକାନୀ କହ୍ନେଇ ସାହୁଙ୍କ ଘରେ ଆଶ୍ରୟ ନେଇଛନ୍ତି ଜେଜେ ମା’-ନାତି । ରମ୍ଭାମଣିଙ୍କ ସକାଳ ଆରମ୍ଭ ହୁଏ ଖବରକାଗଜରୁ । ସବୁଦିନ ଭୋର୍‌ରୁ ସେ ଜାମୁଝାଡ଼ି ବସ୍‌ଷ୍ଟାଣ୍ଡରେ ପହଞ୍ଚି ଖବରକାଗଜ ପ୍ୟାକେଟ୍‌ ସଂଗ୍ରହ କରନ୍ତି । ଆଖପାଖ ଦୋକାନ, ଘର, ଗାଡ଼ିମୋଟରରେ ଖବରକାଗଜ ବିକ୍ରି କରନ୍ତି । ପେପର୍‌ ବିକ୍ରି ନ ସରିବା ଯାଏଁ ଘରକୁ ଫେରନ୍ତି ନାହିଁ । ପାଠକମାନେ ମଧ୍ୟ ତାଙ୍କ ହାତରୁ ଖବରକାଗଜ ନେବାପାଇଁ ଅନାଇ ବସିଥାନ୍ତି । ଖବରକାଗଜ ବିକ୍ରିରୁ ସଞ୍ଚିତ ଅର୍ଥ ଏବଂ ଭତ୍ତା ଟଙ୍କାରେ ପରିବାରର ଗୁଜୁରାଣ ମେଣ୍ଟେ । ଏତେ ଝଡ଼ଝଞ୍ଜା ମଧ୍ୟରେ ସ୍ୱାଭିମାନ ସହ ସାଲିସ କରିନାହାନ୍ତି ରମ୍ଭାମଣି । ପାନଖିଆ ପାଟି ଓ ହସହସ ମୁହଁରେ ସେ ସମସ୍ତଙ୍କୁ ନିଜର କରିପାରିଛନ୍ତି । ନିଜର ବୃତ୍ତି ସମ୍ପର୍କରେ ରମ୍ଭାମଣି କହିଛନ୍ତି, ଦଇବ ସବୁ ଛଡ଼ାଇ ନେଲା । ଆଉ  ଯାହା ପାଖରେ ଅଛି, ତାକୁ ସାଇତିବାକୁ ପଡ଼ିବ । ସେଥିପାଇଁ ଖବରକାଗଜ ବିକ୍ରି କରୁଛି । ଅନେକ ଭଲ ଲୋକ ମଧ୍ୟ ଅଛନ୍ତି । ସେମାନେ ପରିବାର ସଦସ୍ୟ ଭଳି  ଆଦର କରନ୍ତି । ଖବରକାଗଜ ମୂଲ୍ୟଠାରୁ ଅଧିକ ଟଙ୍କା ଦିଅନ୍ତି । ଅନେକ ସମୟରେ ସମସ୍ୟା ହୁଏ । ଯାନବାହନ ଚଳାଚଳ ବନ୍ଦ ହୋଇଗଲେ ଖବରକାଗଜ ବିକ୍ରି କମିଯାଏ ।  ତଥାପି ଏହି କାମରେ ସେ ଖୁସି ଅଛନ୍ତି । ପରିବାର ଚଳିଯାଉଛି ବୋଲି କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁWorld Hawker Day : ବିତରକଙ୍କ ଗାଁ ‘ସାହାଦା’, ଖବରକାଗଜ ସହ ତିନିପିଢ଼ିର ଅତୁଟ ସମ୍ପର୍କ