ନୂଆଦିଲ୍ଲୀ, ୨୮/୦୩: ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଇରାନ ଶୁକ୍ରବାର ହୋର୍ମୁଜ ଦେଇ ଯିବାକୁ ଉଦ୍ୟମ କରୁଥିବା ଭିନ୍ନ ଭିନ୍ନ ଦେଶର ୩ଟି ଜାହାଜକୁ ଫେରାଇ ଦେଇଛି । ଇରାନର ସେନା ଆଇଆରଜିସି କହିଛି, ଏହି ସାମୁଦ୍ରିକ ମାର୍ଗ ବର୍ତ୍ତମାନ ପାଇଁ ବନ୍ଦ ଅଛି । ତେଣୁ କୌଣସି ଜାହାଜ ଏହି ମାର୍ଗ ଦେଇ ଗଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଆହୁରି ପଢନ୍ତୁ- ଯୁଦ୍ଧର ବଡ଼ ପ୍ରଭାବ, ହିଲିୟମ୍ ସଙ୍କଟ ଯୋଗୁ ମହଙ୍ଗା ହେବ ଏମ୍ଆର୍ଆଇ ସ୍କାନ୍
ସେହିପରି ଆମେରିକା-ଇସ୍ରାଏଲ ସହଯୋଗୀ ଦେଶର ବନ୍ଦରରୁ ଏହି ଜଳମାର୍ଗ ଦେଇ ଯିବା-ଆସିବା କରିବାକୁ ଥିବା ଜାହାଜ ଉପରେ ସଂପୂର୍ଣ୍ଣ ରୋକ ଲଗାଯାଇଛି । ଯେଉଁ ଦେଶ ଆମେରିକା-ଇସ୍ରାଏଲକୁ ସମର୍ଥନ କରିବ ତାର ଜାହାଜକୁ ଏହି ମାର୍ଗ ଦେଇ ଯିବାକୁ ଅନୁମତି ମିଳିବ ନାହିଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଲୋଚନାର ରାସ୍ତା ଖୋଲା ଅଛି ଏବଂ ଇରାନ ନରମ ପଡୁଛି ବୋଲି ଦାବି କରିବା ମଧ୍ୟରେ ଏହି ଘଟଣାକ୍ରମ ସାମ୍ନାକୁ ଆସିଛି । ଟ୍ରମ୍ପ ଗୁରୁବାର ଦାବି କରିଥିଲେ ଯେ, ଇରାନ ସଦ୍ଭାବନା ପ୍ରଦର୍ଶନ କରି ୧୦ଟି ତେଲ ଟ୍ୟାଙ୍କରକୁ ଯିବାକୁ ଦେଇଛି । ଏହା ଆଲୋଚନା ଟେବୁଲରେ ଇରାନର ଗମ୍ଭୀରତାକୁ ଦର୍ଶାଉଛି । କିନ୍ତୁ ଆଜି ଆଇଆରଜିସି ଟ୍ରମ୍ପଙ୍କୁ ଭ୍ରଷ୍ଟ ରାଷ୍ଟ୍ରପତି ଭାବେ ଦର୍ଶାଇ ତାଙ୍କର ଦାବିକୁ ମିଛ ବୋଲି କହିଛି ।