ନୂଆଦିଲ୍ଲୀ,୧୫।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ପକ୍ଷରୁ ଇରାନ ସହ ଚୁକ୍ତି ଘୋଷଣା ପରେ ପୁରା ଦୁନିଆର ନଜର ଏହା ଉପରେ ରହିଛି। ସମସ୍ତଙ୍କର ଆଶା ସୃଷ୍ଟି ହୋଇଛି ଯେ, ଏବେ ଶକ୍ତି ଯୋଗାଣରେ ଉପୁଜିଥିବା ସମସ୍ୟା ଦୂର ହେବ। ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଆମେରିକା ଓ ଇରାନ ଭିତାରେ ଯୁଦ୍ଧ ଶେଷ କରିବା ପାଇଁ ଏକ ଚୁକ୍ତିକୁ ଅନ୍ତିମ ରୂପ ଦିଆଯାଇ ସାରିଛି। ଶାନ୍ତି ବୁଝାମଣା ଉପରେ ୧୯ ଜୁ ସ୍ବିଜରଲ୍ୟାଣ୍ଡରେ ସାକ୍ଷର କରାଯିବାର ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶକ୍ତି ବୁଝାମଣାକୁ ସ୍ବାଗତ କରିଛନ୍ତି। ସେଭଳି ସେ ଏହି ଡିଲ୍ ପରେ ଭାରତର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ବୟାନ ଜାରି କରି କହିଛି, ଦେଶରେ ପେଟ୍ରୋଲ-ଡିଜେଲର କୌଣସି ଅଭାବ ନାହିଁ।

ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଜଏଣ୍ଟ ସେକ୍ରେଟରୀ ସୁଜାତା ଶର୍ମା କହିଛନ୍ତି, ଦେଶରେ ପେଟ୍ରୋଲ, ଡିଜେଲ ଓ ଏଲପିଜିର ସପ୍ଳାଇ ସ୍ଥିର ରହିଛି। ରିଫାଇନାରୀ ନିଜର ପୁରା କ୍ଷମତା ସହ କାମ କରୁଛି। ଅଶୋଧିତ ତୈଳ ଓ ଷ୍ଟକ୍ ବି ପର୍ଯ୍ୟାପ୍ତ ମାତ୍ରାରେ ରଖାଯାଇଛି। ତେବେ କିଛି ରିଟେଲ୍ ଆଉଟଲେଟ୍‌ରେ ବିକ୍ରି ଅସ୍ବାଭାବିକ ରୂପରେ ଅଧିକ ହେଉଛି। ଏହାର ମୁଖ୍ୟ କାରଣ ହେଉଛି ଶିଳ୍ପ, ପ୍ରତ୍ୟକ୍ଷ, ପ୍ରତିଷ୍ଠାନଗତ ଏବଂ ବାଣିଜ୍ୟିକ ଗ୍ରାହକମାନେ ଏବେ ଖୁଚୁରା ଦୋକାନରୁ ଇନ୍ଧନ କ୍ରୟ କରୁଛନ୍ତି, ଯାହା ଫଳରେ ସେଠାରେ ବିକ୍ରୟ ବୃଦ୍ଧି ପାଇଛି।

ଅନ୍ୟପକ୍ଷେ ଟ୍ରମ୍ପ ନିଜର ‘ଏକ୍ସ ’ପୋଷ୍ଟରେ କହିଛନ୍ତି, ଇରାନ ସହିତ ଡିଲ୍ ହୋଇଛି। ଏହାର ଆଧାରରେ ହର୍ମୁଜ୍ ପ୍ରଣାଳୀକୁ ବିନା ଶୁଳ୍କରେ ଖୋଲିବା ସମ୍ଭବ ହେବ। ଏହା ସହ ଟ୍ରମ୍ପ ନୌସେନା ଅବରୋଧ ଉଠାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରିଛନ୍ତି। ଆମେରିକା ଏବଂ ଇରାନ ମଧ୍ୟରେ ୧୦୭ ଦିନିଆ ସଂଘର୍ଷର ଅନ୍ତ ଏବଂ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ହୋଇଥିବା ଚୁକ୍ତିନାମା ଭାରତର ଅର୍ଥନୀତିକୁ ଅନେକ କ୍ଷେତ୍ରରେ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହି ଚୁକ୍ତିନାମା ପଶ୍ଚିମ ଏସିଆକୁ ଭାରତର ରପ୍ତାନିକୁ ବୃଦ୍ଧି କରିବ, ଉତ୍ପାଦନ କାର୍ଯ୍ୟକଳାପକୁ ବୃଦ୍ଧି କରିବ ଏବଂ ଭାରତୀୟ କରେନ୍ସିକୁ ସ୍ଥିର କରିବ ବୋଲି ଆଶା କରାଯାଉଛି।

ଆହୁରି ପଢନ୍ତୁ : ମାତ୍ର ୭୫ ଟଙ୍କାର ବାଲାନ୍ସ ସିଟ୍, ଦଳୀୟ ଚିହ୍ନ ବି ନାହିଁ : ବଙ୍ଗଳାରେ ଅଫିସ ଖୋଲି ଟିଏମ୍‌ସିର ନେଇଗଲା ୨୦ ସାଂସଦ