ନୂଆଦିଲ୍ଲୀ,୧।୪: ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଇରାନ ଭିତରେ ଚାଲିଛି କ୍ଷମତା ସଂଘର୍ଷ । ରିପୋର୍ଟ ଅନୁସାରେ, ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ମଧ୍ୟରେ ଚାଲିଛି କ୍ଷମତା ସଂଘର୍ଷ। ପେଜେଶକିଆନଙ୍କ ଭୂମିକା ସୀମିତ ହୋଇଯାଇଥିବା ବେଳେ ଦେଶରେ ଆଇଆରଜିସିର ପ୍ରଭାବ ବୃଦ୍ଧି ପାଉଛି। ଆମେରିକା-ଇସ୍ରାଏଲ ଆକ୍ରମଣରେ ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ରାଜନୈତିକ ଶୂନ୍ୟତାର ଲାଭ ଉଠାଇ ଆଇଆରଜିସି ଦେଶର ପ୍ରଶାସନ ଓ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଛି। ଏକପ୍ରକାର କ୍ଷମତାକୁ ନିଜ ହାତକୁ ନେଇସାରିଲାଣି। ଉଦାରବାଦୀ ନୀତି ଗ୍ରହଣ କରୁଥିବା ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଏବେ ରାଜନୈତିକ ଗତିରୋଧରେ ଫଶି ଯାଇଛନ୍ତି।
ରିପୋର୍ଟ ଅନୁଯାୟୀ, ଆଇଆରଜିସି ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ନିଷ୍ପତ୍ତି ଏବଂ ନିଯୁକ୍ତିକୁ ରୋକି ଦେଇଛି, ଯାହା ଫଳରେ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ କର୍ତ୍ତୃତ୍ୱ ପ୍ରାୟତଃ ପ୍ରଭାବହୀନ ହୋଇଯାଇଛି। ନିକଟରେ ଇରାନର ଗୁଇନ୍ଦା ମନ୍ତ୍ରୀଙ୍କ ପଦବୀ ପାଇଁ ପେଜେସ୍କିଆନଙ୍କ ପକ୍ଷରୁ ପ୍ରସ୍ତାବିତ ପ୍ରାର୍ଥୀଙ୍କ ନାଁକୁ ଖାରଜ କରି ଦିଆଯାଇଥିଲା।ରାଷ୍ଟ୍ରପତି ଗୁଇନ୍ଦା ମନ୍ତ୍ରୀ ପଦ ପାଇଁ ହୋସେନ୍ ଦେହଘନଙ୍କୁ ସୁପାରିଶ କରିଥିଲେ।
ରିପୋର୍ଟ ଅନୁଯାୟୀ, ଆଇଆରଜିସିର ଶୀର୍ଷ କମାଣ୍ଡର ଅହମଦ ଭାହିଦି ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ଯୁଦ୍ଧ ପରି ପରିସ୍ଥିତିରେ, କେବଳ ଆଇଆରଜିସି ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି କରିବାର ଅଧିକାର ବଜାୟ ରଖିଛି। ତେଣୁ, ଇରାନ ରାଷ୍ଟ୍ରପତିଙ୍କ ନାମାଙ୍କନକୁ ଆଗକୁ ବଢ଼ାଯାଇ ନଥିଲା। ଇରାନର ରାଜନୈତିକ ବ୍ୟବସ୍ଥାକୁ ବିଚାରକୁ ନେଲେ,ସାଧାରଣତଃ ରାଷ୍ଟ୍ରପତିଙ୍କ ଦ୍ୱାରା ଗୁଇନ୍ଦା ମନ୍ତ୍ରୀଙ୍କ ନାମ ପ୍ରସ୍ତାବିତ ହୋଇଥାଏ, କିନ୍ତୁ ସର୍ବୋଚ୍ଚ ନେତା ଚୂଡ଼ାନ୍ତ ଅନୁମୋଦନ ପ୍ରଦାନ କରନ୍ତି। ତଥାପି, ଇରାନର ସାମ୍ପ୍ରତିକ ପରିସ୍ଥିତି ଏବଂ ସର୍ବୋଚ୍ଚ ନେତା ମୋଜତାବା ଖାମେନିଙ୍କ ଅବସ୍ଥା ଏବଂ ସ୍ଥାନ ସମ୍ପର୍କିତ ଅନିଶ୍ଚିତତାର ସୁଯୋଗ ନେଇ, ଆଇଆରଜିସି ସୁରକ୍ଷା ଉପକରଣ ଏବଂ ନିଷ୍ପତ୍ତି ଗ୍ରହଣ ଉପରେ ଏହାର ନିୟନ୍ତ୍ରଣକୁ ମଜବୁତ କରୁଥିବା ପରି ମନେ ହେଉଛି।
ଇରାନ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁଯାୟୀ, ଆଇଆରଜିସିର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ପ୍ରକାରର ସାମରିକ ପରିଷଦ ଗଠନ କରାଯାଇଛି। ସେମାନେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି। ଏହା ମଧ୍ୟ ରିପୋର୍ଟ କରାଯାଉଛି ଯେ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ଚାରିପାଖରେ ଏକ ସୁରକ୍ଷା ଘେରାବନ୍ଦୀ ସ୍ଥାପନ କରାଯାଇଛି, ଯାହା ସରକାରୀ ରିପୋର୍ଟ ତାଙ୍କ ପାଖରେ ପହଞ୍ଚିବାକୁ ବାଧା ସୃଷ୍ଟି କରୁଛି। ରାଷ୍ଟ୍ରପତି ପେଜେଶକିୟାନ ମଧ୍ୟ ତାଙ୍କ ସହ ଅନେକ ଥର ସାକ୍ଷାତ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ବିଫଳ ହୋଇଛନ୍ତି। ମୋଜତବାଙ୍କୁ ଯଦିଓ ସୁପ୍ରିମ ଲିଡର ରୂପରେ ନାମିତ କରାଯାଇଛି ତେବେ ତାଙ୍କୁ ସାର୍ବଜନୀକ ସ୍ଥାନରେ ଦେଖିବାକୁ ମିଳୁନି। ତାଙ୍କର ବାର୍ତ୍ତା କେବଳ ଲାଇଭ ଟିଭିରେ ପଢାଯାଉଛି। ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ସଙ୍କେତ ଦେଇଥିଲେ ଯେ, ମୋଜତବାଙ୍କ ସ୍ଥିତି ଗମ୍ଭୀର ହୋଇପାରେ, ସେଭଳି ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଦାବି କରିଛନ୍ତି, ତାଙ୍କର ଚେହେରା ବିକୃତ ହୋଇଯାଇଛି। କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ, ମୋଜତାବା କୋମାରେ ରହିଛନ୍ତି। ଏହି ଅନିଶ୍ଚିତତା ଇରାନରେ ଗମ୍ଭୀର ରାଜନୈତିକ ସଙ୍କଟ ସୃଷ୍ଟି କରୁଛି। ସେଭଳି ମଙ୍ଗଳବାର ଇରାନରେ ଥିବା ରୁଷ ରାଷ୍ଟ୍ରଦୂତ କହିଛନ୍ତି, ମୋଜତାବା ତେହରାନରେ ସୁରକ୍ଷା କାରଣରୁ ନଜର ଆସୁ ନାହାଁନ୍ତି।
ଆହୁରି ପଢନ୍ତୁ : ଆମେରିକା ଛାଡିପାରେ ‘ନାଟୋ’, ଟ୍ରମ୍ପ କହିଲେ-‘ପୁଟିନ୍ ବି ଜାଣି ସାରିଲେଣି ଏହାର କ୍ଷମତା’