ନୂଆଦିଲ୍ଲୀ,୧୪/୦୧: ଇରାନରେ ନରସଂହାର ଚଲାଇଛି ଖାମେନେଇ ସରକାର । ବିକ୍ଷୋଭକାରୀ ଉପରେ କୌଣସି ଦୟା ନ ଦେଖାଇ ସିଧାସଳଖ ଗୁଳି ବର୍ଷା କରିବାକୁ ଇରାନ ସୁପ୍ରିମ୍ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଦାବି କରିଛି ବ୍ରିଟିଶ ୱେବସାଇଟ୍ ଇରାନ ଇଣ୍ଟରନ୍ୟାସନାଲ । ଗତ ୧୭ ଦିନରେ ଇରାନ ସରକାର ପ୍ରାୟ ୧୨,୦୦୦ ବିକ୍ଷୋଭକାରୀଙ୍କୁ ହତ୍ୟା କରିଥିବା ୱେବସାଇଟ୍ ଉଲ୍ଲେଖ ରହିଛି । ଇରାନର ଆଧୁନିକ ଇତିହାସରେ ଏହାକୁ ସବୁଠୁ ବଡ଼ ନରସଂହାର ଦର୍ଶାଯାଇଛି । ଆହୁରି ଅଧିକ ବିକ୍ଷୋଭକାରୀଙ୍କୁ ହତ୍ୟା ପାଇଁ ମଧ୍ୟ ଖାମେନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ହିଂସାତ୍ମକ ଆନ୍ଦୋଳନରେ ଅଦ୍ୟାବଧି ଅନ୍ୟୁନ ୨,୦୦୦ ଜଣଙ୍କ ମୃତ୍ୟୁ ଘଟିଥିବା ଇରାନ ଅଧିକାରୀ କହିଛନ୍ତି । ଇରାନ ଇଣ୍ଟରନ୍ୟାସନାଲ ଜାରି କରିଥିବା ରିପୋର୍ଟ ଅନୁସାରେ, ଅନେକ ସୂତ୍ର ଆଧାରରେ ଏହି ମୃତ୍ୟୁସଂଖ୍ୟା ବାବଦରେ ତଥ୍ୟ ଜଣାପଡ଼ିଛି । ଏହି ଡାଟାକୁ ଅନେକ ସ୍ତରରେ ଯାଞ୍ଚ କରାଯାଇ ପ୍ରକାଶ କରାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶଙ୍କ ବୟସ ୩୦ ବର୍ଷରୁ କମ୍ । ଇରାନର ରିଭୋଲ୍ୟୁସନାରୀ ଗାର୍ଡସ ଏବଂ ବସିଜ୍ ଫୋର୍ସ ଲୋକଙ୍କ ଉପରେ ଗୁଳି ଚଲାଇଛନ୍ତି । ଏହା ଖାମେନେଇଙ୍କ ଆଦେଶ ଅନୁସାରେ ହୋଇଛି । ଅଧିକାଂଶ ହତ୍ୟା ଜାନୁଆରୀ ୮ ଏବଂ ୯ ତାରିଖ ରାତିରେ ହୋଇଛି । ସରକାର ସେଠାରେ ଇଣ୍ଟରନେଟ ବ୍ୟାନ୍ ଏବଂ ଯୋଗାଯୋଗ ଠପ୍ କରି ଏହି ଅପରାଧକୁ ଦୁନିଆଠାରୁ ଲୁଚାଇଛନ୍ତି ।

ବିକ୍ଷୋଭକାରୀଙ୍କ ହତ୍ୟାକୁ ନେଇ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ଇରାନ ସରକାରଙ୍କ କଡ଼ା ନିନ୍ଦା କରିଛି । ବ୍ରିଟେନ ସରକାର ଇରାନ ରାଷ୍ଟ୍ରଦୂତଙ୍କୁ ଏ ନେଇ ସମନ ଜାରି କରିଛି । ସେହିପରି ଜାତିସଂଘ ମାନାବଧିକାର କାର୍ଯ୍ୟାଳୟ ମୁଖପାତ୍ର ଜେରେମି ଲରେନ୍ସ ଇରାନରେ ମାନବାଧିକାର ଉଲ୍ଲଂଘନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଜନତାଙ୍କ ଉପରେ କ୍ରୂରତାକୁ ଲୁଚାଇବା ପାଇଁ ସେଠାକାର ସରକାର ଇଣ୍ଟରନେଟ୍ ବ୍ୟାନ୍ କରିଥିବା ସେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ଇରାନ ହସ୍ପିଟାଲରେ ଲୋକଙ୍କ ଭୟଙ୍କର ଭିଡ଼ ଜମିଛି । ହଜାର ହଜାର ସଂଖ୍ୟାରେ ଲୋକେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ମୃତଦେହଗୁଡ଼ିକୁ ଚିହ୍ନଟ କରିବାକୁ ସେଠାରେ ସେମାନଙ୍କ ପରିବାର ଲୋକଙ୍କ ଗହଳି ଲାଗିଛି ।

ଆନ୍ଦୋଳନ ଜାରି ରଖ, ସହାୟତା ଆସୁଛି :ଟ୍ରମ୍ପ୍

ଇରାନରେ ବିକ୍ଷୋଭକାରୀଙ୍କ ଉପରେ ଦମନଲୀଳା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି । ଇରାନବାସୀ ବିକ୍ଷୋଭ ଜାରି ରଖନ୍ତୁ, ସେମାନଙ୍କ ପାଇଁ ସହାୟତା ଆସୁଛି ବୋଲି ଟ୍ରମ୍ପ୍ କହିଛନ୍ତି । ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟ କରି ଟ୍ରମ୍ପ୍ ଲେଖିଛନ୍ତି, ‘ଇରାନର ଦେଶଭକ୍ତମାନେ ଆନ୍ଦୋଳନ ଜାରି ରଖ-ନିଜ ନିଜ ସଂସ୍ଥାକୁ କବ୍ଜା କର। ହତ୍ୟାକାରୀଙ୍କ ନାଁ ମନେରଖ । ସେମାନେ ବହୁମୂଲ୍ୟ ଦେବାକୁ ଯାଉଛନ୍ତି । ଯେ ପର୍ଯ୍ୟନ୍ତ ଇରାନ ବିକ୍ଷୋଭକାରୀଙ୍କ ହତ୍ୟା ନ ରୋକିଛି ସେ ପର୍ଯ୍ୟନ୍ତ ଇରାନ ଅଧିକାରୀଙ୍କ ସହ କୌଣସି ଆଲୋଚନା ହେବନାହିଁ । ଖୁବ୍ଶୀଘ୍ର ତୁମମାନଙ୍କ ନିକଟରେ ସହାୟତା ପହଞ୍ଚିବ’ । ଟ୍ରମ୍ପ୍ ପ୍ରଥମେ ଇରାନ ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିଥିବା କହିଥିଲେ ହେଁ ତାହାକୁ ପରେ ବାତିଲ କରିଥିଲେ।