ଗରମଦିନେ ବଢୁଥିବା ହିଟ୍ୱେଭ୍ କେବଳ ଶାରୀରିକ କ୍ଷତି କରି ନଥାଏ, ବରଂ ମାନସିକ ସ୍ୱାସ୍ଥ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିଥାଏ । ଫଳରେ ଅଫିସ ବା ଘରଠାରୁ ବାହାରେ କାମ କରୁଥିବା ବ୍ୟକ୍ତିଙ୍କ ଭିତରେ ଚିଡ୍ଚିଡାପଣ ବଢିଯାଇଥାଏ । ଗରମ ଋତୁର ନାଁ ଧରିଲେ ପ୍ରଥମେ ଅତ୍ୟଧିକ ଝାଳ, ଜଳଶୁଷ୍କତା ଓ ଥକ୍କାପଣ ବା ଲୁ କଥା ମନକୁ ଆସିଥାଏ । କିନ୍ତୁ ପ୍ରାୟ ଲୋକ ମାନସିକ ସ୍ୱାସ୍ଥ୍ୟ ପ୍ରତି ସେତେଟା ଧ୍ୟାନ ଦେଇ ନଥାନ୍ତି । ଏବେକାର ଗ୍ଲୋବାଲ୍ ୱାର୍ମିଂ ଚାଲିଥିବା ବେଳେ ଗରମରୁ ନୂଆ ନୂଆ ସମସ୍ୟାର ଜନ୍ମ ହେବାରେ ଲାଗିଛି, ଯାହା ଆମ ଶରୀରଠାରୁ ଅଧିକ ମସ୍ତିଷ୍କ ଓ ଅଫିସ୍ ଜୀବନକୁ ପ୍ରଭାବିତ କରୁଛି ।

ଏବେକାର ଭୀଷଣ ଗରମ କେବଳ ଶାରୀରିକ ସମସ୍ୟା ହୋଇ ରହିନାହିଁ । ଏହି ବଢୁଥିବା ତାପମାତ୍ରା ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଧ୍ୟାନ ହଟାଇବାରେ ଲାଗିଛି । ଫଳରେ ସେମାନେ ଅଧିକ ଚାପଗ୍ରସ୍ତ ହେବା ସହ ଚିଡ୍ଚିଡା ହେଉଛନ୍ତି । ଭାରତ ପରି ଦେଶରେ ଏହି ସ୍ଥିତି ଅଧିକ ଚିନ୍ତାଜନକ । ଉତ୍ତପ୍ତ ସହର ସାଙ୍ଗକୁ ଗରମ ପବନ, ରାସ୍ତାର ଭିଡ଼, ବିଦ୍ୟୁଟ୍ କାଟ୍ ଓ ଅଫିସ୍ରେ ଦୀର୍ଘ ସମୟ ବସିବା କର୍ମଚାରୀଙ୍କ ପାଇଁ ବୋଝ ପାଲଟିଚାଲିଛି । ଏହା ସେମାନଙ୍କୁ ‘ଇମୋସନାଲ୍ ବର୍ଣ୍ଣଆଉଟ୍’ ଆଡକୁ ଠେଲିବାରେ ଲାଗିଛି । ଆମ ଶରୀର ଏକ ନିଶ୍ଚିତ ତାପମାତ୍ରାରେ ଠିକ୍ ଭାବେ କାମ କରିଥାଏ । ଯେତେବେଳେ ଅଧିକ ଗରମ ହୁଏ, ଶରୀର ତାପମାତ୍ରାକୁ ସ୍ଥିର ରଖିବା ପାଇଁ ଝାଳ ବାହାର କରିବା ସହ ରକ୍ତ ସଞ୍ଚାଳନା ଓ ହୃଦ୍ ସ୍ପନ୍ଦନ ବଢାଇଥାଏ । ଏସବୁ କରିବା ପାଇଁ ଶରୀରକୁ ଅଧିକ ଶକ୍ତି ଖର୍ଚ୍ଚ କରିବାକୁ ପଡିଥାଏ, ଯାହାର ସିଧାସଳଖ ପ୍ରଭାବ ମସ୍ତିଷ୍କ ଓ ସ୍ନାୟୁ ବ୍ୟବସ୍ଥା ଉପରେ ପଡିଥାଏ ।

ଗବେଷଣାରୁ ଜଣାପଡିଛି ଯେ ଅଧିକ ତାପମାତ୍ରା ଆମର ସ୍ମରଣ ଶକ୍ତି, ପ୍ରତିକ୍ରିୟା ସମୟ ଓ ଭାବନା ଉପରେ କାବୁ ରଖିବାର କ୍ଷମତାକୁ ଦୁର୍ବଳ କରି ଦେଇଥାଏ । ଏହି କାରଣରୁ ଧରାବନ୍ଧା ଜୀବନ ବଞ୍ଚୁଥିବା କର୍ମଚାରୀମାନେ ମାନସିକ ଭାବେ ଥକିବା ସହ ଧୈର୍ଯ୍ୟହରା ହୋଇପଡ଼ିଥାନ୍ତି । ସହରାଞ୍ଚଳରେ ବିଦ୍ୟୁତ୍କାଟ ଯୋଗୁ ପ୍ରାୟ ଲୋକ ରାତିରେ ଶାନ୍ତିରେ ଶୋଇପାରି ନଥାନ୍ତି । ଅଧା ନିଦ ସହ ପରଦିନ ପ୍ରାୟତଃ ମୁଡ୍, ଚିନ୍ତାକୁ ସହିବାର ଶକ୍ତି ଓ ନିଷ୍ପତ୍ତି ନେବାର କ୍ଷମତାକୁ ବିଗାଡ଼ି ଦେଇଥାଏ । ଯଦି ବ୍ୟକ୍ତି ପୂର୍ବରୁ କୌଣସି ପ୍ରକଳ୍ପର ଡେଡ୍ଲାଇନ୍, ଆର୍ଥିକ ମାନ୍ଦାବସ୍ଥା ଓ ଅଫିସ୍ ବିବାଦ ସହ ଲଢୁଥାନ୍ତି, ତେବେ ଗରମ ସେସବୁକୁ ବହୁ ଗୁଣା ବଢାଇ ଦେଇଥାଏ । ପରିବେଶର ଆମ ମସ୍ତିଷ୍କ ସହ ସିଧା ସମ୍ପର୍କ ରହିଛି । ତେଣିକି ଆପଣ ଅଫିସ୍ରେ କାମ କରନ୍ତୁ ଅବା ଡାକ୍ତରଖାନାରେ କିମ୍ବା ବାହାରେ ଆଖପାଖକୁ ଦେଖି ମୁଡ ଆପଣଙ୍କୁ ପ୍ରସ୍ତୁତ କରିଥାଏ ଏବଂ ମୁଡ୍ କାମର ଗୁଣବତ୍ତାକୁ ପ୍ରଭାବିତ କରିଥାଏ ।

ଏସିଆନ୍ ହସ୍ପିଟାଲର କ୍ଲିନିକାଲ ସାଇକୋଲୋଜିଷ୍ଟ ଡାକ୍ତର ଦୀପିକା ଶର୍ମାଙ୍କ ମତରେ ଶରୀର ଗରମ ସହ ଲଢିବାରେ ଏତେ ଶକ୍ତି ବିନିଯୋଗ କରିଥାଏ ଯେ ମାନସିକ ସ୍ୱାସ୍ଥ୍ୟ, ଜଳଶୁଷ୍କତା ଓ ନିଦର ଅଭାବ ହେବା ସ୍ୱାଭାବିକ । ଅନେକ ସମୟରେ ବ୍ୟକ୍ତିଙ୍କୁ ଏକଥା ମଧ୍ୟ ଜଣା ନଥାଏ ଯେ ସେମାନଙ୍କ ଥକ୍କାପଣ ପଛର କାରଣ କଣ? ଡାକ୍ତର ଶର୍ମାଙ୍କ ଅନୁସାରେ କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟ ଅର୍ଥାତ୍ କେବଳ କାମର ଚାପ ନୁହେଁ, ବରଂ ଅସୁବିଧାଜନକ ବାତାବରଣ ହିଁ ବଡ଼ କାରଣ । ଡାକ୍ତରଙ୍କ ମତରେ କର୍ମଚାରୀମାନେ ମାନସିକ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ କେତୋଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରି ।

-ପର୍ଯ୍ୟାପ୍ତ ପାଣି ପିଅନ୍ତୁ

- କାମ ମଝିରେ ଛୋଟ ଛୋଟ ବ୍ରେକ୍ ନେବାକୁ ଭୁଲନ୍ତୁନି

-କର୍ମକ୍ଷେତ୍ରରେ ପବନ ଆସଯା’ ସାଙ୍ଗକୁ ଥଣ୍ଡାକୁ ମଧ୍ୟ ଗୁରୁତ୍ୱ ଦେବାକୁ ଭୁଲନ୍ତୁନି