ନୂଆଦିଲ୍ଲୀ, ୩୦/୧୦ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଗାମୀ ୧୫ ବର୍ଷର ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛି । ଏଥିପାଇଁ ୨୦୪୦ ପର୍ଯ୍ୟନ୍ତ ସ୍ପେସ୍‌ ମିଶନର କ୍ୟାଲେଣ୍ଡର ତିଆରି ହୋଇଛି । ଏଥିରେ ଭାରତର ସ୍ପେସ୍‌ ମିଶନ ସହ ଜଡ଼ିତ ତଥ୍ୟ ରହିଛି । ଏହା ଅନୁସାରେ, ଆଗାମୀ ୩ ମାସରେ ଗଗନଯାନ ମିଶନର ପ୍ରଥମ ଅନ୍‌-କ୍ରୁ ମିଶନ ଲଞ୍ଚ୍‌ ହେବ । ଏହାର ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି । ଏହାପରେ ଦୁଇ ରୋବୋଟିକ୍‌ ଗଗନଯାନ ଲଞ୍ଚ୍‌ କରାଯିବ । ଏଥିରେ ହ୍ୟୁମାନଏଡ୍‌ ବ୍ୟୋମମିତ୍ର ପଠାଯିବ । ହ୍ୟୁମାନଏଡ୍‌ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ମଣିଷ ଭଳି ବ୍ୟବହାର କରିପାରୁଥିବା ରୋବୋ । 

୨୦୨୫ ଶେଷ ସୁଦ୍ଧା କିମ୍ବା ୨୦୨୬ ପ୍ରାରମ୍ଭରେ ମହାକାଶଚାରୀଙ୍କୁ ସ୍ପେସ୍‌କୁ ପଠାଇବା ଲାଗି ଯୋଜନା ରହିଛି । ଗଗନଯାନ ମିଶନ ପାଇଁ ଚୟନ ହୋଇଥିବା ୪ ମହାକାଶଚାରୀଙ୍କ ମଧ୍ୟରୁ ୨ ଭାରତୀୟ ମହାକାଶଚାରୀ ୩ ଦିନ ପାଇଁ ପୃଥିବୀ କକ୍ଷପଥ ପରିକ୍ରମା କରିବେ । ଇସ୍ରୋ ୫ ବର୍ଷରେ ୩ ଥର ଦୁଇ-ଦୁଇ ଭାରତୀୟ ମହାକାଶଚାରୀଙ୍କୁ ସ୍ପେସ୍‌କୁ ପଠାଇବା ଲାଗି ଯୋଜନା କରିଛି । ମିଶନର ସଫଳତା ଆଧାରରେ ମହାକାଶଚାରୀ ଏବଂ ଦିନ ସଂଖ୍ୟା ବଢ଼ାଯିବ । ପ୍ରଥମ ଗଗନଯାନ ମିଶନ ପରେ ୨୦୨୬-୨୭ରେ ଗଗନଯାନର ଦ୍ୱିତୀୟ ମାନବଯୁକ୍ତ ସ୍ପେସ୍‌କ୍ରାଫ୍ଟ ଏବଂ ୨୦୨୮-୨୯ରେ ତୃତୀୟ ମାନବଯୁକ୍ତ ସ୍ପେସ୍‌କ୍ରାଫ୍ଟ ଜରିଆରେ ମହାକାଶଚାରୀଙ୍କୁ ସ୍ପେସ୍‌କୁ ପଠାଯିବ । ଆସନ୍ତା ବର୍ଷ ଇସ୍ରୋ ୬ଟି କୃତ୍ରିମ ଉପଗ୍ରହ ପଠାଇବ । ଏଥିରେ ନୌସେନା ପାଇଁ ଜିସାଟ୍‌୭ଆର୍‌, ସେନା ପାଇଁ ଜିସାଟ୍‌-୭ବି, ବ୍ରଡ୍‌ବ୍ୟାଣ୍ଡ୍‌ ଏବଂ ଇନ୍‌-ଫ୍ଲାଇଟ୍‌ କନେକ୍ଟିଭିଟି ପାଇଁ ଜିସାଟ୍‌-ଏନ୍‌୨, ଡିଫେନ୍ସ, ପାରାମିଲିଟାରୀ, ରେଲୱେ, ଫିଶରିଜ୍‌ ପାଇଁ ଜିସାଟ୍‌-ଏନ୍‌୩ ବ୍ୟତୀତ ଗଗନଯାନ ସହ ଯୋଗାଯୋଗ ବଜାୟ ରଖିବା ପାଇଁ ଦୁଇ ସାଟେଲାଇଟ ପଠାଯିବ । ଏଥିସହ ୪ ନୀରିକ୍ଷଣ ଉପଗ୍ରହ ମଧ୍ୟ ଲଞ୍ଚ୍‌ କରାଯିବ । 

୨୦୨୬-୨୭ରେ ଚନ୍ଦ୍ରଯାନ-୪ ମିଶନ ଲଞ୍ଚ୍‌ ହେବ । ଏହା ପରେ ଚନ୍ଦ୍ରଯାନ-୫ ମିଶନ ବା ଲୁପେକ୍ସ ମିଶନର ଯୋଜନା ରହିଛି । ୨୦୨୮ରେ ଭାରତୀୟ ମହାକାଶ ଷ୍ଟେସନର ମଡ୍ୟୁଲ-୧ ସ୍ପେସ୍‌କୁ ଯିବ । ଏଥିରେ ସ୍ୱଦେଶୀ ସ୍ପେସ୍‌କ୍ରାଫ୍ଟ ଡକିଙ୍ଗ୍‌ ଏକ୍ସପେରିମେଣ୍ଟ (ସ୍ପାଡକ୍ସ)ର ଡେମୋ ବି ରହିବ । ଏଥିରେ ସ୍ପେସ୍‌ରେ ଘୂରୁଥିବା ଦୁଇ ସ୍ପେସ୍‌କ୍ରାଫ୍ଟକୁ ପରସ୍ପର ସହ ଯୋଡ଼ାଯାଇପାରିବ । ୨୦୩୧ରେ ଚନ୍ଦ୍ରକୁ ହ୍ୟୁମାନଏଡ୍‌ ମିଶନ ପଠାଯିବ । ୨୦୩୫ରେ ଭାରତୀୟ ସ୍ପେସ୍‌ ଷ୍ଟେଶନ ସ୍ଥାପନ କରାଯିବାର ଯୋଜନା ରହିଛି । ୨୦୩୭-୩୮ରେ ଚନ୍ଦ୍ରପୃଷ୍ଠରେ ଭାରତୀୟ ରୋବୋଟିକ୍‌ ହ୍ୟୁମାନଏଡ୍‌ ଓହ୍ଲାଇବେ । ଶୁକ୍ର ଗ୍ରହର ଅଧ୍ୟୟନ ପାଇଁ ଶୁକ୍ରଯାନ ଯିବ । ୨୦୪୦ରେ ଚନ୍ଦ୍ରପୃଷ୍ଠରେ ଭାରତୀୟଙ୍କ ପାଦ ପଡ଼ିବା ନେଇ ଇସ୍ରୋ ଯୋଜନା କରିଛି ।