ଭୁବନେଶ୍ୱର, ୧୨।୨: ପିଲାଟି ବେଳୁ ଇଚ୍ଛା ଥିଲା, ଭଲ କ୍ରୀଡ଼ାବିତ୍ ହେବେ । ସୁନ୍ଦର ଶରୀର ଥିବାରୁ ପାୱାରଲିଫ୍ଟିଂରେ ରୁଚି ରଖିଥିଲେ । ବଡିବିଲ୍ଡିଂ ବି କରୁଥିଲେ । ସେଇଥିରେ ଚାକିରି କରି ପରିବାର ବି ପୋଷୁଥିଲେ । ହେଲେ ଗୋଟିଏ ଦୁର୍ଘଟଣା ବଦଳାଇଲା ଜୀବନ । ଅକର୍ମଣ୍ୟ ହୋଇଗଲା ଦୁଇଗୋଡ । ଗୋଟିଏ ଘରେ ବନ୍ଦୀ ହୋଇଗଲେ । ହେଲେ କେତେଦିନ ? ଯାତନା ପରେ ଯାତନା । ପରିବାର ପ୍ରତିପୋଷଣଠୁ ନେଇ ନିଜର ଖର୍ଚ୍ଚ ପର୍ଯ୍ୟନ୍ତ, ସବୁ ଚିନ୍ତା ତାଙ୍କୁ ଘାରିଥିଲା । ଶେଷରେ ସେ ପଣ କଲେ, ନା ଆଉ ହେବନି । ଅକ୍ଷମତାକୁ ହରାଇବେ । ଯାତନାକୁ ପଛରେ ପକାଇ ଜିତିବେ । କତ୍ତର୍ବ୍ୟ ପଥରେ ଆଗକୁ ବଢ଼ିବେ । ଏବେ ହ୍ୱିଲଚେୟାରରେ ବସି ସେ ପାୱାରଲିଫ୍ଟିଂ ଅଭ୍ୟାସ ଜାରି ରଖିଛନ୍ତି । ପରିବାର ଚଳାଇବା ପାଇଁ ଅନଲାଇନ୍ ଖାଦ୍ୟ ଡେଲିଭରି ବି କରୁଛନ୍ତି । କେମିତି ଜଣେ ଭଲ ପାରାକ୍ରୀଡାବିତ୍ ହେବେ, ସେହି ଲକ୍ଷ୍ୟରେ ଆଗେଇଚାଲିଛନ୍ତି । ଏଭଳି ଜଣେ ଯୁବକ ହେଲେ ଯତୀନ ଖଟୁଆ । ଯତୀନଙ୍କ ବୟସ ଏବେ ୨୯ । ତେବେ ୧୬ବର୍ଷ ବୟସରୁ ଯତୀନଙ୍କ ଜୀବନ ସଂଘର୍ଷମୟ ହୋଇପଡ଼ିଛି । ସାଲେପୁର ନିବାସୀ କୈଳାସ ଚନ୍ଦ୍ର ଖଟୁଆ ଓ ସକୁନ୍ତଳାଙ୍କ ଏକମାତ୍ର ପୁଅ ଯତୀନ ଡିପ୍ଲୋମା କରି ଯାଜପୁର ଜିଲ୍ଲା ଡୁବୁରୀର ଏକ କମ୍ପାନୀରେ ଚାକିରି କରିଥିଲେ ।

ଏହା ବି ପଢ଼ନ୍ତୁ... କଣାସରେ ପାନୀୟ ଜଳକୁ ନେଇ ହାହାକାର ସ୍ଥିତି, ପିଲାଙ୍କ ଖେଳ ପଡ଼ିଆ ପାଲଟିଛି ନଦୀ ଶଯ୍ୟା​​​​​​​

୨୦୧୭ ମସିହାର କଥା । ବାଇକରେ ଭୁବନେଶ୍ୱର ଯାଉଥିବାବେଳେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇ ଦୁଇଗୋଡ ଅଚଳ ହୋଇଯାଇଥିଲା । ଏହାପରେ ତାଙ୍କ ଜୀବନରେ କଳାବାଦଲ ଘୋଟି ଆସିଥିଲା । ତଥାପି ଯତୀନ ମନରେ ଆତ୍ମବିଶ୍ୱାସ ନେଇ ଆଗକୁ ବଢିଥିଲେ । କରୋନା ପରେ ପରେ ସେ ପୁଣି ଭୁବନେଶ୍ୱର ଆସିଥିଲେ । ତମାଣ୍ଡୋରେ ଏକ ଘର ଭଡା ନେଇ ରହି ଏକ ଅନଲାଇନ୍ ଖାଦ୍ୟ ଡେଲିଭରି ସଂସ୍ଥାରେ ଚାକିରି କରିଥିଲେ । ସେଥିରୁ ଯାହା ଆୟ ହୁଏ, ଘର ଚଳାଇବା ସହ ବଡିବିଲ୍ଡିଂ କରୁଥିଲେ ଯତୀନ । ଗତବର୍ଷ ଯତୀନ ଉତ୍କଳ କରାଟେ ସ୍କୁଲରେ ପାୱାରଲିଫ୍ଟିଂ ଶିଖିଥିଲେ । ଏଥିପାଇଁ ବିଶିଷ୍ଟ କରାଟେ ଗୁରୁ ହରି ସାର୍ ତାଙ୍କୁ ବହୁ ସାହାଯ୍ୟ କରୁଛନ୍ତି । ଚଳିତମାସ ୬ରୁ ୮ ତାରିଖ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଓଡିଶା ଷ୍ଟେଟ୍ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ରେ ଡିସକସ୍ ଖେଳରେ ଯତୀନ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି । ତେବେ ଗତବର୍ଷ ଏକ ସଡକ ଦୁର୍ଘଟଣାରେ ଯତୀନଙ୍କ ବାପା କୈଳାସଙ୍କ ମଧ୍ୟ ଗୋଡ ଅଚଳ ହୋଇଯାଇଛି । ତେଣୁ ଘରର ସବୁ ଦାୟିତ୍ୱ ଏବେ ଯତୀନଙ୍କ ଉପରେ । ତେଣୁ ସରକାରୀ ଚାକିରି ପାଇଁ ଯତୀନ ପୁଣିଥରେ ଯୁକ୍ତ-୩ ପାଠ ପଢ଼ିବା ସହ ଜାତୀୟସ୍ତରୀୟ ପାରା ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି କହିଛନ୍ତି ।