- ଅପରାହ୍ଣରେ ଗତିବିଧିର ଯାଞ୍ଚ ଚାଲିଛି
- ଜେଲ୍ରେ ୨ ଡିଆଇଜିଙ୍କ ତନାଘନା
- ମାଓ ନେତା ରୁପୁ, ଅନ୍ୟ ଜଣେ ସୁସ୍ଥ
- ୩ ଜଣଙ୍କ ସ୍ୱାସ୍ଥାବସ୍ଥା ସୁଧୁରୁଛି
ଭୁବନେଶ୍ୱର,୨୫/୦୬: ଝାରପଡ଼ା ସ୍ୱତନ୍ତ୍ର କାରାଗାର କ୍ୟାଣ୍ଟିନ୍ ପରିସରରେ ସଭିଏଁ ଅପରାହ୍ଣରେ ଏକାଠି ହୋଇଥିଲେ । ସମସ୍ତଙ୍କ ହାବଭାବ ଆଉ ଚାଲିଚଳଣ ସ୍ୱାଭାବିକ ଥିଲା । ମାତ୍ର ଘଣ୍ଟାଏ ଭିତରେ ଏମିତି କ’ଣ ଘଟିଗଲା ଯେ ସେମାନେ ଅଚାନକ ଅସୁସ୍ଥ ହୋଇପଡିଲେ । ଖାଲି ବାଉଳି ହେଲେ । ୫ ବିଚରାଧୀନ କଏଦୀ ଅସୁସ୍ଥ ହେବାର ରହସ୍ୟ ଖୋଜା ଆରମ୍ଭ ହୋଇଛି । ଅପମିଶ୍ରିତ ଖାଦ୍ୟ ନା ମାତ୍ରାଧିକ ନିଶା ସେବନ ଯୋଗୁ ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା, ସେନେଇ ତନାଘନା ଚାଲିଛି ।
ମଙ୍ଗଳବାର ରାତିରେ ଡିଆଇଜି (ହେଡ୍କ୍ୱାର୍ଟସ୍) ବୀରେନ ସାହୁ ଓ ଡିଆଇଜି ଅନୁସୟା ଜେନା କାରାଗାରକୁ ଯାଇ ତଦନ୍ତ କରି ଫେରିଥିଲେ । କାରାଗାରରେ ରହୁଥିବା ସେଲ୍ରେ ଖଞ୍ଜାଯାଇଥିବା ସିସି କ୍ୟାମେରା ଫୁଟେଜ୍କୁ ଯାଞ୍ଚ କରାଯାଇଥିଲା । ଆଜି ୨ ଡିଆଇଜି ମଧ୍ୟ ଜେଲ୍କୁ ଯାଇ ଦୀର୍ଘ ୨ ଘଣ୍ଟା ଧରି ଘଣ୍ଟାଚକଟା କରିଥିଲେ । ଜୋନ୍-୪ ଏସିପି ଅଭିମନ୍ୟୁ ନାୟକ ମଧ୍ୟ ଆଜି କାରାଗାରରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ସିସି କ୍ୟାମେରା ଫୁଟେଜ୍ରୁ ଜଣାପଡିଛି ଯେ, ୫ଜଣ ଯାକ ଭିନ୍ନ ଭିନ୍ନ ସେଲ୍ରେ ରହୁଛନ୍ତି । କିନ୍ତୁ ସକାଳେ ଓ ଅପରାହ୍ଣରେ ଏକାଠି ବସାଉଠା କରନ୍ତି । କ୍ୟାଣ୍ଟିନ୍ରୁ ଶୁଖିଲା ଖାଦ୍ୟ କିଣିକି ଖାନ୍ତି । ସେମାନେ ଅପରାହ୍ଣରେ ବୁଲିବା ବେଳର ଗତିବିଧିକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । କାହାଠାରୁ ଲୁଚାଇକି ମେଡିସିନ କିମ୍ବା ନିଶା ଟାବଲେଟ୍ ଆଣିଥିଲେ କି ? ସେନେଇ ଯାଞ୍ଚ କରାଯାଉଛି । ଏମ୍ସରୁ ମାଓ ନେତା ରୁପୁ ସିଂ ସୁସ୍ଥ ହୋଇ କାରାଗାରକୁ ଫେରିଛନ୍ତି । ସେହିପରି ବାଦଲ ବେହେରା ନାମକ ଜଣେ ବିଚାରାଧୀନ କଏଦୀ ମଧ୍ୟ ଡିସ୍ଚାର୍ଜ ହୋଇଛନ୍ତି । ୨ଜଣଙ୍କୁ କାରାଗାରରେ ଥିବା ହସ୍ପିଟାଲରେ ରଖାଯାଇ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯାଉଛି । ଅନ୍ୟ ୩ଜଣ ଏବେ ବି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅନେକ ସୁଧାର ଆସିଛି । ଖୁବ୍ଶୀଘ୍ର ହସ୍ପିଟାଲରୁ ଡିସ୍ଚାର୍ଜ ହେବେ ବୋଲି ସୂଚନା ମିଳିଛି ।
କ୍ୟାପିଟାଲ ହସ୍ପିଟାଲ ଆଇସିୟୁ ଇନ୍ଚାର୍ଜ ଡ. ଲମ୍ବୋଦର ପଣ୍ଡା ଡାକ୍ତରଙ୍କ କହିବା ମୁତାବକ, ସେମାନେ ଆଡ୍ମିଟ ହେବା ବେଳକୁ ବାଉଳିଚାଉଳି ହେଉଥିଲେ । ମେଡିସିନ୍ ଓଭରଡୋଜ୍ରୁ ଏଭଳି ସ୍ଥିତି ଉପୁଜି ହୋଇଥାଇପାରେ । ଥଣ୍ଡା କମାଇବା ପାଇଁ କଫ୍ ସିରପ୍, ଲିଭୋ ସିଟ୍ରିଜିନ ଭଳି ମେଡିସିନ୍ ଖାଇଥାଇପାରନ୍ତି । ମାତ୍ରାଧିକ ନିଦ ପାଇଁ ଅଧିକମାତ୍ରାରେ କଫ୍ ସିରପ୍ ପିଇ ଦେଇଥାନ୍ତି । ଝାରପଡ଼ା କାରାଗାର ଅଧୀକ୍ଷକ ସର୍ବେଶ୍ୱର ସାହୁଙ୍କ ନିର୍ଦ୍ଦେଶ ମୁତାବକ ବାହାରୁ ଜେଲ୍କୁ ଯାଉଥିବା ସାମଗ୍ରୀର ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡି କରାଯାଇଛି । ଜେଲ୍କୁ ଯାଉଥିବା ଖାଦ୍ୟ ପଦାର୍ଥ, ପରିବା, ସଉଦାକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ବିଶେଷକରି, କଏଦୀଙ୍କୁ ଦିଆଯାଉଥିବା ମେଡିସିନ୍ ବୈଧତା ଓ ଗୁଣବତ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।
ଅଧିକ ପଢନ୍ତୁ-Textbook errors : ଶିକ୍ଷକଙ୍କ ପାଖେ ପହଞ୍ଚିନି ସଂଶୋଧିତ ପୁସ୍ତିକା, ତ୍ରୁଟି ସୁଧାରିବାକୁ ସାର୍ ଅମଙ୍ଗ