ନୂଆଦିଲ୍ଲୀ,୨୯/୦୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୋରଦାର ଟାର୍ଗେଟ୍‌ କରିଥିଲେ । ସେଠାରେ ସେ ଟ୍ରମ୍ପଙ୍କୁ ‘ଲୁଜର’ କହି ଗର୍ଜିଥିଲେ । ତାଙ୍କର ସେହି କଡ଼ା ସମାଲୋଚନା ଶୁଣି ଉପସ୍ଥିତ ଦର୍ଶକମାନେ କରତାଳି ବଜାଇଥିଲେ । କିନ୍ତୁ ଭାଷଣ ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବାଇଡେନ୍‌ ମଞ୍ଚ ଉପରୁ ଓହ୍ଲାଇବା ଲାଗି ହଠାତ୍‌ ରାସ୍ତା ଭୁଲିଯାଇଥିଲେ । ଠିକ୍‌ ରାସ୍ତା ପାଇବା ପାଇଁ ସହାୟତା କରିବାକୁ ସେ ମଞ୍ଚ କଡ଼ରେ ବସିଥିବା ଲୋକଙ୍କୁ ଇଙ୍ଗିତ ଦେଇଥିଲେ । ଏହାଦେଖି ଦର୍ଶକଙ୍କ ତାଳିର ସେହି ଗୁଞ୍ଜରଣ ତୁରନ୍ତ ଥମି ଯାଇଥିଲା । ବାଇଡେନ୍‌ ଏଭଳି ହଟହଟା ହେବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

ଶନିବାର ମାରିଲାଣ୍ଡର ୱାଲ୍ଟିମୋର ନିକଟରେ ଡେମୋକ୍ରାଟିକ୍‌ ଦଳର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ବାଇଡେନ୍‌ ଟ୍ରମ୍ପଙ୍କ ନୀତିକୁ କଡ଼ା ସମାଲୋଚନା କରିଥିଲେ । ଏହି ସମୟରେ ସେ ଲିଙ୍କନ ମେମୋରିଆଲ୍‌ ରିଫ୍ଲେକ୍ଟିଙ୍ଗ ପୁଲ୍‌ର ବିବାଦୀୟ ନବୀକରଣ କଥା ମଧ୍ୟ ଉଠାଇଥିଲେ । ସେଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ସେ ଅଭିଯୋଗ ଆଣିଥିଲେ । ବାଇଡେନ୍‌ କହିଥିଲେ ଯେ, ନିଜର ବଲରୁମ୍‌ ଲାଗି ସ୍ଥାନ ପ୍ରସ୍ତୁତ କରିବାକୁ ଟ୍ରମ୍ପ ହ୍ୱାଇଟ୍‌ ହାଉସ୍‌ର ଇଷ୍ଟ ୱିଙ୍ଗକୁ ଭାଙ୍ଗିଥିଲେ । କେନେଡି ସେଣ୍ଟରରେ ନିଜର ନାମ ଲେଖିଥିଲେ । ନିଜର ସମ୍ମାନରେ ଏକ ତୋରଣ ତିଆରି କରିଥିଲେ । ଏପରିକି ରିଫ୍ଲେକ୍ଟିଙ୍ଗ ପୁଲ୍‌ର ନବୀକରଣ ଲାଗି ନିଜ ଲୋକଙ୍କୁ ନିଯୁକ୍ତ କରିଥିଲେ ।

​​​​​​​

ଏବେ ସେହି ପୁଲ୍‌ ଦୁର୍ନୀତିର ମୂକସାକ୍ଷୀ ପାଲଟିଛି । ବାଃ, କି ‘ଲୁଜର’ । ଏଭଳି ସ୍ଥିତିକୁ ଦେଖି ଆମେରିକୀୟ ମାନେ ବାଇଡେନ୍‌ ପ୍ରଶାସନ ସମୟର ଅର୍ଥବ୍ୟବସ୍ଥା ଟ୍ରମ୍ପଙ୍କ ଅପେକ୍ଷା ବହୁତ ଭଲ ବୋଲି କହୁଛନ୍ତି । ଶେଷରେ ଚାଲେଞ୍ଜର ମୁକାବିଲା ଲାଗି ଆମେରିକୀୟଙ୍କ ଦକ୍ଷତା ବିଷୟରେ ବର୍ଣ୍ଣନା କରି ବାଇଡେନ୍‌ ଭାଷଣ ଶେଷ କରିଥିଲେ । ୧୦ ମିନିଟ୍‌ ଅବଧିର ତାଙ୍କର ସେହି ଦମ୍‌ଦାର ଭାଷଣ ପରେ ତାଳିମାଡ଼ରେ ସେହି ସ୍ଥାନ ପ୍ରକମ୍ପିତ ହୋଇଥିଲା । କିନ୍ତୁ ଅଚାନକ ବାଇଡେନ୍‌ ମଞ୍ଚରୁ ଓହ୍ଲାଇବାର ରାସ୍ତା ଭୁଲି ଯାଇଥିଲେ । ତାଙ୍କୁ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ଦେଖିବାକୁ ମିଳିଥିଲା । ପରେ ସେ ସହାୟତା ଲାଗି ମଞ୍ଚ କଡ଼ରେ ବସିଥିବା ଲୋକଙ୍କୁ ଇଙ୍ଗିତ କରିଥିଲେ । ଠିକ୍‌ ରାସ୍ତା ସଂପର୍କରେ ମାର୍ଗଦର୍ଶନ ପାଇବା ପରେ ଦର୍ଶକଙ୍କୁ ପଛ କରି ମଞ୍ଚରୁ ଓହ୍ଲାଇଥିଲେ ।

ଏହା ବି ପଢନ୍ତୁ...Iran-Us: ଆମେରିକା-ଇରାନ ପରସ୍ପର ଉପରେ କରିବେନି ଆକ୍ରମଣ, କାତାରରେ ହାଇଲେବଲ ମିଟିଂରେ ସହମତି

ଏହା ପୂର୍ବରୁ ଶିକାଗୋରେ ବାରାକ ଓବାମାଙ୍କ ପୁସ୍ତକାଳୟର ଉଦ୍‌ଘାଟନ ସମାରୋହ ସମୟରେ ମଧ୍ୟ ୮୩ ବର୍ଷୀୟ ବାଇଡେନ୍‌ଙ୍କୁ ଏଭଳି ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେ କିଛି ସମୟ ଯାଏ ମଞ୍ଚରେ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ଛିଡ଼ା ହୋଇ ରହିଥିଲେ । ପତ୍ନୀ ଜିଲ୍‌ ବାଇଡେନ୍‌ ତାଙ୍କୁ ସେତେବେଳେ ସହାୟତା କରିଥିଲେ । ସୂଚନାଥାଉକି, ବାଇଡେନ୍‌ ରାଷ୍ଟ୍ରପତି ଥିବା ସମୟରେ ତାଙ୍କ ବୟସ ଏବଂ ମାନସିକ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠିଥିଲା । ଏଭଳିକ୍ଷେତ୍ରରେ ୨୦୨୪ର ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ସେ ଓହରି ଯାଇଥିଲେ । ବର୍ତ୍ତମାନ ମଞ୍ଚରେ ତାଙ୍କୁ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ଦେଖିବା ପରେ ପୁଣି ତାଙ୍କ ମାନସିକ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠୁଛି ।