ଭୁବନେଶ୍ୱର, ୨/୧୨ : ଆଜିର ଦିନରେ ସମସ୍ତେ ଜଣେ ଲେଖାଏ ସାମ୍ବାଦିକ ସାଜିଛନ୍ତି । ସୋସିଆଲ୍ ମିଡିଆରେ ଇନ୍ପ୍ଲୁଏସନର ବିଭିନ୍ନ ପ୍ରକାର ଖବର ପ୍ରକାଶ କରୁଛନ୍ତି । ତାହା ସବୁବେଳେ ଭରସା ଯୋଗ୍ୟ ନୁହେଁ । ସେମାନେ କୌଣସି ଏକ ପ୍ରସଙ୍ଗକୁ ନେଇ ଭାଇରାଲ କରନ୍ତି । ଅନେକ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଖବରକୁ ମଧ୍ୟ ପ୍ରସାର କରାଯାଏ ଆଉ କିଛି ସମୟରେ ପ୍ରଚାର ପ୍ରସାର ପାଇଁ ଖବର ହୁଏ । କିନ୍ତୁ ମୁଖ୍ୟ ଧାରାର ସାମ୍ବାଦିକ ଏଥିରେ ରୁହନ୍ତି ନାହିଁ । ସେମାନେ ସର୍ବଦା ଗ୍ରାଉଣ୍ଡକୁ ଯାଇ ସତ୍ୟତା ଯାଞ୍ଚ କରି ଖବର କରିଥାନ୍ତି । ସାମ୍ବାଦିକ ସୋଆ ସାହିତ୍ୟ ଉତ୍ସବରେ ‘ନଏଜ୍, ନ୍ୟୁଜ୍, ନାରେଟିଭ୍: ଆମେ କାହାକୁ ବିଶ୍ୱାସ କରିବା’ ଶୀର୍ଷକ ଆଲୋଚନାରେ ଆଲୋଚକମାନେ ଏପରି ମତ ରଖିଛନ୍ତି ।
ସୋଆର ମନୋଜ ଦାସ ହଲ୍ରେ ଲେଖକ ବିୟତ୍ ପ୍ରଜ୍ଞା ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଏକ୍ସପ୍ରେସ୍ର ସମ୍ପାଦକ ସାନ୍ତ୍ୱନା ଭଟ୍ଟାଚାର୍ଯ୍ୟ କହିଲେ, ଶୁଣା ଖବର କେବେବି ନ୍ୟୁଜ୍ ହୋଇପାରିବ ନାହିଁ । ଆମକୁ ଗ୍ରାଉଣ୍ଡକୁ ଯାଇ ତଥ୍ୟ ସଂଗ୍ରହ କରିବାକୁ ହେବ । ପ୍ରମାଣ ସହ ଖବର ଛାପିବାକୁ ହେବ । ତେବେ ଯାଇ ଲୋକଙ୍କ ପାଖେ ଠିକ୍ ଖବର ପହଞ୍ଚାଇ ପାରିବା । ଲୋକାଦୃତ ମଧ୍ୟ ହୋଇପାରିବା । ସାମ୍ବାଦିକ ଏ କ୍ରିଷ୍ଣା ରାଓ କହିଲେ, ସାମ୍ବାଦିକତା ଭିତରେ କେବେବି ପ୍ରତିଯୋଗିତା ହୋଇନଥାଏ ବଂର ବିଚାରଧାରାରେ ପ୍ରତିଯୋଗିତା ହୁଏ । ସତକୁ ଯେତେବି ଚାପିଲେ ମଧ୍ୟ କେହି ରୋକିପାରିବେ ନାହିଁ । ସାମ୍ବାଦିକ ଶିକ୍ତା ଦେଓ କହିଲେ, ଇନ୍ପ୍ଲୁଏସନର ଚାହିଁଲେ ଭିଡିଓ କରିପାରିବେ, ଆଙ୍କରିଂ କରିପାରିବେ ଓ ଲେଖି ମଧ୍ୟ ପାରିବେ । କିନ୍ତୁ ତାହା ଭରସା ଯୋଗ୍ୟ ନୁହେଁ । କିନ୍ତୁ ଜଣେ ସାମ୍ବାଦିକ ଗ୍ରାଉଣ୍ଡ ଜିରୋରୁ ସଂଗ୍ରହ କରିଥିବା ତଥ୍ୟ ସର୍ବଦା ଭରସାଯୋଗ୍ୟ । ସେଥିଲାଗି ସାମ୍ବାଦିକମାନେ ନିଜେ ସବୁବେଳେ ସତ୍ୟତା ଯାଞ୍ଚ କରନ୍ତୁ । ସାମ୍ବାଦିକ ପ୍ରଶାନ୍ତ ଭି ସିଂହ କହିଲେ, ସାମ୍ବାଦିକମାନେ ଅଧିକ ପଢ଼ନ୍ତୁ, ଖବର ପାଇଁ ଅଧିକ ପରିଶ୍ରମ କରନ୍ତୁ । ଖବର ଭିତରକୁ ଯେତେ ପଶିବା ସେତେ ଅଧିକ ତଥ୍ୟ ପାଇବା ଓ ଏହା ଭରସାଯୋଗ୍ୟ ମଧ୍ୟ ହେବ ।