ଭୁବନେଶ୍ବର, ୭।୬ : ମହାକାଶରେ ଘଟିବ ଏକ ବିରଳ ଘଟଣା । ବିରଳ ଦୃଶ୍ୟ ଦେଖିବେ ବିଶ୍ୱବାସୀ । ଚଳିତ ବର୍ଷର ସବୁଠାରୁ ସୁନ୍ଦର ମହାକାଶୀୟ ଦୃଶ୍ୟ ଜୁନ୍ ୮ ଏବଂ ୯ ତାରିଖ ସନ୍ଧ୍ୟାରେ ଦେଖିବାକୁ ମିଳିବ। ସୌରମଣ୍ଡଳର ଦୁଇଟି ସବୁଠାରୁ ଉଜ୍ଜଳ ଗ୍ରହ ଶୁକ୍ର, ଓ ବୃହସ୍ପତି ପରସ୍ପରର ଅତି ନିକଟତର ହେବାକୁ ଯାଉଛନ୍ତି। ଜ୍ୟୋତିର୍ବିଜ୍ଞାନ ଭାଷାରେ ଏହାକୁ ଗ୍ରହ ସଂଯୋଗ କୁହାଯାଏ। ଏହି ବର୍ଷର ସବୁଠାରୁ ସୁନ୍ଦର ମହାକାଶୀୟ ଘଟଣା ମଧ୍ୟରୁ ଏହି ବିରଳ ଦୃଶ୍ୟ ଅନ୍ୟତମ ।

ଜୁନ୍ ୯, ୨୦୨୬ରେ ସନ୍ଧ୍ୟା ଆକାଶରେ ବୃହସ୍ପତି ଏବଂ ଶୁକ୍ର ଗ୍ରହ ଅତ୍ୟନ୍ତ ନିକଟତର ଦେଖାଯିବେ ।ପୃଥିବୀରୁ ଦୃଶ୍ୟମାନ ସବୁଠାରୁ ଉତ୍କଳ ଗ୍ରହ ଶୁକ୍ର ଏବଂ ସୌରମଣ୍ଡଳର ସର୍ବବୃହତ୍ ଗ୍ରହ ବୃହସ୍ପତି କେବଳ ୧.୫ ଡିଗ୍ରୀ ପୃଥକରେ ଦେଖାଯିବେ । ଅର୍ଥାତ୍ ଗ୍ରହ ଦୁଇଟି ପୂର୍ଣ ଚନ୍ଦ୍ର ବ୍ୟାସର ୩ ଗୁଣ ଆକାରର ଅଞ୍ଚଳ ଭିତରେ ଦେଖାଯିବେ । ସୂର୍ଯ୍ୟାସ୍ତ ପରେ ପ୍ରାୟ ଏକ ରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହି ଯୋଡ଼ି ଦୃଶ୍ୟମାନ ରହିବ । ଜୁନ୍ ୮ ଏବଂ ୯ ତାରିଖ, ସନ୍ଧ୍ୟା ୭ଟା ରୁ ରାତି ୮ଟା ମଧ୍ୟରେ ଏହି ଦୃଶ୍ୟ ସବୁଠାରୁ ସ୍ପଷ୍ଟ ହେବ। ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଆକାଶରେ ଖାଲି ଆଖିରେ ଏହାକୁ ଦେଖିହେବ। ଆକାଶ ମେଘମୁକ୍ତ ଥିଲେ ଓଡ଼ିଶା ସମେତ ସାରା ଭାରତରେ ଏହି ଚମତ୍କାର ଦୃଶ୍ୟ ଦେଖାଯିବ। ପ୍ରଥମେ ଅଧିକ ଉଜ୍ଜଳ ଶୁକ୍ର ଏବଂ ତା' ତଳକୁ ସାମାନ୍ୟ କମ୍ ଉଜ୍ଜଳ ବୃହସ୍ପତି ଗ୍ରହ ଦେଖାଯିବେ। ପ୍ରକୃତରେ ଦୃଶ୍ୟଟି ଖୁବ ଆଶ୍ଚର୍ଯ୍ୟଜନକ କାରଣ ମହାକାଶରେ ଶୁକ୍ର ସୂର୍ଯ୍ୟଠାରୁ ୧୧ କୋଟି କିଲୋମିଟର ଏବଂ ବୃହସ୍ପତି ୭୮ କୋଟି କିଲୋମିଟର ଦୂରରେ ରହିଛନ୍ତି। କିନ୍ତୁ ଏବେ ପୃଥିବୀ, ଶୁକ୍ର ଏବଂ ବୃହସ୍ପତି ଗୋଟିଏ ସରଳ ରେଖାରେ ଅବସ୍ଥାପିତ ହେବ କାରଣରୁ , ପୃଥିବୀରୁ ଦେଖିଲେ ଦୁଇ ଗ୍ରହ ମାତ୍ର ୧.୫ ଡିଗ୍ରୀ ଦୂରତାରେ ପାଖାପାଖି ଦେଖାଯିବେ ।

ତେବେ କେବଳ ବିଜ୍ଞାନ ନୁହଁ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହାର ଏକ ସ୍ୱତନ୍ତ୍ରତା ରହିଛି । ଏମିତି ବିରଳ ଦୃଶ୍ୟ ଘଟିବାକୁ ବହୁ ବର୍ଷ ଲାଗିଥାଏ । ଆଉ ଶୁକ୍ର ଓ ବୃହସ୍ପତି ଗ୍ରହ ଏକାଠି ହେବା ଏକ ଶୁଭଙ୍କର ଘଟଣା ବୋଲି ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ ଅଛି । ଯାହା ଦ୍ୱାରା ଲୋକଙ୍କ ଜୀବନରେ ବହୁ ଭଲ ପ୍ରଭାବ ପଡ଼ିବାକୁ ଯାଉଛି । ଚାକୀରି, ବ୍ୟବସାୟ, ସେୟାର ମାର୍କେଟ , ଆର୍ଥିକ କ୍ଷେତ୍ରରେ ଏହି ସଂଯୋଗ ଏକ ସକାରାତ୍ମକ ପ୍ରଭାବ ପକାଇଥାଏ । ଏହାକୁ ଦେଖିବା ମଧ୍ୟ ଭଲ ବୋଲି କହିଛନ୍ତି ଜ୍ୟୋତିର୍ବିଦ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତି ହେଉଛନ୍ତି ଦେବଗୁରୁ ଓ ଶୁକ୍ର ହେଉଛନ୍ତି ଦୈତ୍ୟ ଗୁରୁ । ତେବେ ଦୁଇ ଗୁରୁ ଯୋଗ ହେବ ଦ୍ୱାରା ସମାଜରେ ଏକ ସୌଖୀକ ପରାଭବ ପକାଇବା ବୋଲି ଗଣାନା କରାଯାଇଛି । ଯେବେ ଉଭୟ ଗୁରୁ ଅନେକ ବର୍ଷ ପରେ ଏକାଠି ହୁଅନ୍ତି ସେତେବେଳେ ଦ୍ୱିଗୁରୁ ଯୋଗ ବୋଲି କୁହାଯାଇଥାଏ ।

ପୂର୍ବରୁ ଏହି ସଂଯୋଗ ୨୦୨୩ ମାର୍ଚ୍ଚ ୧ ରେ ହୋଇଥିଲା। ଏହାପରେ ପୁଣି ୨୦୨୭ ଅଗଷ୍ଟ ୨୬ ସନ୍ଧ୍ୟାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ। ତେଣୁ ସନ୍ଧ୍ୟା ହେଲେ ଆକାଶକୁ ଅନାନ୍ତୁ ବିଜ୍ଞାନ ଓ ଜ୍ୟୋତିଷଶାସ୍ତ୍ରର ଏହି ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ।

ଆହୁରି ପଢନ୍ତୁ : ଭୁବନେଶ୍ୱରରେ ଖୋଲିବ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ, ଖର୍ଚ୍ଚ ହେବ ୬୩୦ କୋଟି