ସୁନ୍ଦରଗଡ଼/ରାଉରକେଲା,୩୧/୧୦: ଯାଯାବର ବସ୍ତିରେ ରକ୍ତର ହୋଲି । ବୁଲିଲା ଦକ୍ଷିଣୀ କାତି, ଖଣ୍ଡା, ଭୁଜାଲି । ଆତଙ୍କ ଖେଳାଇଲେ ମୁଖାଧାରୀ ଦୁର୍ବୃତ୍ତ । ମାତ୍ର କେଇ ମିନିଟ୍ ମଧ୍ୟରେ ଗଡ଼ାଇଲେ ୫ ମୁଣ୍ଡ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ମହିଳା ଓ ଦୁଇଜଣ ପୁରୁଷ । ମାରଣାସ୍ତ୍ର ଚୋଟରେ ତିନି ଛୋଟ ପିଲାଙ୍କ ସମେତ ୪ଜଣ ଲହୁଲୁହାଣ ହୋଇଛନ୍ତି । ପରକୀୟା ପ୍ରୀତି ଓ ଦୀର୍ଘବର୍ଷର ଶତ୍ରୁତାକୁ ନେଇ କର୍ଣ୍ଣାଟକ ଓ ମହାରାଷ୍ଟ୍ରର ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦରୁ ସୁନ୍ଦରଗଡ଼ କରମଡ଼ିହିର ବନ୍ଜାରା ବସ୍ତି ମଙ୍ଗଳବାର ରାତିରେ ରକ୍ତରଞ୍ଜିତ ହୋଇଛି । ନାରକୀୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଗୋଟିଏ ପରିବାରର ଜଣେ ମହିଳା ଓ ଚାରି ଶିଶୁଙ୍କୁ ଅପହରଣ କରିନେଇଛନ୍ତି । ଏଭଳି ଗଣହତ୍ୟା ଓ ଅପହରଣ କେବଳ ସୁନ୍ଦରଗଡ଼ ନୁହେଁ, ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ହତ୍ୟାକାରୀଙ୍କୁ ଧରିବା ପୁଲିସ୍ ପାଇଁ ଚ୍ୟାଲେଞ୍ଜ ପାଲଟିଥିବାବେଳେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ଏସ୍ପି ପ୍ରତ୍ୟୁଷ ଦିବାକରଙ୍କ ନେତୃତ୍ୱରେ ୧୬ଟି ପୁଲିସ୍ ଟିମ୍ ଗଠନ କରାଯାଇଛି । ଓଡ଼ିଶାଛତିଶଗଡ଼, ଓଡ଼ିଶା-ଝାଡ଼ଖଣ୍ଡ ସୀମାକୁ ସିଲ୍ କରାଯାଇଛି । ଘଟଣାସ୍ଥଳରେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଅନ୍ୟପଟେ ଗଣହତ୍ୟାରେ ସମ୍ପୃକ୍ତି ସନ୍ଦେହରେ ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ୍ ବୁଢ଼ାପଙ୍କ ମୁଣ୍ଡାବସ୍ତି ପଡ଼ିଆରେ ରହୁଥିବା ୧୨ ଜଣ ଯାଯାବରଙ୍କୁ ଉଠାଇ ଆଣିଛି ।
ମୃତକ ହେଲେ ଅବିନାଶ ପାୱାର (୩୦)ଙ୍କ ଜେଜେ ମା’ କୁଣ୍ଡି ପାୱାର (୬୦), ଖୁଡ଼ୀ ଛମା ଭୋସ୍ଲେ (୨୫), ଭାଇ ସୁବାସ ପାୱାର (୨୩), ସମ୍ପର୍କୀୟ ଭାଇ ଚରଣ କୁମାର (୪୫) ଓ ଚରଣଙ୍କ ପତ୍ନୀ କାଇଲା କୁମାରୀ (୩୫) । ଦୁର୍ବୃତ୍ତଙ୍କ ଆକ୍ରମଣରେ ଅବିନାଶ, ମଞ୍ଜୁ ପାୱାର (୧୦), ପୀୟୁଷ କୁମାର (୧୩), ଅନିଶା କୁମାରୀ (୧୨) ଲହୁଲୁହାଣ ହୋଇଛନ୍ତି । ପୀୟୁଷ, ଅନିଶା ହେଉଛନ୍ତି ଚରଣଙ୍କ ପୁଅ ଓ ଝିଅ । ଉଭୟେ ମା’ବାପାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ମୃତାହତମାନେ ଦୁଇ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି । ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତଦେହଗୁଡ଼ିକୁ ମର୍ଗ ହାଉସ୍ରେ ରଖାଯାଇଛି ।
ଆକ୍ରମଣର ଶିକାର ହୋଇଥିବା ଯାଯାବର ପରିବାର ମହାରାଷ୍ଟ୍ର ରାଜ୍ୟ ନାଗପୁର ଅଞ୍ଚଳର । ୪-୫ ଦିନ ହେଲା ସେମାନେ କରମଡ଼ିହି ନିକଟ ଗୀତାପଡ଼ା ପଡ଼ିଆରେ ତମ୍ୱୁରେ ଡେରା ପକାଇ ରହୁଛନ୍ତି । ଅବିନାଶଙ୍କ ପ୍ରଥମ ସ୍ତ୍ରୀ ଦୁଇ ସନ୍ତାନଙ୍କୁ ଛାଡ଼ି ଅନ୍ୟ ଜଣଙ୍କ ସହ ଫେରାର ହୋଇଯାଇଛନ୍ତି । ୫-୬ ବର୍ଷ ତଳେ ଅବିନାଶ କର୍ଣ୍ଣାଟକର ଅନ୍ୟ ଏକ ଯାଯାବର ଗୋଷ୍ଠୀର ଜଣେ ବିବାହିତା ମହିଳା ଓ ତାଙ୍କ ପୁଅକୁ ଉଠାଇ ଆଣିଥିଲେ । ଅବିନାଶଙ୍କୁ ବିବାହ ପରେ ଆଉ ଏକ ପୁଅ ଜନ୍ମ ହୋଇଥିଲା । ସ୍ୱାମୀ-ସ୍ତ୍ରୀ ଓ ୪ ପୁଅ ଏକାଠି ରହୁଥିଲେ ।
ତେବେ କର୍ଣ୍ଣାଟକ ଯାଯାବର ମହିଳାଙ୍କୁ ଉଠାଇ ଆଣିବା ହିଁ ଅବିନାଶ ଏବଂ ଅପରଗୋଷ୍ଠୀ ମଧ୍ୟରେ ଶତ୍ରୁତାର ମଞ୍ଜି ବୁଣିଥିଲା । ଏହାକୁ ନେଇ ଅବିନାଶଙ୍କ ଉପରେ ରକ୍ତଚାଉଳ ଚୋବାଉଥିଲେ ପ୍ରତିପକ୍ଷ । ଏପରିକି ପୂର୍ବରୁ ଆନ୍ଧ୍ରପ୍ରଦେଶରେ ରହୁଥିବାବେଳେ ଅବିନାଶଙ୍କ ମା’, ବାପା ଓ ଭାଇଙ୍କୁ ସେମାନେ ନିର୍ମମ ଭାବେ ହତ୍ୟା କରିଥିଲେ । ଏହାପରେ ପରିବାର ସଦସ୍ୟଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟରୁ ରାଜ୍ୟ ଘୂରି ବୁଲୁଥିଲେ ଅବିନାଶ । ସେମାନେ ୪-୫ଦିନ ହେଲା ସୁନ୍ଦରଗଡ଼ କରମଡ଼ିହିର ଗୀତାପଡ଼ା ପଡ଼ିଆରେ ଆସି ଡେରା ପକାଇଥିଲେ ।
ମଙ୍ଗଳବାର ରାତି ପ୍ରାୟ ୧୧ଟା । ଅବିନାଶଙ୍କ ପରିବାର ସଦସ୍ୟ ଖାଇପିଇ ଶୋଇଯାଇଥିଲେ । ଅନ୍ଧାର ରାତିର ସୁଯୋଗରେ କର୍ଣ୍ଣାଟକ ଗୋଷ୍ଠୀର ୪ଜଣ ସଦସ୍ୟ ଆସି ତମ୍ବୁରେ ପଶି ଖଣ୍ଡା, ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ । ଅବିନାଶଙ୍କୁ ଖଣ୍ଡା ଚୋଟ ପଡ଼ିଥିଲେ ହେଁ ରକ୍ତାକ୍ତ ଅବସ୍ଥାରେ ଖସି ପଳାଇଥିଲେ । ହେଲେ ଅବିନାଶଙ୍କ ଜେଜେ ମା’, ଖୁଡ଼ୀ, ଭାଇ, ସମ୍ପର୍କୀୟ ଭାଇ ଏବଂ ଭାଉଜଙ୍କୁ ଜୀବନ ବଞ୍ଚାଇବାକୁ ସୁଯୋଗ ମିଳି ନ ଥିଲା । ରକ୍ତମୁଖା ମୁଖାଧାରୀମାରେ ତମ୍ବୁରେ ପଶି ସମସ୍ତଙ୍କୁ ଆଖିବୁଜା ହାଣି ଚାଲିଥିଲେ । କିଛି ସମୟ ମଧ୍ୟରେ ଭୂଇଁରେ ଲୋଟି ଯାଇଥିଲା ୫ ମୃତଦେହ । ମରଣମୁହଁରୁ ବର୍ତ୍ତିଯାଇଥିବା ମଞ୍ଜୁ, ପୀୟୁଷ, ଅନିଶା ଗୀତାପଡ଼ା ଅଞ୍ଚଳରେ ରହୁଥିବା ଲୋକଙ୍କ ଘରକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ ରାୟ, ଏସ୍ପି ଶ୍ରୀ ଦିବାକର, ଅତିରିକ୍ତ ଏସ୍ପି ପି.କେ. ଦାସ, ସଦର ଏସ୍ଡିପିଓ ହିମାଂଶୁ ବେହେରା, ଟାଉନ୍ ଥାନା ଇନ୍ସପେକ୍ଟର ଆଦିତ୍ୟ ମହାକୁଡ଼, ସଦର ଥାନା ଇନ୍ସପେକ୍ଟର ସସ୍ମିତା ଦେବତାଙ୍କ ସହ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଥିଲେ ।
ଆହୁରି ଜଣାପଡ଼ିଛି ଯେ, ହତ୍ୟାକାଣ୍ଡ ପରେ ଅବିନାଶଙ୍କ ଦ୍ୱିତୀୟ ସ୍ତ୍ରୀ ଓ ୪ ସନ୍ତାନଙ୍କୁ ଆକ୍ରମଣକାରୀମାନେ ବଳପୂର୍ବକ ନେଇଯାଇଛନ୍ତି । ସେମାନଙ୍କ ମଧ୍ୟରେ ଅବିନାଶଙ୍କ ପ୍ରଥମ ସ୍ତ୍ରୀଙ୍କ ୧୦ ବର୍ଷର ବଡ଼ପୁଅ, ୮ ବର୍ଷର ସାନପୁଅ, ଦ୍ୱିତୀୟ ସ୍ତ୍ରୀଙ୍କ ୪ବର୍ଷର ବଡ଼ପୁଅ ଏବଂ ଅଢ଼େଇ ବର୍ଷର ସାନପୁଅ ଅଛନ୍ତି । ସେମାନେ ରାତିରେ ୧୦ ନଂ. ରାଜ୍ୟ ରାଜପଥରେ ଏକ ଟ୍ରକ୍କୁ ଅଟକାଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ହେଲେ ଟ୍ରକ୍ ନ ଅଟକି ପଳାଇ ଯାଇଥିଲା । ଏହାପରେ ସେମାନେ କୁଆଡ଼େ ଗଲେ ତାହାର ଖୋଜଖବର ମିଳୁନାହିଁ । ଅପରାଧୀଙ୍କୁ ଧରିବା, ଅବିନାଶଙ୍କ ସ୍ତ୍ରୀ ଓ ପିଲାଙ୍କୁ ଉଦ୍ଧାର କରିବା ନିମନ୍ତେ ରାଉରକେଲା, ଝାରସୁଗୁଡ଼ା, ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ପୁଲିସ୍ ଟିମ୍ ଯାଇଛି । ଅନ୍ୟ ପୁଲିସ୍ ଟିମ୍ ସୁନ୍ଦରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ଖାନତଲାସି ଚଳାଇଛି । ଡିଆଇଜି ଶ୍ରୀ ରାୟ ସୁନ୍ଦରଗଡ଼ରେ ରହି ତଦନ୍ତର ନିରୀକ୍ଷଣ କରୁଛନ୍ତି ।