ନୂଆଦିଲ୍ଲୀ : ସ୍ବାମୀଙ୍କୁ ପସନ୍ଦ ନଥିଲା ସ୍ତ୍ରୀର ପୋଷାକ । ଶାଢ଼ୀ ବଦଳରେ ସ୍ତ୍ରୀଙ୍କ ନାଇଟ୍ ପିନ୍ଧାକୁ ପସନ୍ଦ କରୁନଥିଲେ ସ୍ବାମୀ । ଶେଷରେ ରାଗରେ ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ସ୍ବାମୀ । ସ୍ତ୍ରୀର ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଛି । କର୍ଣ୍ଣାଟକର ବେଲଗାମୀ ଜିଲ୍ଲାରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ପୁଲିସ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ପଚରା ଉଚରା କରୁଥିବାବେଳେ ମହିଳା ଜଣକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ମିଳିଥିବା ଖବର ଅନୁସାରେ ଅଭିଯୁକ୍ତ ଜଣକ ହେଲେ ୩୪ ବର୍ଷୀୟ କୃଷ୍ଣ ପାଟିଲ୍ । ସେ ତାଙ୍କ ପତ୍ନୀ ମଞ୍ଜୁଳାଙ୍କୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ତାଙ୍କ ପତ୍ନୀ ଶାଢ଼ୀ ବଦଳରେ ନାଇଟ୍ ଡ୍ରେସ୍ ପିନ୍ଧୁଥିଲେ । ଯାହାକୁ ପସନ୍ଦ କରୁନଥିଲେ କୃଷ୍ଣ । ଯେଉଁ କାରଣରୁ ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା । ଘଟଣାଦିନ ମଧ୍ୟ ଡ୍ରେସ୍ ପିନ୍ଧିଥିବା ସ୍ତ୍ରୀଙ୍କୁ ପ୍ରଥମେ ଗାଳି କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା । ଆଉ ଶେଷରେ ରାଗରେ ସ୍ତ୍ରୀଙ୍କ ଦେହରେ ନିଆଁ ଲଗାଇଦେଇଥିଲେ । ସେ ଚିତ୍କାର କରିବା ପରେ ପରିବାର ଲୋକେ ଆସି ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।
ମଞ୍ଜୁଳାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା ଦେଇଛନ୍ତି ଡାକ୍ତର । ସେ ଏବେ ଉନ୍ନତ ଚିକିତ୍ସା ପାଇଁ ଗୋଆରେ ଅଛନ୍ତି । ଗୋଆର ଏକ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ କୃଷ୍ଣଙ୍କୁ ଗିରଫ କରିଛି । ସେ ପୁଲିସ ଆଗରେ ମାନିଛନ୍ତି କି, ମୋ କଥା ନମାନିବାରୁ ମୁଁ ଏମିତି କରିଛି ।
ଏହାସହ ପଢ଼ନ୍ତୁ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଲକ୍ଷ୍ନୌ, ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ