ନୂଆଦିଲ୍ଲୀ,୧୦।୬: କର୍ଣ୍ଣାଟକର କଂଗ୍ରେସ ସରକାରଙ୍କ ସବୁଠାରୁ ମହତ୍ୱାକାଂକ୍ଷୀ ‘ଗୃହଲକ୍ଷ୍ମୀ ଯୋଜନା’କୁ ନେଇ ଏକ ଚକିତ କଲା ଭଳି ଖବରର ଖୁଲାସା ହୋଇଛି। ରାଜ୍ୟରେ ଯାନ୍ତ୍ରିକ ଅବହେଳା କାରଣରୁ ଗତ ୫ ମାସ ହେବ ପ୍ରାୟ ୧ ଲକ୍ଷ ୪୮ହଜାର ମୃତ ମହିଳାଙ୍କ ଖାତାରେ ଲଗାତାର ଯୋଜନାର ଟଙ୍କା ଟ୍ରାନ୍ସଫର ହେଉଥିଲା। ମୃତକଙ୍କ ଖାତାକୁ ପ୍ରାୟ ୧୨୮ କୋଟି ଟଙ୍କାରୁ ଅଧିକ ଟଙ୍କା ଯାଇଛି। ଏହି ମହାଦୁର୍ନୀତି ଓ ଯାନ୍ତ୍ରିକ ବିଫଳତା ଆସିବା କାରଣରୁ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ନେତୃତ୍ବାଧୀନ ସରକାର ସକ୍ରିୟ ହୋଇଯାଇଛି। ଏବେ ପୁରା ଯୋଜନାରେ ବଡ଼ ଧରଣର ସଂଶୋଧନ ସହ ଲାଭାର୍ଥୀଙ୍କ ସହ ନୂଆ ଭାବରେ ଆବେଦନ ସ୍ବୀକାର କରିବାର ପ୍ରସ୍ତୁତି ଚାଲିଛି।
ଏହି ଗମ୍ଭୀର ମାମଲା ସେତେବେଳେ ଜଣାପଡିଥିଲା ଯେତେବେଳେ ରାଜ୍ୟ ଗ୍ୟାରେଣ୍ଟି ଯୋଜନା କାର୍ଯ୍ୟାନ୍ୱୟନ କମିଟିର ଉପାଧ୍ୟକ୍ଷ ଦିନେଶ ଗୁଲିଗୌଡା ଯୋଜନାର ଟେକ୍ନିକାଲ ଅଡିଟ୍ ଓ ନୀରିକ୍ଷଣ କରିଥିଲେ। ରିପୋର୍ଟ ସହିତ ଏହା ପ୍ରମାଣିତ ହୋଇଛି ଯେ, ଯେଉଁ ମହିଳାଙ୍କ ମୃତ୍ୟୁ ହୋଇ ସାରିଛି, ତାଙ୍କ ଖାତାରେ ପ୍ରତି ମାସ ୨୦୦୦ ଟଙ୍କା କିସ୍ତି ଜମା ହେଉଥିଲା। କେବଳ ଏତିକି ନୁହେଁ, ଯାଞ୍ଚ ପରେ ଜଣାପଡିଛି ଯେ ବହୁ ସ୍ଥାନରେ ମୃତ ମହିଳାଙ୍କ ସମ୍ପର୍କୀୟ ଓ ପରିବାର ଲୋକ ଏଟିଏମ୍ ଓ ୟୁପିଆଇ ଜରିଆରେ ଏହି ଟଙ୍କାକୁ ଶୀଘ୍ର ବାହାର କରିନେଇଛନ୍ତି।
ଏହି ଚକିତ କଲା ଭଳି ରିପୋର୍ଟ ମିଳିବା ମାତ୍ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମହିଳା ଏବଂ ବାଳ କଲ୍ୟାଣ ବିଭାଗର ଶୀର୍ଷ ଅଧିକାରୀଙ୍କ ସହ ଜରୁରୀ ବୈଠକ ଡକାଇଥିଲେ। ମୁଖ୍ୟମନ୍ତ୍ରୀ ଲାଭାର୍ଥୀଙ୍କ ସୂଚୀକୁ ତୁରନ୍ତ ରି-ଭେରିଫାଏ ଓ ସଂଶୋଧିତ କରିବାକୁ କଡା ନିର୍ଦେଶ ଦେଇଛନ୍ତି। ଯାଞ୍ଚ ବେଳେ ଚକିତ କଲା ଭଳି ଭୁଲ ଜଣାପଡିଥିଲା। ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ନାଁ ଓ ଯୋଜନାରେ ପଞ୍ଜିକୃତ ମୋବାଇଲ ନମ୍ବର ପରସ୍ପର ଭିତରେ ମେଳ ଖାଉନାହିଁ। ଗୋଟିଏ ଖାତାରେ ଅଲଗା ଅଲଗା ମୋବାଇଲ ନମ୍ବର ଲିଙ୍କ୍ ହେବା କାରଣରୁ ସିଷ୍ଟମର ଜୋରଦାର ଦୂରୁପଯୋଗ ହେଉଛି। ବାସ୍ତବିକ ଓ ଯୋଗ୍ୟ ମହିଳା ମହିଳାଙ୍କ ପର୍ଯ୍ୟନ୍ତ ଜରୁରୀ ସୂଚନା କିମ୍ବା ଟଙ୍କା ପହଁଞ୍ଚି ପାରୁନଥିଲା।
ସିଷ୍ଟମରୁ ଏହି ସବୁ ନକଲି, ଭ୍ରମ ଓ ଜରୁରୀ ଲୋକଙ୍କୁ ସବୁବେଳେ ପାଇଁ ବାହାର କରିବା ପାଇଁ କର୍ଣ୍ଣାଟକ ସରକାର ଏବେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ସରକାର ବର୍ତ୍ତମାନ ଲାଭାର୍ଥୀଙ୍କ ସୂଚୀକୁ ହୋଲ୍ଡ କରି କେବଳ ଯୋଗ୍ୟ ମହିଳାଙ୍କୁ ନୂଆ ଭାବରେ ଆବେଦନ କରିବା ଉପରେ ଗମ୍ଭୀରତାର ସହ ବିଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ‘ଇ-ଜନ୍ମ ପୋର୍ଟାଲ’ ଜରିଆରେ ମୃତ୍ୟୁ ପ୍ରମାଣ ପତ୍ରକୁ ସିଧା ବ୍ୟାଙ୍କ ଖାତା ସହ ଲିଙ୍କ୍ କରନ୍ତୁ, ଯାହାଫଳରେ ଲାଭାର୍ଥୀଙ୍କ ମୃତ୍ୟୁ ହେବା ଦ୍ବାରା ତାଙ୍କ ଟଙ୍କାକୁ ତୁରନ୍ତ ରୋକି ହେବ। ଏବେ ପ୍ରତି ବର୍ଷ ଲାଭାର୍ଥୀଙ୍କ ପାଇଁ ବାୟୋମେଟ୍ରିକ୍ ଭେରିଫିକେସନ୍ କିମ୍ବା ‘ଜୀବନ ପ୍ରମାଣ ପତ୍ର’ ଜମା କରିବାକୁ ହେବ। ଯାହାଫଳରେ ପ୍ରମାଣିତ ହୋଇପାରିବ ଯେ, ଲାଭାର୍ଥୀ ଜୀବିତ ଅଛନ୍ତି। ସରକାରଙ୍କ ଏହି କଡା ପଦକ୍ଷେପରୁ ସ୍ପଷ୍ଟ ହୋଇଛି ଯେ, ଆଗାମୀ ଦିନରେ ଗୃହଲକ୍ଷ୍ମୀ ଯୋଜନାର ନିୟମ ଖୁବ୍ ଶକ୍ତ ହେବାକୁ ଯାଉଛି।