କର୍ଣ୍ଣାଟକ, ୨୫।୬: ସେଲଫି ନେବାର ନିଶା ଛଡ଼ାଇ ନେଇଛି ୫ଟି ଅମୂଲ୍ୟ ଜୀବନ । କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଏଠାକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ 'ମୁଥାଠୀ'ରେ କାବେରୀ ନଦୀ କୂଳରେ ଛିଡ଼ା ହୋଇ ଫଟୋ ଓ ସେଲଫି ଉଠାଇବା ସମୟରେ ଘଟିଛି ବଡ଼ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସିଯାଇ ୪ ଜଣ ମହିଳାଙ୍କ ସମେତ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ବେଙ୍ଗାଲୁରୁ ନିକଟସ୍ଥ ଚନ୍ନପଟ୍ଟଣ ଅଞ୍ଚଳର ବୋଲି ଜଣାପଡ଼ିଛି । ପୁଲିସ ସୂଚନା ଅନୁଯାୟୀ, ଏହି ପରିବାର ବେଙ୍ଗାଲୁରୁରୁ ଏକ କାର୍ ଭଡ଼ାରେ ନେଇ ମାଣ୍ଡ୍ୟା ଜିଲ୍ଲାର ପ୍ରସିଦ୍ଧ ଅଞ୍ଜନେୟସ୍ୱାମୀ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ । ମନ୍ଦିର ଦର୍ଶନ ସାରି ସମସ୍ତେ ପାଖରେ ବହୁଥିବା କାବେରୀ ନଦୀ କୂଳକୁ ବୁଲିବାକୁ ଯାଇଥିଲେ । ନିଜ ମୋବାଇଲ୍‌ରେ କିଛି ସ୍ମୃତି କଏଦ୍ କରିବାକୁ ଚାହୁଁଥିଲେ, ହେଲେ ସେହି ସେଲଫି ଶେଷରେ ସେମାନଙ୍କ ଜୀବନର ଶେଷ ସେଲଫି ପାଲଟିଗଲା ।

ବଞ୍ଚାଇବାକୁ ଯାଇ ଜଣଙ୍କ ପରେ ଜଣେ ବୁଡ଼ିଗଲେ:

ଘଟଣାଟି ଅତ୍ୟନ୍ତ କରୁଣ ଥିଲା । ନଦୀ କୂଳରେ ଫଟୋ ଉଠାଉଥିବା ସମୟରେ ପ୍ରଥମେ ୫୦ ବର୍ଷୀୟ ମହିଳା ବିଜୟମ୍ମାଙ୍କ ସନ୍ତୁଳନ ବିଗିଡ଼ି ଯାଇଥିଲା ଏବଂ ସେ ନଦୀର ଗଭୀର ପାଣିକୁ ଖସି ପଡ଼ିଥିଲେ । ବିଜୟମ୍ମାଙ୍କୁ ବୁଡ଼ିଯାଉଥିବାର ଦେଖି ପରିବାରର ବାକି ସଦସ୍ୟ ଏବଂ ସେମାନଙ୍କ କାର୍ ଡ୍ରାଇଭର ମଧ୍ୟ ତାଙ୍କୁ ରକ୍ଷା କରିବା ପାଇଁ ଜଣଙ୍କ ପରେ ଜଣେ ନଦୀକୁ ଡେଇଁ ପଡ଼ିଥିଲେ । ସେମାନଙ୍କ ଚିତ୍କାର ଶୁଣି ରବି ନାମକ ଜଣେ ସ୍ଥାନୀୟ ଯୁବକ ମଧ୍ୟ ନଦୀକୁ ଡେଇଁଥିଲେ, କିନ୍ତୁ ସ୍ଥାନୀୟ ଲୋକେ କେବଳ ରବିଙ୍କୁ ହିଁ ସୁରକ୍ଷିତ ଉଦ୍ଧାର କରିପାରିଥିଲେ । ବାକି ୫ ଜଣ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ।

ଏହା ବି ପଢ଼ନ୍ତୁ... Indian passport: ପାସପୋର୍ଟ ନୁହେଁ ତେବେ ଭାରତୀୟ ନାଗରିକତାର ପ୍ରମାଣ କଣ ? ଜାଣନ୍ତୁ ଆଇନ

ହୋମଗାର୍ଡଙ୍କ ଚେତାବନୀକୁ କରିଥିଲେ ଅଣଦେଖା:

ପ୍ରଶାସନିକ ଅଧିକାରୀଙ୍କ କହିବା ଅନୁଯାୟୀ, ନଦୀ କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମୁତୟନ ଥିବା ହୋମଗାର୍ଡ ଏହି ପରିବାରକୁ ପାଣି ଭିତରକୁ ଯିବାକୁ ବାରଣ କରିଥିଲେ । ନଦୀର ସ୍ରୋତ ଅତ୍ୟନ୍ତ ବିପଜ୍ଜନକ ଥିବା ନେଇ ସେ ଚେତାବନୀ ଦେଇଥିଲେ ମଧ୍ୟ ପରିବାର ସଦସ୍ୟ ସୁରକ୍ଷା ନିର୍ଦ୍ଦେଶକୁ ଅଣଦେଖା କରିଥିଲେ । ନଦୀରେ ଭାସିଯାଇଥିବା ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଲେ ବିଜୟମ୍ମା (୫୦ ବର୍ଷ), ଶ୍ୱେତା (୩୮ ବର୍ଷ), ପ୍ରିୟଙ୍କା (୨୮ ବର୍ଷ), ଚୈତ୍ରା (୨୦ ବର୍ଷ), ମହେଶ (୩୦ ବର୍ଷ, କାର୍ ଡ୍ରାଇଭର) । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ନଦୀରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ କରାଯିବା ପରେ ୫ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ପୁଲିସ ଏକ ମାମଲା ରୁଜୁ କରି ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ନଦୀ ପାଖକୁ ଯିବା ସମୟରେ ଅଧିକ ସତର୍କ ରହିବାକୁ ନିବେଦନ କରାଯାଇଛି ।