ବ୍ରହ୍ମବରଦା,୨୨/୧ : କେନ୍ଦୁଝର, ଭଦ୍ରକ ଓ ମୟୁରଭଞ୍ଜ ସମତେ ଯାଜପୁର ଜିଲାରେ ଶନିବାର ଭୋର ସମୟରେ ଗୋ-ମାଫିଆଙ୍କର ବିଭିନ୍ନ କେନ୍ଦୁଝର ପୁଲିସ ଆତର୍କିତ ଚଢଉ କରିଥିଲା । ଏକକାଳୀନ ୪୬ଟି ସ୍ଥାନରେ ଚାଲିଥିଲା ତଲାସୀ । ଦାମୀ ଗାଡି, ସୁନା ରୂପା ଅଳଙ୍କାର, ନଗଦ କୋଟିକୋଟି ଟଙ୍କା ଜବତ କରିଥିଲା । ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରିଥିଲା ପୁଲିସ । ଏହିକ୍ରମରେ ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ପଂଚାୟତ ପାଣ୍ଡିଆ ଗୋପୀନାଥପୁର ଗ୍ରାମର ସେଖ୍ ସରିଫଙ୍କ ଘରେ ଚଢଉ ହୋଇଥିଲା ।

ସରିଫଙ୍କ ଘରୁ ଗୋରୁ ଚାଲାଣ ପାଇଁ ବ୍ୟବହୃତ ୩ଟି କଂଟେନର ସହ ଦାମୀ ଗାଡ଼ି, ସୁନା ରୂପା ଗହଣା ଜବତ ହୋଇଥିଲା । ଏହି ଚଢଉ ଫଳରେ ଗୋ-ମାଫିଆ ଶିବିରରେ ଚଡ଼କ ପଡ଼ିଥିଲା । ଯାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ସେହି ଦିନଠାରୁ ପୁଲିସର ଚଢଉ ଜାରି ରହିଥିଲା । ଏହି ଘଟଣାରେ ଆଜି କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଦୈତାରୀ ଥାନାରେ ହୋଇଥିବା ମାମଲା ଅନୁଯାୟୀ ରାମଚନ୍ଦ୍ରପୁର ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ରସୁଲପୁର ବ୍ଲକ କୁଆଖିଆ ଥାନା ଅନ୍ତର୍ଗତ କୁଆଖିଆ, ବ୍ରହ୍ମବରଦା ଥାନା ଅନ୍ତର୍ଗତ ବ୍ରହ୍ମବରଦା, ଯାଜପୁର ସଦର ଥାନା ଅନ୍ତର୍ଗତ ହରିପୁର ଓ ବରୁଆଁଠାରେ ଥିବା ମୋଟ ୪ଟି ବ୍ୟାଙ୍କରେ ପଂହଚି ଗୋ-ମାଫିଆଙ୍କ ୯ଟି ବ୍ୟାଙ୍କ ଜମାଖାତା ଜବତ କରାଯାଇଛି ।

କୁଆଖିଆଠାରେ ଥିବା ବ୍ୟାଙ୍କରୁ ୨ଟି, ବ୍ରହ୍ମବରଦା ବ୍ୟାଙ୍କରୁ ୨ଟି, ହରିପୁରଠାରେ ଥିବା ୪ଟି ଓ ବରୁହାଁଠାରେ ବ୍ୟାଙ୍କରୁ ଗୋଟିଏ ଜମାଖାତା ଜବତ କରାଯାଇଛି । ଏହି ସମସ୍ତ ବ୍ୟାଙ୍କ ଜମାଖାତାରେ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଥିବାବେଳେ ଏହି ଭଳି ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଥିବା ରାମଚନ୍ଦ୍ରପୁର ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସୂଚନା ଦେଇଥିଲେ । ତେବେ ଆଜି ବ୍ୟାଙ୍କରେ ପୁଲିସ ଟିମ୍‌ର ଚଢଉ ଫଳରେ ଏହି ସମସ୍ତ ଅଂଚଳରେ ଥିବା ଗୋ-ମାଫିଆମାନେ ଭୟଭୀତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ।

ଆହୁରି ପଢନ୍ତୁ : ପ୍ରମେୟ ଡିଜିଟାଲର ସ୍ୱତନ୍ତ୍ର ଲାଇଭ୍‌ ସୋ ‘ମେଡିକାଲ ଆଷ୍ଟ୍ରୋ’: ଫୋନ୍‌ କରି ବାସ୍ତୁ ଓ ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଜାଣନ୍ତୁ