ପ୍ରମୁଖ ଖବର
  • ୨୩ରେ ଆସୁଛି ଲଘୁଚାପ, ଏଥର ଶୀଘ୍ର ଆସିବ ମୌସୁମୀ: ଆଜି ଭୋଟ୍‌ ହେଉଥିବା ଅଞ୍ଚଳରେ କମ୍‌ ତାତି
  • ||

ଏଥର କୋରାପୁଟ ସଂସଦୀୟ କ୍ଷେତ୍ର ହେବ ଘମାଘୋଟ ଲଢ଼େଇ: ମୈଦାନରେ ୧୨ ପ୍ରାର୍ଥୀ, ପ୍ରଚାର ଆରମ୍ଭ କଲେଣି ୩ ପ୍ରମୁଖ ଦଳ

କୋରାପୁଟ,୨୮/୦୪: କୋରାପୁଟ ସଂସଦୀୟ କ୍ଷେତ୍ରରେ ନାମାଙ୍କନ ଦାଖଲ କରିଥିବା ୧୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ଜଣଙ୍କ ପ୍ରାର୍ଥିତ୍ୱ କାଏମ ରହିଛି । ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ତାଲିକା ଆସନ୍ତା ସୋମବାର ପ୍ରକାଶ ପାଇବ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ଓହ୍ଲାଇ ସାରିଛନ୍ତି ପ୍ରଚାର ମଇଦାନକୁ । ଅନ୍ୟମାନେ ଅପକ୍ଷୋ କରିଛନ୍ତି ଚୂଡ଼ାନ୍ତ ତାଲିକାକୁ । କଂଗ୍ରେସର ସପ୍ତଗିରି ଉଲ୍ଲାକା, ବିଜେଡିର କୌଶଲ୍ୟା ହିକକା, ବିଜେପିର କାଳିରାମ ମାଝୀ, ଆର୍‌ପିଆଇର ସନ୍ତୋଷ ବିଡିକା, ବିଏସ୍‌ପିର ଡମଣୀ ଜାନୀ, ସିପିଆଇର ପ୍ରକାଶ ହିକକା, ନବଭାରତ ନିର୍ମାଣ ସେବା ପାର୍ଟିର ସୁମନ କଣ୍ଟା ପ୍ରମୁଖ ପ୍ରାର୍ଥୀ ରହିଛନ୍ତି । ଅବିନାଶ ଗମାଙ୍ଗ, ଲାଶୁ ହନ୍ତାଳ, ରାଜେନ୍ଦ୍ର ମାଝୀ ଓ ରଘୁମଣି ଗମାଙ୍ଗ ପ୍ରମୁଖ ସ୍ୱାଧୀନ ଭାବେ ଲଢ଼ିବେ । 

୨୦୧୯ ନିର୍ବାଚନରେ ମାତ୍ର ୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏଥର ବଢ଼ିଛି ପ୍ରାର୍ଥୀ ସଂଖ୍ୟା । ଏଣୁ ଯେଉଁ ପ୍ରାର୍ଥୀ ବିଜୟୀ ହେବେ, କମ୍‌ ରହିବ ଭୋଟ୍‌ ବ୍ୟବଧାନ । ଏହି ସଂସଦୀୟ କ୍ଷେତ୍ର ଅଧୀନ କୋରାପୁଟ, ଲକ୍ଷ୍ମୀପୁର, ଜୟପୁର, ପଟ୍ଟାଙ୍ଗି, ରାୟଗଡ଼ା, ବିଷମକଟକ ଓ ଗୁଣପୁର ବିଧାନସଭା ଆସନର ସ୍ଥିତି ପ୍ରମୁଖ ରାଜନୈତିକ ଦଳର ସାଂସଦ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ମୈଦାନରେ ଏକାଧିକ ପ୍ରାର୍ଥୀ ରହିଥିଲେ ବି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ତ୍ରିମୁଖୀ ଲଢ଼େଇ । ବିଜେଡିରୁ କୌଶଲ୍ୟା ଓ କଂଗ୍ରେସରୁ ସପ୍ତଗିରି ପୂର୍ବ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇ ସାରିଛନ୍ତି । ଏହି କ୍ଷେତ୍ର ପାଇଁ ବିଜେପିର କାଳିରାମ ନବାଗତ । ଗତ ନିର୍ବାଚନରେ ସେ ରାୟଗଡ଼ାରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ଗତ ନିର୍ବାଚନରେ ଗୁଣପୁର, ରାୟଗଡ଼ା, ଲକ୍ଷ୍ମୀପୁର ଓ ଜୟପୁର ଆସନରେ ଦବ୍‌ଦବା ଦେଖାଇଥିଲା କଂଗ୍ରେସ । ବିଜେଡି କେବଳ ବିଷମକଟକ, କୋରାପୁଟ ଏବଂ ପଟ୍ଟାଙ୍ଗି ଆସନରେ ଆଗରେ ରହିଥିଲା । ବିଜେପିକୁ ସବୁ ଆସନରେ ୩ୟ ସ୍ଥାନରେ ରହି ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ବର୍ତ୍ତମାନ ପରିସ୍ଥିତି ବଦଳିଛି ଏବଂ ବିଭିନ୍ନ ବିଧାନସଭା ଆସନରେ ଏହି ୩ ପ୍ରମୁଖ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି । ସେତେବେଳର ବହୁ ତୁଙ୍ଗ ନେତା ଦଳରେ ନାହାନ୍ତି । ଯେଉଁଥି ପାଇଁ ସବୁ ଦଳକୁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । 


୨୦୧୯ରେ ବିଜେପି ପକ୍ଷରୁ ସାଂସଦ ପ୍ରାର୍ଥୀ ହୋଇଥିଲେ ଜୟରାମ ପାଙ୍ଗି । ଫଳାଫଳ ଅନୁସାରେ ସେ ରହିଥିଲେ ୩ ନମ୍ବରରେ । ଏବେ ସେ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ଅଛନ୍ତି । ତାଙ୍କୁ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଦଳୀୟ ଟିକଟ ନ ମିଳିବାରୁ ସେ ଦୀର୍ଘଦିନ ହେବ ନିରବତା ଅବଲମ୍ବନ କରିଛନ୍ତି । ଏଭଳି ପରିସ୍ଥିତିରେ କଂଗ୍ରେସର ଗଡ଼ କୁହାଯାଉଥିବା ପଟ୍ଟାଙ୍ଗି ଆସନରେ ତାଙ୍କ ଝିଅ ଅମ୍ବିକା କୁମାରୀ ପାଙ୍ଗି ସ୍ୱାଧୀନ ଭାବେ ଲଢ଼ିବାକୁ ପ୍ରାର୍ଥୀ ହୋଇଛନ୍ତି । ଏଠାରେ ଜୟରାମଙ୍କ ବେଶ୍‌ ଦବ୍‌ଦବା ମଧ୍ୟ ରହିଛି । ଏଣୁ ଏହି ଆସନରେ ସେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଆଶା କ୍ଷୀଣ । ସେହିପରି ଗତଥର ଲକ୍ଷ୍ମୀପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଥିବା କୈଳାସ ଚନ୍ଦ୍ର କୁଲେସିକା ଚଳିତ ନିର୍ବାଚନରେ ବିଜେପିରୁ ହୋଇଛନ୍ତି ପ୍ରାର୍ଥୀ । ଏଠାରେ କଂଗ୍ରେସ ଜଣେ ନବାଗତଙ୍କୁ ପ୍ରାର୍ଥୀ କରିଛି । ତେଣୁ କଂଗ୍ରେସ ପୂର୍ବ ନିର୍ବାଚନ ଭଳି ଏଠାରେ ପ୍ରଦର୍ଶନ କରିବା ଅସମ୍ଭବ । 

ଜୟପୁର ଆସନରେ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରାର୍ଥୀ ରହିଛନ୍ତି । ଏବେ ସପ୍ତଗିରି ଉଲ୍ଲାକାଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଛି । ତାରା ଏଥର ହାଟ୍ରିକ୍‌ ଲକ୍ଷ୍ୟରେ ରହିଛନ୍ତି । କୋରାପୁଟ ନିର୍ବାଚନମଣ୍ଡଳୀରେ କଂଗେସ ଶକ୍ତିଶାଳୀ ଥିଲେ ବି ସାଂସଦ ପ୍ରାର୍ଥୀଙ୍କୁ ସେତେଟା ଫାଇଦା ମିଳିବ ନାହିଁ । ରାୟଗଡ଼ା ଜିଲ୍ଲାରେ ବି ସମାନ ଅବସ୍ଥା । ଗୁଣପୁର ଆସନରୁ ଟିକଟ ନ ମିଳିବାରୁ ଯୁବ ନେତା ଅବିନାଶ ଗମାଙ୍ଗ ସ୍ୱାଧୀନ ଭାବେ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ବିଷମକଟକ ଓ ରାୟଗଡ଼ାରେ ସ୍ଥିତି ଏବେ କଂଗ୍ରେସ ସପକ୍ଷରେ ନାହିଁ । ତଥାପି ଜାତୀୟ ନେତାଙ୍କୁ ଏଠାକୁ ଆଣି ପୁନର୍ବାର ଏହି ସିଟ୍‌ ହାତେଇବା ପାଇଁ ଶ୍ରୀ ଉଲାକା ଉଦ୍ୟମ ଜାରି ରଖିଛନ୍ତି । 

ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଉଲାକାଙ୍କଠାରୁ ମାତ୍ର ୩୬୧୩ ଭୋଟ୍‌ରେ ହାରିଥିଲେ । ସେତେବେଳେ ତାଙ୍କୁ ବିଷମକଟକ, କୋରାପୁଟ ଓ ପଟାଙ୍ଗି ଆସନ ଲିଡ୍‌ ଦେଇଥିଲା । ଗତଥର ଦଳୀୟ ବିଧାୟକ ପ୍ରାର୍ଥୀମାନଙ୍କ ସହିତ ସମନ୍ୱୟ ଅଭାବରୁ ସେ ହାରିଥିଲେ । ଏଥର ସେହି ଭୁଲ୍‌ ସୁଧାରିଛନ୍ତି । ଯୁଆଡ଼େ ପ୍ରଚାରରେ ଗଲେ ସ୍ଥାନୀୟ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଉଛନ୍ତି । ସ୍ୱାମୀ ତଥା ପୂର୍ବତନ ସାଂସଦ ଝିନ୍ନ ହିକକା ମଧ୍ୟ ସମସ୍ତ ଦଳୀୟ ନେତା ଓ କର୍ମୀଙ୍କୁ ସମାନ ଗୁରୁତ୍ୱ ଦେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ନିଜ ଅଞ୍ଚଳ ଅର୍ଥାତ୍‌ ଲକ୍ଷ୍ମୀପୁର ଆସନରେ କିନ୍ତୁ ବିଜେଡି ବହୁପଛରେ ରହିଛି । ବିଜେଡିରୁ ଟିକଟ ଆଶାୟୀ ଥିବା କୈଳାସ କୁଲେସିକା ଏବେ ବିଜେପି ପ୍ରାର୍ଥୀ ଅଛନ୍ତି । ସେ ଆରମ୍ଭରୁ ଝିନ୍ନଙ୍କ ପାରମ୍ପରିକ ବିରୋଧୀ ବୋଲି କାହାକୁ ଅଛପା ନୁହେଁ । ଏଠାରେ କୈଳାସଙ୍କ ସଙ୍ଗଠନ ଭଲ ରହିଥିବାରୁ କୌଶଲ୍ୟାଙ୍କୁ ନିରାଶ ହେବାକୁ ପଡ଼ିପାରେ । ଏହାବାଦ୍‌ ବହୁ ଆଶାୟୀ ସେମାନଙ୍କ ଟିକଟ କଟିଥିବା ପଛରେ ଝିନ୍ନଙ୍କୁ ଦାୟୀ କରୁଛନ୍ତି । ସେମାନେ ଦଳରେ ଥିଲେ ବି ଆତ୍ମଘାତୀ ସାଜିପାରନ୍ତି । ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନୀଙ୍କର ଏଠାରେ ସଙ୍ଗଠନ ସେତେଟା ଭଲନାହିଁ । ଫଳରେ ବିଜେଡି ଏଠି ଉଭୟ ବିଧାନସଭା ଏବଂ ଲୋକସଭାରେ ବହୁ ପଛରେ ରହିଛି । 

ସେହିପରି ପଟାଙ୍ଗି, କୋରାପୁଟ, ଜୟପୁର ନିର୍ବାଚନମଣ୍ଡଳୀରେ ବି ବିଜେଡିର ସେଭଳି ଭଲ ସଙ୍ଗଠନ ନାହିଁ । ଅବଶ୍ୟ ରାୟଗଡ଼ା ଜିଲ୍ଲାର ବିଷମକଟକ, ରାୟଗଡ଼ା ଏବଂ ଗୁଣପୁରରେ ବିଜେଡି ଫାଇଦା ଉଠାଇପାରିବ । ଏଥିପାଇଁ ବିଧାୟକ ପ୍ରାର୍ଥୀମାନଙ୍କ ସହିତ ଏକ ରୁଦ୍ଧଦ୍ୱାର ବୈଠକ ଆୟୋଜନ ହେବ ବୋଲି ଜଣାପଡ଼ିଛି । ଏଥର କଂଗ୍ରେସର ଗଡ଼କୁ ପୁନଃ ଭେଦ କରିବା ପାଇଁ ବିଜେଡି ସବୁପ୍ରକାର ଉଦ୍ୟମ କରିଛି ।

ବିଜେପି ପ୍ରାର୍ଥୀ କାଳିରାମ ଏହି କ୍ଷେତ୍ର ପାଇଁ ସମ୍ପୂର୍ଣ୍ଣ ନୂଆ । ୨୦୧୯ ନିର୍ବାଚନରେ ସେ ରାୟଗଡ଼ାରୁ ଦଳୀୟ ପ୍ରାର୍ଥୀ ହୋଇଥିଲେ । ଏଥିସହ କୋରାପୁଟ ଜିଲାର ବିଭିନ୍ନ ଦଳୀୟ ବୈଠକରେ ତାଙ୍କୁ ଦେଖିବାକୁ ମିଳୁଥିଲା । ତାଙ୍କର କୌଣସି ଆସନରେ ସେଭଳି ଦୃଢ ସଙ୍ଗଠନ ନାହିଁ । କୋରାପୁଟ ଜିଲ୍ଲାରେ ବିଜେପି ଆଜି ପର୍ଯ୍ୟନ୍ତ କୌଣସି ଆସନରେ ଖାତା ଖୋଲିପାରିନି । ଏଥର ନିର୍ବାଚନରେ ଲକ୍ଷ୍ମୀପୁର ଏବଂ କୋରାପୁଟ ଆସନରେ ଦଳ ଖାତା ଖୋଲି ଇତିହାସକୁ ପରିବର୍ତ୍ତନ କରିପାରେ । ଏହି ଦୁଇ ଆସନରେ ଦଳ ଭଲ ପ୍ରାର୍ଥୀ ପାଇଥିବାରୁ କର୍ମୀମାନେ ଉତ୍ସାହିତ ଅଛନ୍ତି । ଏଥିପାଇଁ ବିଜେପି ପ୍ରାର୍ଥୀ କାଳିରାମ ବି ଅତ୍ୟନ୍ତ ଆଶାବାଦୀ ରହିଛନ୍ତି । ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ସହରାଞ୍ଚଳଗୁଡ଼ିକରେ ବିଜେପିର ଭଲ ଭୋଟ ରହିଥିବା କୁହାଯାଉଛି ।

ପ୍ରକାଶ ଥାଉକି, ୧୯୫୭ରୁ ଏଯାଏଁ କୋରାପୁଟ ସଂସଦୀୟ କ୍ଷେତ୍ରରେ ୧୮ ଥର ନିର୍ବାଚନ ହୋଇଛି । ସେଥିରୁ ୧୬ଟି ନିର୍ବାଚନରେ ବାଜିମାତ୍‌ କରିଛି କଂଗ୍ରେସ । କେବଳ ୨୦୦୯ ଏବଂ ୨୦୧୪ରେ ହିଁ ବିଜେଡି ବିଜୟୀ ହୋଇଛି । ୨୦୧୯ରେ କଂଗ୍ରେସ ପୁଣିଥରେ ନିଜ ଗଡ ଫେରିପାଇଛି । ଏଥର ନିର୍ବାଚନ କାହା ସପକ୍ଷରେ ଯାଉଛି, ତାହା ଫଳାଫଳ ପରେ ହିଁ ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.