ମ.ରାମପୁର, ୧୨/୫: କଳାହାଣ୍ଡି ଜିଲ୍ଲାର ଆଗ ଧାଡ଼ିର ଯୁବନେତା ତଥା ଓକିଲ ବିଭୂତି ଭୂଷଣ ମହାଖୁଡ (୪୯)ଙ୍କ ଅକାଳ ବିୟୋଗ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ପରଲୋକ ହୋଇଛି । ସେ ଛାତ୍ର ଜୀବନରୁ କଂଗ୍ରେସ ଦଳରେ ସାମିଲ ହୋଇ ଛାତ୍ର କଂଗ୍ରେସ , ଯୁବ କଂଗ୍ରେସ , ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭାପତି ରହି ସମ୍ପ୍ରତି ଓଡ଼ିଶା କଂଗ୍ରେସର ସଦସ୍ୟ ତଥା ଜିଲ୍ଲା ସମ୍ପାଦକ ରହି ନିଜର ଦାୟିତ୍ଵ ସମ୍ପନ୍ନ କରି ଆସିଥିଲେ । ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ସେ ନିଜକୁ ସକ୍ରିୟ ଭାବରେ ସାମିଲ କରିଥିବା ବେଳେ ଗତ ଦୁଇ ଦିନ ହେଲା ତାଙ୍କର ଦେହ ଅସୁସ୍ଥ ହୋଇ ପଡିଥିଲା । ଏନେଇ ଗତକାଲି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ସେଠାରେ ସେ ରାତି ୨ଟା ୩୦ ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଆଜି ତାଙ୍କ ମରଶରୀରକୁ ନିଜ ଜନ୍ମମାଟି ମ.ରାମପୁର ପଞ୍ଚାୟତ ଗୌଡ଼କେଲା ଅଣାଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ ପାଇଁ ଆସି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ସ୍ବର୍ଗତ ମହାଖୁଡ଼ ମ.ରାମପୁର ଓକିଲ ସଂଘର ସଦସ୍ୟ ଥିବା ସହିତ ମ ,ରାମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରହି ମ.ରାମପୁରରେ ଅନେକ ବିକାଶମୂଳକ ପଦକ୍ଷେପ ନେଇଥିଲେ । ଏହାସହ ଚନ୍ଦ୍ରମଣି ନାଟ୍ୟ ସଂଘର ସହସମ୍ପାଦକ ମ.ରାମପୁର ସାର୍ବଜନୀନ ଦୁର୍ଗା ପୂଜା କମିଟିର ସମ୍ପାଦକ ଓ ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଗୁଡିକର ମୁଖ୍ୟ ସହଯୋଗୀ ରହି ଶେଷ ନିଃଶ୍ୱାସ ଯାଏଁ କାମ କରିଥିଲେ । ତେବେ ଗାଁ ମଶାଣୀରେ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ସ୍ବର୍ଗତ ମହାଖୁଡ୍ ଜଣେ ପରୋପକାରୀ, ସୁସଂଗଠକ, ମିଷ୍ଟଭାଷୀ ହୋଇଥିବା ବେଳେ ତାଙ୍କ ବିୟୋଗରେ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।