ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟର ଗୋଟିଏ ଫର୍ମାଟରେ ଖେଳ ଜାରି ରଖିଛନ୍ତି । ଟି-୨୦ ଏବଂ ଟେଷ୍ଟରୁ ଅବସର ଘୋଷଣ କରିସାରିଛନ୍ତି ବିରାଟ । ଏବେ କେବଳ ଦିନିକିଆରେ ଖେଳ ଜାରି ରଖିଥିବାବେଳେ ୨୦୨୭ ବିଶ୍ବକପ ସେ ଖେଳିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ମାତ୍ର କିଛି କ୍ରୀଡ଼ାପ୍ରେମୀ ଦାବି କରିଛନ୍ତି କି, ବିରାଟ ଆଇସିସିର ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିନପାରନ୍ତି । ତଥାପି ବିରାଟ ଦମଦାର ଫର୍ମରେ ନଜର ଆସୁଛନ୍ତି ।
ସେପଟେ ବିରାଟଙ୍କ ସମ୍ପର୍କରେ ପୂର୍ବତନ ଭାରତୀୟ କ୍ରିକେଟର ତତା ୨୦୧୧ ବିଶ୍ବକପ ବିଜେତା ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଥିବା ଶ୍ରୀକାନ୍ତ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ବିରାଟ ନିଜର ଭବିଷ୍ୟତ ସମ୍ପର୍କରେ ନିଜେ ନିଷ୍ପତ୍ତି ନେବାର ଅଧିକାର ରହିଛି । ରନ୍ ମେସିନ ସଚିନଙ୍କ ଭଳି ଜଣେ ମହାନ ଖେଳାଳି । ସେ ଜଣେ ମହାନ ଅଧିନାୟକ ମଧ୍ୟ ଥିଲେ । କିନ୍ତୁ ତାଙ୍କ ପାଖରେ ଆଇସିସିର ଟ୍ରଫି ନଥିଲା । ତେବେ ମୁଁ ଭାବୁଛି କୋହଲି ସଚିନଙ୍କ ଭଳି ନିଜର ଭବିଷ୍ୟତ ନିଷ୍ପତ୍ତି ନିଜେ ନେବେ । ତାଙ୍କୁ ନିଜର ନିଷ୍ପତ୍ତି ନେବାକୁ ଦିଆଯିବା ଉଚିତ ବୋଲି କହିଛନ୍ତି ଶ୍ରୀକାନ୍ତ ।
ଏହାସହ ଶ୍ରୀକାନ୍ତ କହିଛନ୍ତି କି, ବିରାଟ ହେଉଛନ୍ତି ସମସ୍ତଙ୍କ ପସନ୍ଦର ଖେଳାଳି । ସେ ଜାଣନ୍ତି ଭବିଷ୍ୟତରେ କଣ କରିବାକୁ ପଡ଼ିବ । କଣ ନକରିବାକୁ ପଡ଼ିବ ସେ ସମ୍ପର୍କରେ ସେ ଭଲଭାବେ ଜାଣିଛନ୍ତି । ଟେଷ୍ଟ କ୍ରିକେଟରେ ଜଣେ ମହାନ ଅଧିନାୟକ ଥିଲେ । ଏହାସହ ଦିନିକିଆ କ୍ରିକେଟରେ ମଧ୍ୟ ଅନେକ ଉପଲବ୍ଧି ହାତେଇଛନ୍ତି । ମାତ୍ର ବିରାଟଙ୍କ ଅଧିନାୟକକତ୍ବରେ କୌଣସି ଆଇସିସି ଟ୍ରଫି ଜିତିନାହିଁ ଭାରତ । ନହେଲେ ବିରାଟ ଭାରତର ସବୁଠାରୁ ସଫଳ ଅଧିନାୟକ ହୋଇଥାନ୍ତେ ବୋଲି କହିଛନ୍ତି ଶ୍ରୀକାନ୍ତ ।
ତେବେ ଆଘାତ କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆରୁ ବାଦ୍ ପଡ଼ିଛନ୍ତି ବିରାଟ । ତେବେ ଜୁଲାଇ ମାସରେ ଭାରତ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବ । ଏଯାବତ ଭାରତୀୟ ଦଳ ଘୋଷଣା ହୋଇନଥିବାବେଳେ ବିରାଟ ପୁଣିଥରେ ଦଳକୁ ଫେରିବେ । ସେ ଆଘାତରୁ ମୁକୁଳିଥିବାବେଳେ ପୁଣିଥରେ ଭାରତୀୟ ଦଳରେ ସ୍ଥାନ ପାଇ ଦମଦାର ପ୍ରଦର୍ଶନ କରିବେ ବୋଲି କହିଛନ୍ତି ଶ୍ରୀକାନ୍ତ । ସେପଟେ ଲଗାତାର ଦମଦାର ପ୍ରଦର୍ଶନ କରି ଆସୁଥିବା ବିରାଟ ୨୦୨୭ ବିଶ୍ବକପ ଦଳରେ ଖେଳିବାର ସମ୍ଭାବନା ଅଧିକ ରହିଥିବା କୁହାଯାଉଛି ।
ଏହାସହ ପଢ଼ନ୍ତୁ : Karisma Kapoor Reaction: ସାମ୍ବାଦିକଙ୍କ ଏହି ପ୍ରଶ୍ନ ଶୁଣି କାହିଁକି ରାଗିଥିଲେ କରିସ୍ମା କପୁର ?