ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ସିଙ୍ଗର କୁମାର ସାନୁଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚା। ତାଙ୍କ ପ୍ରଥମ ପତ୍ନୀ ରୀତା ଭଟ୍ଟାଚାର୍ଯ୍ୟ ନିକଟରେ ଏକ ସାକ୍ଷାତକାରରେ ନିଜ ଜୀବନ ସହ ଜଡିତ ଦୁଃଖ କାହାଣୀକୁ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ସେ ତାଙ୍କ ତୃତୀୟ ସନ୍ତାନ (ଜାନ କୁମାର ସାନୁ)କୁ ଗର୍ଭରେ ରଖିଥିବା ସମୟରେ, କୁମାର ସାନୁ ଏବଂ ତାଙ୍କ ପରିବାର ତାଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଉଥିଲେ ।
ରୀତା କହିଛନ୍ତି ଯେ, କୁମାର ସାନୁ ଜଣେ ଭଲ ଗାୟକ । କିନ୍ତୁ ମାନବିକତା ସ୍ତରରେ ତାଙ୍କ ବିଷୟରେ ଯେତେ କମ୍ କୁହାଯାଇପାରିବ, ସେତିକି ଭଲ । ସେ ଆଦୌ ଜଣେ ଭଲ ଲୋକ ନୁହଁନ୍ତି । ମୁଁ ହିଁ ତାଙ୍କୁ ଜଣେ ଭଲ ଗାୟକ କରିବାକୁ ସ୍ବପ୍ନ ଦେଖିଥିଲି। ହେଲେ ମୋତେ ସେ ଧୋକ୍କା ଦେଲେ । ସେ ସଫଳତା ପରେ ସମ୍ପୂର୍ଣ୍ଣ ବଦଳିଗଲେ ।
ରୀତାଙ୍କ କହିବା କଥା, ଆଶିକି ଫିଲ୍ମ ପରେ ଟଙ୍କା ଏବଂ ପରିଚୟ ମିଳିବା ପରେ ସାନୁଙ୍କ ବ୍ୟବହାର ବଦଳିଯାଇଥିଲା । ସେ ପରିବାର ଆଉ ପତ୍ନୀଙ୍କ ଠାରୁ ଦୂରେଇବା ଆରମ୍ଭ କଲେ । ଏପରିକି କଥାବାର୍ତ୍ତା କରିବା ବି ବନ୍ଦ କରିଦେଲେ। ରୀତା ଅତି ଦୁଃଖର ସହ କହିଛନ୍ତି କି, ଯେତେବେଳେ ମୁଁ ଗର୍ଭବତୀ ଥିଲି ଏବଂ ମୋର ବାପାଙ୍କ ମୃତ୍ୟୁ ହୋଇଗଲା, ସେହି ସମୟରେ ମୋ ଉପରେ ନିର୍ଯାତନା ବଢିଯାଇଥିଲା । ଏପରିକି ମୋତେ କୋର୍ଟକୁ ମଧ୍ୟ ଟଣା ଯାଇଥିଲା । ଗର୍ଭାବସ୍ଥାରେ ମୋତେ ଠିକ୍ରେ ଖାନା ଖାଇବାକୁ ଦିଆଯାଉନଥିଲା । ଏମିତିକି ରୋଷେଇ ଘର ବନ୍ଦ କରିଦିଆଯାଇଥିଲା। ମୁଁ ଚୌକିଦାର ହାତରେ ଏକ କିଲୋ ଚାଉଳ ମଗାଇ ନିଜେ ରୋଷେଇ କରି ଖାଇଥିଲି ।
ରୀତା ଏବଂ କୁମାର ସାନୁ କଲିକତାରେ ସାକ୍ଷାତ କରିଥିଲେ ଏବଂ ପ୍ରେମରେ ପଡ଼ିଥିଲେ। ସେମାନେ ୧୯୮୦ ଦଶକର ଶେଷ ଭାଗରେ ପିତାମାତାଙ୍କ ସମ୍ମତି ବିନା ବିବାହ କରିଥିଲେ, ଯଦିଓ ସେମାନଙ୍କ ପରିବାର ପରେ ବିବାହକୁ ଗ୍ରହଣ କରିଥିଲେ। ୧୯୯୪ ମସିହାରେ ଛାଡପତ୍ର ପୂର୍ବରୁ ଏହି ଦମ୍ପତିଙ୍କ ତିନୋଟି ସନ୍ତାନ ଥିଲା।
ସେମାନଙ୍କ ବିବାହ ସମୟରେ, ଗାୟିକା ତଥା ଅଭିନେତ୍ରୀ କୁନିକା ସଦାନନ୍ଦଙ୍କ ସହିତ ମଧ୍ୟ ସମ୍ପର୍କ ରଖିଥିବା ଜଣାପଡ଼ିଛି। କୁନିକା ପରେ ବିଗ୍ ବସ୍ ୧୯ ରେ ସ୍ୱୀକାର କରିଥିଲେ ଯେ ତାଙ୍କର ଜଣେ ବିବାହିତ ପୁରୁଷଙ୍କ ସହିତ ଛଅ ବର୍ଷର ସମ୍ପର୍କ ଥିଲା।