ନୂଆଦିଲ୍ଲୀ,୩।୫: ଚାଲିଛି ଆଇପିଏଲ୍ ୨୦୨୬। କ୍ରିକେଟ ମୈଦାନରେ ଛକା-ଚୌକାର ବର୍ଷା ଦେଖିବାକୁ ମିଳୁଛି। ସେଭଳି ଅନ୍ୟପକ୍ଷେ ଏଥିରେ ଭାଗ ନେଇଥିବା ଟିମ କିଣା ବିକା ଜୋରଦାର ଭାବରେ ଚାଲିଛି। ରାଜସ୍ଥାନ ରୟାଲ୍ସ ଟିମକୁ ନୂଆ ମାଲିକ ମିଳି ଯାଇଛି। ଭାରତୀୟ ବଂଶୋଦ୍ଭବ ଅରବପତି ଓ ଷ୍ଟିଲ୍ କିଙ୍ଗ ନାମରେ ପରିଚିତ ଲକ୍ଷ୍ମୀ ମିତ୍ତଲ ପରିବାର ରାଜସ୍ଥାନ ରୟାଲ୍ସକୁ କିଣିଛନ୍ତି। ଏଥିପାଇଁ ସେ ୧.୬୫ ବିଲିୟନ ଡଲାର ବା ପ୍ରାୟ ୧୫,୬୬୦ କୋଟି ଟଙ୍କାରେ ଡିଲ୍ କରିଛନ୍ତି।
ଏହି ଘୋଷଣା ସମସ୍ତଙ୍କୁ ଚକିତ କରିଛି। କାରଣ ପୂର୍ବରୁ ଆମେରିକୀୟ ବ୍ୟବସାୟୀ କାଲ୍ ସୋମାନୀଙ୍କ ନେତୃତ୍ୱରେ ମାଲିକାନା ଥିଲା। ଯେଉଁଥିରେ ରବ୍ ୱାଲ୍ଟନ୍ ଏବଂ ଫୋର୍ଡ ପରିବାରର ସଦସ୍ୟମାନେ ମଧ୍ୟ ସାମିଲ ଥିଲେ। ୨୦୦୮ରେ ପ୍ରଥମ ଆଇପିଏଲ୍ ଟାଇଟଲ୍ ଜିତିଥିବା ରାଜସ୍ଥାନ ରୟାଲ୍ସ ବର୍ତ୍ତମାନ ଆଇପିଏଲ୍ ୨୦୨୬ରେ ଉତ୍କୃଷ୍ଟ ଫର୍ମରେ ଅଛି ଏବଂ ପ୍ଲେଅଫ୍ ଆଡ଼କୁ ଅଗ୍ରସର ହେଉଛି, ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ଚମକ ଜାରି ରହିଛି।
ବିଲେନିୟର ଲକ୍ଷ୍ମୀ ମିତ୍ତଲଙ୍କ ପରିବାର ଦେଶରେ ଭ୍ୟାକସିନ୍ କିଙ୍ଗ କୁହାଯାଉଥିବା ସୀରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କ ସହ ମିଶି ଏହି ଡିଲ୍ କରିଛନ୍ତି। ରିପୋର୍ଟ ଅନୁସାରେ, ଆଇପିଏଲ୍ ଟିମ୍ର ଡିଲ୍ ପୁରା ହେବାପରେ ମିତ୍ତଲ ପରିବାର ରାଜସ୍ଥାନ ରୟାଲ୍ସର ପ୍ରାୟ ୭୫% ଅଂଶଧନର ମାଲିକ ହେବେ, ଯେତେବେଳେ କି ଆଦର ପୁନାୱାଲା ପ୍ରାୟ ୧୮% ଅଂଶଧନ ରଖିବେ। ଅବଶିଷ୍ଟ ଅଂଶଧନ ଅନ୍ୟ ନିବେଶକଙ୍କ ପାଖରେ ରହିବ। ଲକ୍ଷ୍ମୀ ମିତ୍ତଲ, ଆଦିତ୍ୟ ମିତ୍ତଲ, ଭାନିଶା ମିତ୍ତଲ-ଭାଟିଆ, ଆଦର ପୁନାୱାଲା ଏବଂ ମନୋଜ ବଡାଲେ ରାଜସ୍ଥାନ ରୟାଲ୍ସର ବୋର୍ଡରେ ଯୋଗଦେବେ। ଆଦିତ୍ୟ ମିତ୍ତଲଙ୍କ ପୁଅ ହେଉଛନ୍ତି ଲକ୍ଷ୍ମୀ ମିତ୍ତଲ ଏବଂ ଝିଅ ହେଉଛନ୍ତି ଭାନିଶା ମିତ୍ତଲ-ଭାଟିଆ । ମନୋଜ ବଡାଲେ, ଯିଏ ଏପର୍ଯ୍ୟନ୍ତ ମୁଖ୍ୟ ମାଲିକ ଥିଲେ, ସେ ଦଳ ସହିତ ଜଡିତ ରହିବେ ଏବଂ ତାଙ୍କ ଅଭିଜ୍ଞତା ସହିତ ଫ୍ରାଞ୍ଚାଇଜ୍ କୁ ମାର୍ଗଦର୍ଶନ କରିବେ।
ଏହି ଅଧିଗ୍ରହଣରେ ଦକ୍ଷିଣ ଆଫ୍ରିକାର ପାର୍ଲ ରୟାଲ୍ସ ଏବଂ କାରିବିଆନର ବାରବାଡୋସ ରୟାଲ୍ସ ମଧ୍ୟ ସାମିଲ ଅଛନ୍ତି। ତଥାପି, ଏହି ଡିଲ୍ କେବଳ ବିସିସିଆଇ, ସିସିଆଇ ଏବଂ ଆଇପିଏଲ ଗଭର୍ଣ୍ଣିଂ କାଉନସିଲରଙ୍କ ଅନୁମୋଦନ ପରେ ସମାପ୍ତ ହେବ, ଯାହା ୨୦୨୬ ର ତୃତୀୟ ତ୍ରୟମାସରେ ଆଶା କରାଯାଉଛି। ଲକ୍ଷ୍ମୀ ମିତ୍ତଲଙ୍କ ରାଜସ୍ଥାନ ସହିତ ଏକ ବିଶେଷ ସମ୍ପର୍କ ଅଛି, କାରଣ ସେ ରାଜ୍ୟର ସାଦୁଲପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ଏହି କାରଣରୁ ଏହି ଚୁକ୍ତି ତାଙ୍କ ପାଇଁ ଭାବନାତ୍ମକ ଗୁରୁତ୍ୱ ରଖେ।
ରାଜସ୍ଥାନ ରୟାଲ୍ସ ଆଇପିଏଲର ପ୍ରାରମ୍ଭିକ ଟିମ୍ ମଧ୍ୟରୁ ଗୋଟିଏ ଥିଲା ଏବଂ ୨୦୦୮ ରେ ପ୍ରଥମ ସିଜିନରେ ବିଜୟୀ ହୋଇଥିଲା। ଏହି ଡିଲ୍କୁ ନେଇ ଲକ୍ଷ୍ମୀ କହିଛନ୍ତି, ଏହି ଇନଭେଷ୍ଟ ସହିତ ତାଙ୍କ ବ୍ୟକ୍ତିଗତ ସମ୍ପର୍କ ରହିଛି। ମିତ୍ତଲ କହିଛନ୍ତି, ‘ମୁଁ କ୍ରିକେଟକୁ ଭଲ ପାଏ ଏବଂ ମୋ ପରିବାର ରାଜସ୍ଥାନର, ତେଣୁ ମୁଁ ରାଜସ୍ଥାନ ରୟାଲ୍ସ ବ୍ୟତୀତ ଅନ୍ୟ କୌଣସି ଆଇପିଏଲ୍ ଦଳର ଅଂଶ ହେବାକୁ ଚାହିଁବି ନାହିଁ। ଅନେକ ମହାନ ଖେଳାଳି ରାଜସ୍ଥାନ ରୟାଲ୍ସ ଜର୍ସି ପିନ୍ଧିଛନ୍ତି, ଏବଂ ମୁଁ ଏହି ଟିମ୍ର ଅଂଶ ହେବାକୁ ଉତ୍ସୁକ ରହିଛି।’ ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାୱାଲା କହିଛନ୍ତି ,ସେ ଏହି ଚୁକ୍ତିରେ ଖୁସି, ରାଜସ୍ଥାନ ରୟାଲ୍ସ ଏକ ଦୃଢ଼ ଐତିହ୍ୟ ସହିତ ଏକ ପ୍ରମୁଖ ଆଇପିଏଲ୍ ଫ୍ରାଞ୍ଚାଇଜ୍।
ଆହୁରି ପଢନ୍ତୁ : କମାଲ କଲେ KKR ବୋଲର, ୧୬୫ ରନରେ ଅଟକିଲା ହାଇଦ୍ରାବାଦ