କଟକ, ୧୮/୧୦: ନେତାଜି ବସ୍‌ ଟର୍ମିଲାନ ସମ୍ମୁଖରେ ଅଘଟଣ । ଭୁଷୁଡ଼ିଲା ଖାନ୍‌ନଗର ଦଶହରା ଲାଇଟ୍‌ ଗେଟ୍‌ ।  ଲାଇଟ୍‌ ଗେଟ୍‌ ତଳେ ଚାପି ହୋଇ ରହିଗଲା ଗୋଟିଏ କାର୍‌, ପିକ୍‌ଅପ୍‌ ଗାଡି ଏବଂ ଏକ ବାଇକ୍‌ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ।

ସୂଚନା ମୁତାବକ, ଦଶହରାରେ କଟକ ଖାନ୍‌ନଗର ଦୁର୍ଗାପୂଜା କମିଟି ପକ୍ଷରୁ ମା'ଙ୍କ ଆରାଧନା ପାଇଁ ବେଶ୍‌ ସାଜସଜ୍ଜା ସହ ପୂଜାର୍ଚ୍ଚନା କରାଯାଇଥିଲା । ଏଥିପାଇଁ ସୁଉଚ୍ଚ ଲାଇଟ୍‌ ଗେଟ୍‌ ମଧ୍ୟ କରାଯାଇଥିଲା । ପୂଜା ପରେ ଏହି ଲାଇଟ୍‌ ଗେଟ୍‌ ଖୋଲା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାରି ଭିତରେ ଘଟିଗଲା ଅଘଟଣ । ଅଚାନକ ଲାଇଟ୍‌ ଗେଟ୍‌ଟି ଖସି ପଡ଼ିଥିଲା । ଫଳରେ ଲାଇଟ୍‌ ଗେଟ୍‌ ତଳେ ଏକ କାର୍‌, ଏକ ବାଇକ୍‌ ଏବଂ ଆଉ ଏକ ପିକ୍‌ଅପ୍‌ ଗାଡି ଚାପି ହୋଇ ରହିଯାଇଥିଲା । ସୌଭାଗ୍ୟବଶତଃ ଏହି ଗାଡ଼ି ଗୁଡ଼ିକରେ କୌଣସି ଲୋକ ନଥିବାରୁ ବିଶେଷ କ୍ଷତି ହୋଇନାହିଁ । ତେବେ ଘଟଣାସ୍ଥଳରେ ସ୍ଥାନୀୟଲୋକେ ଏବଂ ପ୍ରଶାସନ ପହଞ୍ଚି ଲାଇଟ୍‌ ଗେଟ୍‌ ତଳୁ ଗାଡ଼ି ଗୁଡ଼ିକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଛି, ତାହା ଅସ୍ପଷ୍ଟ ରହିଛି ।