ମୁମ୍ବାଇ,୨୪/୧୧: ମହାରାଷ୍ଟ୍ରରେ  ମହାୟୁତି (ବିଜେପି-ଶିବସେନା-ଏନ୍‌ସିପି)  ମେଣ୍ଟ ବିପୁଳ ବିଜୟ ହାସଲ କରିଥିଲା ବେଳେ  ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ତିନି  ଦଳ ଭିତରେ ଅଙ୍କକଷା ଆରମ୍ଭ ହୋଇଯାଇଛି ।  ତେବେ ୩ ମେଣ୍ଟ ଦଳ ଭିତରୁ ବିଜେପି ବଡ  ଦଳ ଭାବେ ଉଭା ହୋଇଛି । ଏପରିକି ବିଜେପି ଏକାକୀ ମ୍ୟାଜିକ ସଂଖ୍ୟା ନିକଟତର ହୋଇଛି ।  ତେଣୁ ଏହାର ନେତା ଦେବେନ୍ଦ୍ର ଫଡନବିସ  ମୁଖ୍ୟମନ୍ତ୍ରୀ ହେବା ପାଇଁ ଦୃଢ଼ ଦାବିଦାର  ଅଛନ୍ତି । ଶିବସେନା ନେତା ଏକନାଥ ସିନ୍ଦେ ଓ  ଏନ୍‌ସିପି ନେତା ଅଜିତ ପାୱାର ନିର୍ବାଚନ ପୂର୍ବରୁ  ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି ଉପସ୍ଥାପନ କରିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଦୁଇଦଳ  ଯଥେଷ୍ଟ କମ୍‌ ଆସନ ହାସଲ କରିଥିବାରୁ  ସେମାନେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଆଉ ଦୃଢ଼ ଦାବି କରିପାରିବେ ନାହିଁ । 

ସୂଚନାଯୋଗ୍ୟ ଯେ ୨୦୨୨ରେ ଶିବସେନାର  ବିଭାଜନ ପରେ ଏହି ଦଳର ନେତା ଏକନାଥ  ସିନ୍ଦେ ବିଜେପି ସହ ମିଶି ସରକାର ଗଠନ କରିଥିଲେ । ଫଳରେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ  କରିଥିଲା । ତାଙ୍କ ନେତୃତ୍ୱରେ ମଧ୍ୟ ମହାୟୁତି  ଚଳିତ ବିଧାନସଭା ନିର୍ବାଚନ ଲଢ଼ିଥିଲା ।  ତେବେ ନିର୍ବାଚନ ପୂର୍ବରୁ ବିଜେପି କହିଥିଲା  କି ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଫଳାଫଳ  ସାମ୍‌ନାକୁ ଆସିବା ପରେ ସ୍ପଷ୍ଟ ହେବ । ଅର୍ଥାତ  ଯେଉଁ ଦଳ ଭଲ ପ୍ରଦର୍ଶନ କରିଥିବ ସେହି  ଦଳ ମୁଖ୍ୟମନ୍ତ୍ରୀ ପାଇବ । ଫଳ ପ୍ରକାଶ ପାଇବା  ପରେ ଦେବେନ୍ଦ୍ର ଫଡନବିସ, ଏକନାଥ ସିନ୍ଦେ  ଓ ଅଜିତ ପାୱାର ଏକାଠି ଏକ ମିଳିତ ସାମ୍ବାଦିକ  ସମ୍ମିଳନୀ କରିଥିଲେ । 

ସେଥିରେ ସେମାନେ  କହିଛନ୍ତି କି ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ  ତାହା ତିନି ଦଳ ଏକାଠି ବସି ସ୍ଥିର କରିବେ । ଫଡନବିସଙ୍କ ନାମ ସର୍ବାଧିକ ଚର୍ଚ୍ଚାକୁ ଆସିବାର  କାରଣ ହେଉଛି ତାଙ୍କ ପ୍ରତି ଆରଏସ୍‌ଏସ୍‌ର  ସମର୍ଥନ ରହିଛି । ଗତ ୨୦ ତାରିଖରେ ମତଦାନ  ଶେଷ ହେବା ପରେ ସେ ଆରଏସ୍‌ଏସ୍‌ ମୁଖ୍ୟ  ମୋହନ ଭାଗବତଙ୍କୁ ସାକ୍ଷାତ କରିଥିଲେ । ଯଦିଓ  ସେ ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି  କହିଥିଲେ କିନ୍ତୁ ରାଜନୈତିକ ସମୀକ୍ଷକଙ୍କ  କହିବାନୁଯାୟୀ ମୁଖ୍ୟମନ୍ତ୍ରୀ ଚୌକି ପ୍ରତି ସମର୍ଥନ  ହାସଲ କରିବାକୁ ସେ ଭାଗବତଙ୍କ ସମର୍ଥନ  ଲୋଡିଥିଲେ । 

ସେପଟେ ଏକନାଥ ସିନ୍ଦେ କହିଛନ୍ତି  ନିର୍ବାଚନରେ ଯେଉଁ ଦଳ ଅଧିକ ଆସନ ପାଇବ  ସେହି ଦଳର ନେତା ମୁଖ୍ୟମନ୍ତ୍ରୀ ହେବେ ବୋଲି କୌଣସି ପ୍ରାକ୍‌ ବୁଝାମଣା ହୋଇନାହିଁ । ଆମେ  ଏକାଠି ନିର୍ବାଚନ ଲଢ଼ିଛୁ । ତେଣୁ ଚୂଡାନ୍ତ  ଫଳ ପ୍ରକାଶ ପାଇବା ପରେ ଆମେ ଏକାଠି  ବସି ଆଲୋଚନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ  ନାମ ଚୂଡାନ୍ତ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି  ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୩ ଦଳର  ଶୀର୍ଷ ନେତାମାନେ ବସି ଏହା ଉପରେ ନିଷ୍ପତ୍ତି  ନେବେ । ମହାୟୁତିର ତୃତୀୟ ଦଳ ଭାବେ  ନ୍‌ସିପି ନେତା ଅଜିତ ପାୱାର ମୁଖ୍ୟମନ୍ତ୍ରୀ  ଚୌକି ଉପରେ ଆଖି ପକାଇଛନ୍ତି । ଏପରିକି  ଭୋଟ ଗଣତି ପୂର୍ବଦିନ କେତେକ ସ୍ଥାନରେ  ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରି  ଦଳୀୟ ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ  ପୋଷ୍ଟର ଲଗାଇଥିଲେ । ଅତିକମ୍‌ରେ ଏନ୍‌ସିପି  ନେତାମାନେ ଭାବିଥିଲେ ସେମାନେ କିଙ୍ଗମେକର  ହୋଇପାରିବେ । କିନ୍ତୁ ଫଳାଫଳ ସେମାନଙ୍କ  ଭାବନାକୁ ଭୁଲ ସାବ୍ୟସ୍ତ କରିଦେଇଛି ।  ସେହିଦୃଷ୍ଟିରୁ ଅଜିତ ପାୱାର ମୁଖ୍ୟମନ୍ତ୍ରୀ  ଦୌଡରୁ ବାଦ୍‌ ପଡିଯାଇଛନ୍ତି ।