ନୂଆଦିଲ୍ଲୀ,୨୦/୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି। ନିର୍ବାଚନ ସରିବା ମାତ୍ରେ ଏକଜିଟ୍ ପୋଲର ଫଳାଫଳ ପ୍ରକାଶ ପାଇବ। ଏହି ପୂର୍ବାନୁମାନ ଉପରେ ରାଜ୍ୟ ରାଜନୀତି ନଜର ରଖିବ। ଏହି ନିର୍ବାଚନରେ ମହାଯ୍ୟୁତି (ଏନଡିଏ) ଏବଂ ମହା ବିକାଶ ଆଘାଡି (ଇଣ୍ଡି ମେଣ୍ଟ) ମଧ୍ୟରେ ଘନିଷ୍ଠ ପ୍ରତିଯୋଗିତା ଦେଖିବାକୁ ମିଳିବ। ତଥାପି, ପ୍ରକୃତ ଫଳାଫଳକୁ ଭୋଟ ଗଣତି ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଏହି ନିର୍ବାଚନରେ ସହରାଞ୍ଚଳରେ ଭୋଟରଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିବ। ଅଦ୍ୟାବଧି ଏହି ଅଞ୍ଚଳରେ ଭୋଟରଙ୍କ ଉଦାସୀନତା ଦେଖିବାକୁ ମିଳିଛି। ଏହା ମୁମ୍ବାଇ, ପୁଣେ ଏବଂ ନାଗପୁର ଭଳି ବଡ଼ ସହରରେ ଭୋଟ୍ ପ୍ରତିଶତକୁ ପ୍ରଭାବିତ କରିଛି।
ତମାମ ଆଲୋଚନା ଭିତରେ ବିଟକଏନ୍ରେ ଠକେଇ ଅଭିଯୋଗକୁ ନେଇ ଏକ ଉତ୍ତରରେ ଶରଦ ପାୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ କହିଛନ୍ତି ଯେ ବିଜେପି ମୋତେ ପାଞ୍ଚଟି ପ୍ରଶ୍ନ ପଚାରିଛି, ସେଥିମଧ୍ୟରୁ ପ୍ରଥମ ପ୍ରଶ୍ନ ଅଭିଯୋଗ ଉପରେ ଥିଲା। ସେ ସ୍ପଷ୍ଟ କରିଛନ୍ତି ଯେ ଏହି ଅଭିଯୋଗରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ସୁଲେ କହିଛନ୍ତି, "ଗତକାଲି ମୁଁ ମୋର ପ୍ରତିକ୍ରିୟା ଦେଇଥିଲି ଏବଂ ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ବିଜେପି ସହିତ ବିତର୍କ କରିବାକୁ ପ୍ରସ୍ତୁତ ଅଛି। ରବିନ୍ଦ୍ରନାଥ ପାଟିଲ ନିଜେ ଦୁଇ ବର୍ଷ ଜେଲରେ ଅଛନ୍ତି। ମୁଁ ନିର୍ବାଚନ ଆୟୋଗ ଏବଂ ସାଇବରକୁ ଲେଖିସାରିଛି। ମୁଁ ପୁଣେ ପୋଲିସ କମିଶନର ଅମିତେଶ କୁମାରଙ୍କ ସହ ଯୋଗାଯୋଗ କରି ତଦନ୍ତ ଏବଂ ନ୍ୟାୟ ଦାବି କରିଛି।'
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବାରାମତି ବିଧାନସଭା ନିର୍ବାଚନମଣ୍ଡଳୀରୁ ଏନସିପି ପ୍ରାର୍ଥୀ ଅଜିତ ପାୱାର କହିଛନ୍ତି ଯେ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଆମ ପରିବାରର ଦୁଇଜଣ ପରସ୍ପର ବିରୁଦ୍ଧରେ ଠିଆ ହୋଇଥିଲେ। ସମସ୍ତେ ଏହି ନିର୍ବାଚନ ଦେଖିଛନ୍ତି। ଏଥର ମଧ୍ୟ ସମାନ ଘଟଣା ଘଟିଛି।' ମୁଁ ନିଶ୍ଚିତ ଯେ ବାରାମାତିର ଲୋକମାନେ ମୋତେ ବିଜୟ ଭେଟି ଦେବେ।"
ଏହାରି ଭିତରେ ଅନେକ ବଡ଼ ବଡ଼ ଅଭିନେତା, କ୍ରିଡ଼ାବିତ୍ ମଧ୍ୟ ନିଜର ମତାଧିକାର ସାବ୍ୟସ୍ଥ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି। ଅଭିନେତା ଅକ୍ଷୟ କୁମାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍ ଦେଇଛନ୍ତି। ସେ କହିଛନ୍ତି, "ମତଦାନ କେନ୍ଦ୍ରରେ ବହୁତ ଭଲ ବ୍ୟବସ୍ଥା କରାଯାଇଛି। ସ୍ୱଚ୍ଛତା ବଜାୟ ରହିଛି, ବରିଷ୍ଠ ନାଗରିକଙ୍କ ପାଇଁ ବହୁତ ଭଲ ବ୍ୟବସ୍ଥା କରାଯାଇଛି।" ସେପଟେ ଭୋଟ୍ ଦେବା ପରେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର କହିଛନ୍ତି, "ମୁଁ ଦୀର୍ଘ ଦିନ ଧରି ଭାରତର ନିର୍ବାଚନ ଆୟୋଗଙ୍କ ଚେହେରା ରହିଆସୁଛି। ମୁଁ ଯେଉଁ ବାର୍ତ୍ତା ଦେଉଛି, ତାହା ହିଁ ଭୋଟ। ଏହା ଆମର ଦାୟିତ୍ବ, ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ସେମାନେ ଆସିବା ଉଚିତ୍ ଏବଂ ଭୋଟ୍ ଦେବା ଉଚିତ୍।'