ପୁରୀ ୧୮/୦୫; ଶ୍ରୀମନ୍ଦିରରେ ମଳ ମାସ ଆରମ୍ଭ ହୋଇଛି । ଏହି ଅବସରରେ ଶ୍ରୀପୁରୁଷୋତ୍ତମଙ୍କ ସ୍ୱତନ୍ତ୍ର ଉପାସନା ଅନୁଷ୍ଠିତ ହୋଇଛି । ଶୁକ୍ଳ ପ୍ରତିପଦାଠାରୁ ମଳ ମାସ ଶେଷ ପର୍ଯ୍ୟନ୍ତ ଠାକୁରଙ୍କ ଏହି ବିଧିବିଧାନ ଚାଲିବ। ଅନେକ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତର ବେଢ ମା’ ମଙ୍ଗଳାଙ୍କ ମନ୍ଦିର ସମ୍ମୁଖ ଶ୍ରୀନାରାୟଣଙ୍କ ମନ୍ଦିରରେ ଭିଡ଼ ଜମାଇ ଶ୍ରୀପୁରୁଷୋତ୍ତମଙ୍କ ଦର୍ଶନ କରୁଛନ୍ତି । ବିଭିନ୍ନ ମାନସିକ ରଖି ସେଠାରେ ଗୁଆ ନଡ଼ିଆ ବସାଇବା ସହ ସଂକଳ୍ପ କରି ହବିଷ୍ୟ ବ୍ରତ ପାଳନ ଆରମ୍ଭ କରିଛନ୍ତି । ଠାକୁରଙ୍କୁ ଏହି ମାସରେ ପ୍ରତିଦିନ ବ୍ରତଧାରୀମାନେ ଭିନ୍ନ ଭିନ୍ନ ଫଳ ଓ ଫୁଲ ପ୍ରଦାନ କରିଥାନ୍ତି ।
ବଂଶାନୁକ୍ରମିକ ଭାବେ ପୂଜାପଣ୍ଡା ସାମନ୍ତ ପରିବାର ଠାକୁରଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି । ଦିନରେ ଦୁଇ ଥର ଭୋଗ ସହ ଶ୍ରୀପୁରୁଷୋତ୍ତମ ମହାତ୍ମ୍ୟ ପୁରାଣ ପାଠ କରାଯାଉଛି । ମାସମାନଙ୍କ ମଧ୍ୟରେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କୃପାପ୍ରାପ୍ତ ମଳ ମାସ ସର୍ବୋତ୍ତମ ଓ ପୂଣ୍ୟପ୍ରଦ ବୋଲି ବିଚାର କରାଯାଏ । କେବଳ ମଳ ମାସରେ ହିଁ ପ୍ରଭୁଙ୍କ ଦ୍ୱାର ଫିଟି ଦର୍ଶନ ମିଳିଥାଏ । ଏହି ମଳ ମାସକୁ ଅଧି ମାସ କିମ୍ବା ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ । ମଳ ମାସରେ ହୋମ, ପ୍ରତିଷ୍ଠା, ଯଜ୍ଞ, ଦାନ, ବ୍ରତ ଓ ଅଭିଷେକାଦି ମଙ୍ଗଳ କାର୍ଯ୍ୟ ବାରଣ ବୋଲି ବିଶ୍ୱାସ ରହିଛି । ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କୃପାପ୍ରାପ୍ତ ଏହି ମଳମାସ ସବୁଠୁ ପୁଣ୍ୟଦାୟୀ ବୋଲି ବିଶ୍ୱାସ ରହିଛି ।
- ଧର୍ମମାସ କାର୍ତ୍ତିକ ପରି ମଳମାସରେ ପଞ୍ଚକ ଉପାସନାର ବିଧି ରହିଛି । ବ୍ରତଧାରୀମାନେ ମାସର ଶେଷ ୫ଦିନ ପଞ୍ଚକ କରିବା ସହିତ ପ୍ରତିଦିନ ଅଲଗା ଫୁଲ ଓ ଫଳ ଠାକୁରଙ୍କୁ ଅର୍ପଣ କରିଥାନ୍ତି ।
- ଶ୍ରୀମନ୍ଦିର ବେଢ଼ାରେ ଥିବା ଅଧିମାସ ମନ୍ଦିରରେ ଶ୍ରୀନାରାୟଣ ବିଜେ କରୁଛନ୍ତି । ଶ୍ରୀନାରାୟଣଙ୍କୁ ଅଧିମାସର ଅଧିପତି ପୁରୁଷୋତ୍ତମ ଭାବେ ପୂଜାର୍ଚ୍ଚନା କରାଯାଏ । ଅନେକ ଭକ୍ତ ମଳମାସ ଆରମ୍ଭରୁ ଏଠାରେ ମାନସିକ କରି ଗୁଆ ନଡ଼ିଆ ବସାଇବା ସହିତ ମାସେ ବ୍ୟାପି ପୂଜାର୍ଚ୍ଚନା ସହ ବ୍ରତ ପାଳନ କରିଥାନ୍ତି ।
- ଶ୍ରୀନାରାୟଣଙ୍କ ମୂର୍ତ୍ତି ଚତୁର୍ଭୁଜ ବିଶିଷ୍ଟ ଏବଂ ପ୍ରଭୁ ପଦ୍ମପାଖୁଡ଼ା ଉପରେ ଧ୍ୟାନମୁଦ୍ରାରେ ବିରାଜମାନ କରୁଥିବା ଦେଖାଯାଏ । ନାରାୟଣଙ୍କ ସହିତ ବରାହନାରାୟଣ ମଧ୍ୟ ବିରାଜିତ। ତାଙ୍କୁ ମଧ୍ୟ ପୁରୁଷୋତ୍ତମ ଭାବେ ପୂଜା କରାଯାଏ ।
- ବିଷ୍ଣୁ ପୁରାଣ କହନ୍ତି ଯେ, ଅସୁର ହିରାଣାକ୍ଷ୍ୟର ଅତ୍ୟାଚାରରେ ପୀଡ଼ିତା ଧରିତ୍ରୀ ମାତା ସୁରକ୍ଷା ଲାଗି ପ୍ରାର୍ଥନା କରିବାରୁ ଶ୍ରୀପୁରୁଷୋତ୍ତମ ମହାବରାହ ରୂପ ଧାରଣ କରି ଧରିତ୍ରୀ ମାତାଙ୍କୁ ଉଦ୍ଧାର କରିଥିଲେ ।
ଅଧିକ ପଢ଼ନ୍ତୁ :- ମେ'୧୭ରୁ ଶ୍ରୀମନ୍ଦିରରେ ଶ୍ରୀପୁରୁଷୋତ୍ତମ ଉପାସନା, ଠାକୁରଙ୍କୁ ଲାଗିହେବ ୩୦ ପ୍ରକାର ଫୁଲ ଓ ଫଳ