ନୂଆଦିଲ୍ଲୀ,୧।୧୧: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଜିତିବା ପାଇଁ କଂଗ୍ରେସ ପାର୍ଟି ପକ୍ଷରୁ ବିଭିନ୍ନ ପ୍ରକାର ଗ୍ୟାରେଣ୍ଟି ସ୍କିମ୍ ଲଞ୍ଚ କରାଯାଇଥିଲା। ରାଜ୍ୟର ଜନତାଙ୍କୁ ପାଞ୍ଚ ପ୍ରକାର ସୁବିଧା ମାଗଣାରେ ଦେବାର ଘୋଷଣା କରାଯାଇଥିଲା। ରାଜ୍ୟର ଜନତାଙ୍କୁ ଭରସା ଦିଆଯାଇଥିଲା ଓ କଂଗ୍ରେସର ସରକାର ଗଠନ ହେଲା। ଏଥିରେ ଖୁସି ହୋଇ ଦେଶର ସବୁଠାରୁ ପୁରୁଣା ପାର୍ଟି ମହାରାଷ୍ଟ୍ରରେ ମଧ୍ୟ ୫ ଗ୍ୟାରେଣ୍ଟି ସେଠାର ମତଦାତାଙ୍କୁ ଦେଇଥିଲେ, ଯାହାକି ଆଗାମୀ ବିଧାନସଭା ନିର୍ବାଚନରେ ନିଜ ମତାଧିକାରର ପ୍ରୟୋଗ କରିବ। ତେବେ କର୍ଣ୍ଣାଟକର ୫ ଗ୍ୟାରେଣ୍ଟି ସ୍କିମ୍ କଂଗ୍ରେସ ପାଇଁ ଭାରି ପଡୁଛି। ସେଥିରେ ସାମିଲ ‘ଶକ୍ତି’ କାର୍ଯ୍ୟକ୍ରମକୁ ଶେଷ କରିବା ବିଷୟରେ ସରକାର ବିଚାର କରୁଛନ୍ତି।
ଏହି ବିବାଦକୁ ଦେଖି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ ନିଜ ସରକାରକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଜନତାଙ୍କୁ ସେତିକି ପ୍ରତିଶୃତି ଦିଅ, ଯେତିକି ପୁରା କରିବା ସମ୍ଭବ ହେବ। ଏହାପରେ କଂଗ୍ରେସ ସରକାରକୁ ଏହା ସ୍ପଷ୍ଟ କରିବାକୁ ବାଧ୍ୟ ହେବାକୁ ପଡିଥିଲା ଯେ, ପ୍ରମୁଖ ଗ୍ୟାରେଣ୍ଟିଂ ଯୋଜନାକୁ ଶେଷ କରାଯିବନି।
ଖଡଗେ ଗୁରୁବାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଏହି କଥା ପାଇଁ ସମାଲୋଚନା କରିଛନ୍ତି ଯେ, ଲୋକପ୍ରିୟ ‘ଶକ୍ତି’ କାର୍ଯ୍ୟକ୍ରମ ଉପରେ ପୁଣିଥରେ ବିଚାର କରାଯିବ ଦରକାର। ଖଡଗେ କହିଛନ୍ତି, ଆପଣଙ୍କ ୫ ଗ୍ୟାରେଣ୍ଟିକୁ ଦେଖି ମୁଁ ମହାରାଷ୍ଟ୍ରରେ ୫ ଯୋଜନାର ଘୋଷଣା କରିଛି। କିନ୍ତୁ ଆପଣ କହୁଛନ୍ତି, ଗୋଟିଏ ଗ୍ୟାରେଣ୍ଟି ଶେଷ କରି ଦିଆଯିବ।’
ଏହା ପୂର୍ବରୁ ଡିକେ ଶିବକୁମାର କହିଥିଲେ, ସରକାର ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ‘ଶକ୍ତି’ଯୋଜନା ଉପରେ ପୁନଃବିଚାର କରିବେ, କାରଣ ତାଙ୍କ ଭିତରୁ କିଛି ନିଜର ଟିକେଟ ପାଇଁ ଟଙ୍କା ଦେବାକୁ ଚାହାନ୍ତି। ଖଡଗେଙ୍କ ଟାର୍ଗେଟ ପରେ ସଫେଇ ଦେଇ ଶିବକୁମାର କହିଛନ୍ତି, ମୁଁ ଏଭଳି କହିନି।’ ଏହାଉପରେ ଖଡଗେ ପାଲଟା ଆକ୍ରମଣ କରି କହିଛନ୍ତି, ଆପଣ ଖବର କାଗଜ ପଢୁନାହାନ୍ତି।’
ଏହି ବିବାଦ ଦେଖି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଡେପୁଟି ସିଏମ୍ଙ୍କ କହିବା କଥା ଏହା ଥିଲା ଯେ,ଯୋଜନାରେ ସଂଶୋଧନ କରାଯିବ। ଏହି ଜବାବରେ ମଧ୍ୟ ଖଡଗେ ଖୁସି ନଥିଲେ। ସେ କହିଥିଲେ, ସଂଶୋଧନ କହି ଆପଣ ସନ୍ଦେହ ପ୍ରକାଶ କରିଛନ୍ତି। ଯେଉଁ ଲୋକ ଆଲୋଚନା କରିବାକୁ ଚାହାନ୍ତି, ତାଙ୍କ ପାଇଁ ଏହା ଯଥେଷ୍ଟ।’