ନୂଆଦିଲ୍ଲୀ,୨/୬ : ପଶ୍ଚିମବଙ୍ଗ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଗତ ନିର୍ବାଚନରେ ସରକାର ପରିବର୍ତ୍ତନ ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ସରକାର ପରିବର୍ତ୍ତନ ପରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ଏବଂ ଦଳୀୟ ନେତାଙ୍କ ଉପରେ ଆକ୍ରମଣ ପରେ ରାଜନୀତି ବଢିଯାଇଛି । ଟିଏମସି ଭିତରେ ବିଭାଜନର ଖବର ଏବେ ସାମ୍ନାକୁ ଆସୁଛି, ଯାହାପରେ ମମତା ବାନାର୍ଜୀଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ତିଆରି କରିଛି । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ କର୍ମୀ ଏବଂ ବରିଷ୍ଠ ନେତାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦ କରି କୋଲକାତାର ଏସପ୍ଲାନେଡ୍ ସ୍ଥିତ ୱାଇ-ଚ୍ୟାନେଲଠାରେ ପ୍ରତିବାଦ ସ୍ଥଳରେ ପହଞ୍ଚିଛନ୍ତି। ତାଙ୍କ ସହ ଅଭିଷେକ ବାନାର୍ଜୀ ଏବଂ କେତେକ ବିଧାୟକ ମଧ୍ୟ ଉପସ୍ଥିତ ଅଛନ୍ତି ।
କୋଲକାତା ପୋଲିସ ମମତା ବାନାର୍ଜୀଙ୍କୁ ସୋମବାର ପ୍ରତିବାଦ କରିବାକୁ ଅନୁମତି ଦେଇନଥିଲା । ଏହା ସତ୍ତ୍ୱେ, ବଙ୍ଗଳାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତିବାଦ କରିବାକୁ ପହଞ୍ଚିଛନ୍ତି । ଧାରଣାରେ ବସିଥିବା ମମତା ବାନାର୍ଜୀ କହିଛନ୍ତି, "ବଙ୍ଗଳାରେ ପୋଲିସ୍ ଟିଏମସି ନେତାଙ୍କୁ ଧମକ ଦେଉଛି । ମୋ କାର୍ଯ୍ୟ କାଳ ମଧ୍ୟରେ ମୁଁ ସବୁ ଲୋକଙ୍କ ସହିତ ଠିଆ ହୋଇଥିଲି, ସେମାନଙ୍କ ବିଚାରଧାରା ମୋ ପାର୍ଟି ସହ ନ ମିଶୁଥିଲେ ମଧ୍ୟ। ସେ ବିଜେପିକୁ ଶେଷ ଚ୍ୟାଲେଞ୍ଜ ଦେଇ କହିଛନ୍ତି, "ଲଢ଼ିବୁ ନହେଲେ ମରିବୁ।"
ଅଭିଷେକ ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମମତା ବାନାର୍ଜୀ କହିଛନ୍ତି ଯେ, ଯେଉଁମାନେ କେବେ ତାଙ୍କୁ ସାହାଯ୍ୟ ମାଗୁଥିଲେ ସେମାନେ ଡାଇମଣ୍ଡ ହାର୍ବର ସାଂସଦଙ୍କ ଉପରେ ହୋଇଥିବା ଆକ୍ରମଣ ସମୟରେ କୌଣସି ସମର୍ଥନ ଦେଇ ନ ଥିଲେ। ମମତା ବାନାର୍ଜୀ କହିଛନ୍ତି, "ବିଜେପି ସଭାପତି ମୋତେ ଅନେକ ଥର ଫୋନ୍ କରି ସାହାଯ୍ୟ ମାଗିଥିଲେ, କିନ୍ତୁ ମୁଁ କେବେ ଗଣମାଧ୍ୟମକୁ ଏ ବିଷୟରେ କହି ନ ଥିଲି। ମୋର ବିଜେପି ବ୍ୟତୀତ ସମସ୍ତ ରାଜନୈତିକ ଦଳ ସହ ଭଲ ସମ୍ପର୍କ ଅଛି, କିନ୍ତୁ ଯେତେବେଳେ ବିଜେପି ସାହାଯ୍ୟ ମାଗିଛି, ମୁଁ ସେମାନଙ୍କୁ ସାହାଯ୍ୟ କରିଛି । ମୁଁ ସେମାନଙ୍କ ଖରାପ ସମୟରେ ସେମାନଙ୍କୁ ସହାୟତା କରିଛି । ମୁଁ ସେମାନଙ୍କୁ ବ୍ୟକ୍ତିଗତ ଭାବେ ମଧ୍ୟ ଫୋନ୍ ବି କରିଥିଲି। ମୁଁ ଏଠାରେ ଅଛି ଏବଂ ଏଠାରେ ରହିବି।"
ମମତା ବାନାର୍ଜୀ ବିଜେପିକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ସେମାନେ ଚାହିଁଲେ ତାଙ୍କୁ ଗିରଫ କରିପାରିବେ । ସେ କହିଥିଲେ ଯେ, ଯଦି ତାଙ୍କୁ କୋଲକାତାରେ ପ୍ରତିବାଦ କରିବାକୁ ଅନୁମତି ଦିଆ ନ ଯାଏ, ତେବେ ସେ ଦିଲ୍ଲୀ ଯିବେ। ପ୍ରତିବାଦ ସ୍ଥଳରେ ଦଳୀୟ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ସମେତ ବହୁ ବଡ଼ ଭିଡ଼ ଜମା ହୋଇଯାଇଛି ।