ପାଟଣା, ୨୮/୦୪ : ଟଙ୍କା ପାଇଁ ଭଉଣୀର ଶବ ଖୋଳି ବ୍ୟାଙ୍କ ଆଣିବା ଘଟଣା। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଅଡ଼ୁଆରେ ବ୍ୟାଙ୍କ କର୍ତ୍ତୃପକ୍ଷ। ଦୋଷ ଛଡାଇବାକୁ ଜିତୁ ମୁଣ୍ଡାଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ପାଟଣା ବିଡିଓଙ୍କ ସହ ବ୍ୟାଙ୍କ କର୍ତ୍ତୃପକ୍ଷ ଜିତୁଙ୍କ ପାଖରେ ପହଞ୍ଚିଛନ୍ତି। ରେଡକ୍ରସ୍‌ ପାଣ୍ଠିରୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି। ଜମା ଟଙ୍କା ପ୍ରଦାନ ପାଇଁ ବ୍ୟାଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରମାଣ ପତ୍ର ସହ ଟିପ ଚିହ୍ନ ନେଇଛନ୍ତି। 

ସେପଟେ ଏମିତି ଘଟଣା ଆଗକୁ ଯେମିତି ନଘଟୁ ସେଥିପାଇଁ ରାଜସ୍ଵ ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସୁରେଶ ପୂଜାରୀ କହିଛନ୍ତି ଯେ, କେନ୍ଦୁଝରର ଘଟଣା ହୃଦୟ ବିଦାରକ। ଦାନ ମାଝୀଙ୍କ ପରେ ଏହା ଦ୍ଵିତୀୟ ଘଟଣା। ଦାୟୀ ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ। ଏମିତି କରିବା ପାଇଁ ଯେମିତି ଆଉ କାହାର ସାହାସ ନହେଉ। ମନ୍ତ୍ରୀ ପୁଣି କହିଛନ୍ତି ଯେ, ଜିଲ୍ଲାପାଳ ଏ ଘଟଣାରେ ତଦନ୍ତ କରିଛନ୍ତି। ଏପରି ପରିସ୍ଥିତି କାହିଁକି ହେଲା, ଜିଲ୍ଲାପାଳଙ୍କ ସହ ଆଲୋଚନା କରିବି। ଦୋଷୀ ବ୍ୟାଙ୍କ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।. 

ସୂଚନା ଥାଉକି, ୪ ଭାଇଭଉଣୀଙ୍କୁ ନେଇ ପାଟଣା ବ୍ଲକ୍‌ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡା (୫୦)ଙ୍କ ପରିବାର । ବଡ଼ଭାଇ ରଇବୁ ମୁଣ୍ଡା ଓ ସାନ ଭାଇ ଶଙ୍କରା ମୁଣ୍ଡା ବିବାହିତ । ଜିତୁ ଓ ବଡ଼ ଭଉଣୀ କାଲରା ଅବିବାହିତ ଥିଲେ। ଦୁଇ ବର୍ଷ ପୂର୍ବରୁ ବଳଦ ବିକ୍ରି କରି ବଡ଼ ଭାଇ ରଇବୁ ଭଉଣୀ କାଲରାଙ୍କ ନାଁରେ ମଲ୍ଲୀପଶି ସ୍ଥିତ ଗ୍ରାମ୍ୟ ବ୍ୟାଙ୍କ୍‌ରେ ୧୯,୩୦୦ ଟଙ୍କା ଜମା କରିଥିଲେ । ନୋମିନୀ ଭାବେ ବଡ଼ଭାଇଙ୍କ ନାଁ ରହିଛି । ଦେଢ଼ ବର୍ଷ ପୂର୍ବରୁ ରଇବୁଙ୍କ ମୃତ୍ୟୁ ଘଟିସାରିଛି । ଭଉଣୀ କାଲରା (୫୫)ଙ୍କ ମଧ୍ୟ ୨ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା । କାଲରାଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କକୁ ଦଉଡି ଦଉଡି ନିରାଶ ହୋଇଥିଲେ । ବ୍ୟାଙ୍କ୍‌ ପରିଚାଳକ ତାଙ୍କୁ ଭଉଣୀକୁ ନେଇକି ଆସ କିମ୍ବା ତାଙ୍କ ଉତ୍ତରାଧିକାରୀଙ୍କୁ ନେଇକି ଆସ ବୋଲି କହିଥିଲେ । କିନ୍ତୁ କାଲରାଙ୍କ ପରିବାର କହିଲେ ଜିତୁ ଓ ଶଙ୍କରାଙ୍କ ଛଡା ଆଉ କେହି ନଥିବାରୁ ଜିତୁ ବ୍ୟାଙ୍କ୍‌କୁ ବାରମ୍ବାର ଯାଇଥିଲେ । ହେଲେ ବ୍ୟାଙ୍କ୍‌ ଅଧିକାରୀ ଭଉଣୀକୁ ନେଇକି ଆସ ଟଙ୍କା ଦେବି କହି ଫେରାଇ ଦେଇଥିଲେ । ଶେଷରେ ଜିତୁ ମୁଣ୍ଡା ଶ୍ମଶାନରୁ ବଡ଼ଭଉଣୀର ଶବକୁ ଖୋଳି ଏକ ବସ୍ତାରେ ପୂରାଇ ୩ କିମି ଦୂର ମଲ୍ଲୀପଶି ଗ୍ରାମ୍ୟ ବ୍ୟାଙ୍କ୍‌କୁ ଯାଇଥିଲେ । ବ୍ୟାଙ୍କ୍‌ ସମ୍ମୁଖରେ ରଖି ଶାଖା ପରିଚାଳକଙ୍କୁ ଭଉଣୀକୁ ଦେଖ ଓ ଟଙ୍କା ଦିଅ ବୋଲି ଦାବି କରିଥିଲେ । ବ୍ୟାଙ୍କ୍‌ କର୍ମଚାରୀ ସଙ୍ଗେ ସଙ୍ଗେ ଗେଟ୍‌ ବନ୍ଦ କରିଦେବାରୁ ସେ ବାରଣ୍ଡାରେ ବସି ରହିଥିଲେ । ଏହି ଘଟଣା ଅତ୍ୟନ୍ତ ସ୍ପର୍ଶକାତର ହୋଇଥିଲେ ମଧ୍ୟ ତା କଥାକୁ କେହି ଶୁଣି ନଥିଲେ । 

ଦାନ ମାଝୀ ଘଟଣାର ପୁନରାବୃତ୍ତି, କେବେ ବଦଳିବ ବ୍ୟବସ୍ଥା ?

୨୦୧୬ରେ ଦାନ ମାଝୀ, ୨୦୨୬ରେ ଜିତୁ ମୁଣ୍ଡା। ଚିତ୍ର ସମାନ ହେଲେ ଘଟଣା ଭିନ୍ନ। ୧୦ ବର୍ଷ ପରେ କାହିଁକି ହେଲା ପୁନରାବୃତ୍ତି ? ସେତେବେଳେ ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡି ମିଳିଲାନି ବୋଲି ପତ୍ନୀର ଶବ ବୋହିଥିଲେ ଦାନ ମାଝୀ। ଆଉ ଏବେ ମୃତ ଭଉଣୀର ବ୍ୟାଙ୍କରେ ଥିବା ଜମା ରାଶିକୁ ଉଠାଇବା ପାଇଁ ଶବକୁ ବୋହି ଆଣି ବ୍ୟାଙ୍କ ବାରଣ୍ଡାରେ ବସିଲେ ଜିତୁ ମୁଣ୍ଡା। ବ୍ୟାଙ୍କଠୁ ପ୍ରଶାସନ ସବୁଠି ତାଙ୍କୁ କରାଯାଇଛି ଉପହାସ। ଘଟଣା ଘଟିବା ପୂର୍ବରୁ ପ୍ରଶାସନ ଚୁପ୍ ବସିଲା, ଆଉ ଘଟଣା ଘଟି ସାରିବା ପରେ ସାରା ସମାଜ ପ୍ରତିକ୍ରିୟାଶୀଳ ହେବାରୁ ତତ୍ପରତା ଦେଖାଇ ୨୦ ହଜାର ଟଙ୍କା ବଢାଇଦେଲା। ଏ କେମିତିକି ବିଧି ବ୍ୟବସ୍ଥା ? କେବେ ଲିଭିବ ଏ ଅଭିଶପ୍ତ ଚିତ୍ର ? ଏଭଳି ସମ୍ବେନଶୀଳ ଘଟଣା ପାଇଁ କିଏ ଦାୟୀ ? ସଭ୍ୟ ପାଠୁଆ ବାବୁମାନେ ବୁଝାଇ ପାରୁ ନାହାଁନ୍ତି ନା ଏ ଗରିବ ନିରକ୍ଷର ଗାଉଁଲି ଲୋକଟି ବୁଝି ପାରିନି। ଏ ବୁଝାବୁଝି ଭିତରେ କାହାର ରହୁଛି ଭୁଲ୍ ? ଏବେ ପ୍ରଶ୍ନ ଉଠୁଛି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନା ସହାୟତା ଆଳରେ ଦୋଷ ଘୋଡାଇ ଦିଆହେବ। 

ଏହି ଖବରଟିକୁ ପଢନ୍ତୁବ୍ୟାଙ୍କ ଶାଖା ଆଗରେ ଛାତିଥରା ଦୃଶ୍ୟ: କଙ୍କାଳ ରଖି ବସିଲା ସାନ ଭାଇ, ୨୦ ହଜାର ଜମା ଟଙ୍କା ଦାବି