ନୂଆଦିଲ୍ଲୀ ,୨୯/୦୬: ରିଲ୍ସ ନିଶା ଆଜିକାଲି ଯୁବପିଢ଼ିଙ୍କୁ ଏମିତି ଘାରିଛି ଯେ ସେମାନେ ଏଥିଲାଗି ବିପଦକୁ ବରଣ କରିବାକୁ ପଛାଉନାହାନ୍ତି । ଉତ୍ତରପ୍ରଦେଶର ବିଜନୌରରୁ ଏବେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଛି । ମଲା ସାପକୁ ପାଟିରେ ପୁରାଇ ରିଲ୍ସ କରୁଥିଲେ ଯୁବକ ଜଣକ । ଆଉ ତାହା ପରେ ଯାହା ହେଲା ତାହା ସମସ୍ତଙ୍କ ହୋସ୍ ଉଡାଇ ଦେଇଛି । ଜଣେ ଯୁବକ ରିଲ୍ସ କରିବା ଚକ୍କରରେ ମଲା ସାପକୁ ପାଟିରେ ପୂରାଇଥିଲେ । ତେବେ ଏହି ଷ୍ଟଣ୍ଟ ତାଙ୍କ ପାଇଁ କାଳ ସାବ୍ୟସ୍ତ ହୋଇଥିବା ସୂଚନା ମିଳିଛି ।
ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁସାରେ, ବିଜନୌରର ଶାଦିପୁର ଗାଁ ନିବାସୀ ୪୦ ବର୍ଷୀୟ ସଲିମ ଅହମ୍ମଦ ପେସାରେ ଜଣେ ଦିନ ମଜୁରିଆ । ନିକଟରେ ତାଙ୍କ ଘରେ ଏକ ଛୋଟ ସାପ ପଶିଯାଇଥିଲା । ଅହମ୍ମଦ ତାକୁ ପିଟି ପିଟି ମାରି ଦେଇଥିଲେ । ଏହାପରେ ମଲା ସାପକୁ ଗଳାରେ ଝୁଲାଇ, ମୁହଁରେ ଦବାଇ ସେ ଭିଡିଓ ସୁଟିଂ କରିଥିଲେ । ତେବେ ମଲା ସାପକୁ ବାରମ୍ବାର ମୁହଁରେ ଦବାଇବା ଯୋଗୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । କିଛି ପରିମାଣର ବିଷ ତାଙ୍କ ଶରୀରରେ ପ୍ରବେଶ କରିଥିଲା । ଏଭଳିସ୍ଥିତିରେ ପରିଜନ ତାଙ୍କୁ ସ୍ଥାନୀୟ ପ୍ରାଥମିକ କେନ୍ଦ୍ର ନେଇଥିଲେ । ସେଠାରେ ଡାକ୍ତରମାନେ ତାଙ୍କୁ ଜିଲ୍ଲା ମେଡିକାଲ କଲେଜ ଓ ହସ୍ପିଟାଲକୁ ରେଫର କରିଛନ୍ତି । ଏବେ ସେ ସେଠାରେ ବଞ୍ଚିବା ଲାଗି ସଂଘର୍ଷ କରୁଛନ୍ତି ।
ଏହା ବି ପଢନ୍ତୁ...Biden-Trump: ମଞ୍ଚରୁ ଓହ୍ଲାଇବା ରାସ୍ତା ଭୁଲିଗଲେ ବାଇଡେନ, ଟ୍ରମ୍ପଙ୍କୁ ‘ଲୁଜର’ କହି ଗର୍ଜିଲେ
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ସାପକୁ ମାରିବା ପରେ ସଲିମଙ୍କ ଆଚରଣ ହଠାତ୍ ବଦଳି ଯାଇଥିଲା । ସେ ମଲା ସାପଟିକୁ ଉଠାଇ ବାରମ୍ବାର ପାଟି ଭିତରକୁ ନେଇଥିଲେ । ପୁଣି ବାହାରକୁ ଆଣିଥିଲେ । ଦେଖଣାହାରୀମାନେ ତାଙ୍କ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କାହା କଥା ଶୁଣିନଥିଲେ । କୁହାଯାଉଛି କି, ସାପର ଶରୀରରେ ଥିବା ବିଷାକ୍ତ ଅବଶିଷ୍ଟାଂଶ ତାଙ୍କ ମୁହଁ ଦେଇ ଶରୀରକୁ ପ୍ରବେଶ କରିଥାଇପାରେ । ଏହାର କିଛି ସମୟ ପରେ ସଲିମଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି ।