ମାଲକାନଗିରି (ରତ୍ନା କର ଦାଶ) : ମଣିଷ ସମାଜ ଯେତେ ଯେତେ ଶିକ୍ଷିତ ଓ ବୃଦ୍ଧି ମାନ ହେଉଛି, ତା ଠାରୁ ଅଧିକ ଲୋଭଗ୍ରସ୍ତ ହୋଇ ନିଜର ବୃଦ୍ଧି ବିବେକ ହରାଉଛି, ସବୁଜ ଜଙ୍ଗଲକୁ କାଟି ଦେଇ କଂକ୍ରିଟ ଜଙ୍ଗଲ ସୃଷ୍ଟି କରୁଛି। ଜଙ୍ଗଲର ମୂଲ୍ୟମାନ ଗଛ କାଟି ଟାଙ୍ଗରା ଭୂଇଁ କରି ଦେଉଛି। ଏହାକୁ ଦେଖି ସହି ପାରି ନାହାନ୍ତି ଜଣେ ନିପଟ ମଫସଲ ଗ୍ରାମର ଆଦିବାସୀ ମହିଳା। ତାଙ୍କୁ ଏସବୁ କରିଛି ବ୍ୟଥିତ।
ସେମିତି କିଛି ସେ ପାଠ ପଢି ନାହାନ୍ତି , ହେଲେ ଜଙ୍ଗଲ ପାହାଡ଼ ତାଙ୍କର ମାଆ, ଏହି ଜଙ୍ଗଲକୁ ସୁରକ୍ଷା ଯୋଗାଇଦେବା ପାଇଁ ଅଣ୍ଟା ଭିଡି ଆଗେଇ ଆସିଛନ୍ତି ମାଲକାନଗିରି ଜିଲ୍ଲା ବନ୍ଧୁଗୁଡ଼ା ଗ୍ରାମର ବୃଦ୍ଧା ମଙ୍ଗଲ ଦେଈ ହନ୍ତାଳ(୬୩)। ପରିଣତ ବୟସରେ ମଧ୍ୟ ସେ ଜଙ୍ଗଲ ସୁରକ୍ଷାର ମଙ୍ଗ ଧରି ସଫଳତା ହାସଲ କରିଛନ୍ତି। ମାଲକାନଗିରି ଜିଲ୍ଲା ସିନ୍ଦିରମାଲ ପଞ୍ଚାୟତ ବନ୍ଧଗୁଡା ଗ୍ରାମର ଧନୁର୍ଯ୍ୟୟ ହନ୍ତାଳଙ୍କ ପତ୍ନୀ ମଙ୍ଗଲ ଦେଈ।
ମଙ୍ଗଲ ଦେଈ ବନ୍ଧଗୁଡା ଗ୍ରାମରେ ପୂର୍ବରୁ ତିନି ତିନି ଥର ୱାର୍ଡ ମେମ୍ବର ହୋଇ ଥିଲେ। କିଛି କାଠ ମାଫିଆ ଗ୍ରାମ ନିକଟ ପାହଡ ଓ ଜଙ୍ଗଲରୁ ଗଛ କାଟି ନେଉ ଥିବାର ଦେଖି ସେ ସହି ପାରିଲେ ନାହିଁ , ଗାଁର କିଛି ମହିଳାଙ୍କୁ ନେଇ ଏକ ମହିଳା ବାହିନୀ ଗଠନ କରି ଜଙ୍ଗଲକୁ ସୁରକ୍ଷା ଯୋଗାଇଲେ, କେବଳ କାଠ ଚୋରଙ୍କୁ ସାବାଡ଼ କଲେ ନାହିଁ, ଯେଉଁ ମାନେ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ପୋଡି ଦେଇ ଥିଲେ ସେମାନଙ୍କୁ ମଧ୍ୟ ସଚେତନତା କରି ଜଙ୍ଗଲ ପୋଡିକୁ ରକ୍ଷା କରି ପାରିଛନ୍ତି ।
ପ୍ରକୃତି ସହିତ ମଣିଷର ସମ୍ପର୍କ ବହୁ ପୁରାତନ। ବଣ ,ଜଙ୍ଗଲ ,ପାହାଡ଼ ଓ ଝରଣା ପ୍ରତି ମଣିଷର ରହିଛି ଦୁର୍ବାର ଆକର୍ଷଣ। ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ ରାଜ୍ୟ ସୀମାନ୍ତରେ ଅବସ୍ଥିତ ମାଲକାନଗିରି ଜିଲ୍ଲାର ଚତୁଃପାର୍ଶ୍ବରେ ସୁଉଚ୍ଚ ପର୍ବତ ମାଳା, ଆଧୁନିକ ମାଲକାନଗିରି ପୁରାଣ ବର୍ଣ୍ଣିତ ମାଲ୍ୟବନ୍ତଗିରି,ଗୋଦାବରୀ ଉପତ୍ୟକା ଠାରୁ ନର୍ମଦା ଉପତ୍ୟକା ପର୍ଯ୍ୟନ୍ତ ବିସ୍ତୃତ ମହାକାନ୍ତାର ଦଣ୍ଡକାରଣ୍ୟର ଅଂଶ ବିଶେଷ, ମହାଭାରତ, ରାମାୟଣ ସ୍ମୃତି ବିଜଡିତ ଅନେକ କିମ୍ବଦନ୍ତୀ ଭରି ରହିଛି। ଆକର୍ଷଣୀୟ ପ୍ରାକୃତିକ ସୁଉଚ୍ଚ ପର୍ବତ ମାଳା ସାଙ୍ଗକୁ ଚିରସ୍ରୋତା ଝରଣାର କୁଳୁକୁଳୁ ନାଦ ବନାନୀର ବନବାସୀଙ୍କ ମନ ମୋହି ଥାଏ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର, ଘଞ୍ଚ ଅରଣ୍ୟ, ସୁନ୍ଦର ସୁଉଚ୍ଚ ପାହାଡ଼ ନଦନଦୀ ଓ ନିର୍ଝରିଣୀ ପରିବେଷ୍ଟିତ କେଉଁ ଆବାହନ କାଳରୁ ମାଲ୍ୟବନ୍ତ ପର୍ବତ, ଗୋଇପର୍ବତ, ବନ୍ଧଗୁଡା ପର୍ବତ ଏହି ପାହଡ ଗୁଡିକ ମଥା ଟେକି ରହିଛି।
ମାଲକାଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ସିନ୍ଧିରିମାଳ ପଞ୍ଚାୟତର ବନ୍ଧଗୁଡା ଗ୍ରାମ ପର୍ବତ, ଏହି ପର୍ବତ ଗ୍ରାମବାସୀଙ୍କୁ ଖାଦ୍ୟ, ବସ୍ତ୍ର, ପାନୀୟ ଜଳ ଠାରୁ ବାସଗୃହ ପର୍ଯ୍ୟନ୍ତ ସବୁ ଯୋଗାଇଛି। ଗ୍ରାମବାସୀମାନେ ମାଆ ପରି ସେମାନେ ପୂଜା କରି ଆସୁଛନ୍ତି , ପାହଡ ତଳେ ଝରଣା କୁଳରେ ଧାନ, ମାଣ୍ଡିଆ, ସୁଆଁ, ବିରି,କୋଳଥ, କାନ୍ଦୁଲ,ମତ୍ସ୍ୟ, ବାଜରା, ରାଶି, ସହିତ ପନିପରିବା ଚାଷ କରିଥାନ୍ତି।
ରାତି ପାହିଲେ ପାଦଡ ଚଳି ଗ୍ରାମବାସୀ ମାନେ ପାହାଡ଼ରୁ ଜାଳେଣି ପାଇଁ ଶୁଖିଲା କାଠ ବାଉଁଶ ସଂଗ୍ରହ କରିଥାନ୍ତି, କେହି ବି ହଲେ ଜଣେ କଞ୍ଚା ଗଛ ହାଣି ନଥାନ୍ତି , ଜଙ୍ଗଲରୁ ହରିଡା, ବାହାଡା, ଅଁଳା, କେନ୍ଦୁ, ଆମ୍ବ, ପଣସ, ଚାରିକୋଳି, ଜାମୁକୋଳି, ଶିଆଳିପତ୍ର, କେନ୍ଦୁପତ୍ର, ଇତ୍ୟାଦି ସଂଗ୍ରହ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ଏହି ପର୍ବତ ସେମାନଙ୍କ ପାଇଁ କାମଧେନୁ ସଦୃଶ। ଏହି ପର୍ବତରେ ଅନେକ ପ୍ରକାରର ଜୀବନ ରକ୍ଷାକାରୀ ଔଷଧବୃକ୍ଷ, ଗୁଳ୍ମ ଠାରୁ ଆରମ୍ଭ କରି ବାଘ, ଭାଲୁ, ହରିଣ, କୁଟୁରା, ଠେକୁଆ, ମାଙ୍କଡ, ଝିଙ୍କ, ନେଉଳ, ସର୍ପ, ମୟୁର,ବିଭିନ୍ନ ସରୀସୃପ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଜାତିର ପଶୁ ଓ ପକ୍ଷୀ ବାସ କରିଛନ୍ତି। ପର୍ବତର ସବୁଜିମା, ପଶୁ ପକ୍ଷୀ ମାନଙ୍କର କାକଳି, ଝରଣାର କୁଳୁକୁଳି ନାଦ , ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି।
ଗତ କିଛି ବର୍ଷ ତଳେ ଜଙ୍ଗଲ ମାଫିଆମାନେ ଏହା ଉପରେ କୋପ ଦୃଷ୍ଟି ପକାଇ ଜଙ୍ଗଲରୁ ଲୁଟି ଚାଲି ଥିଲେ ମୂଲ୍ୟବାନ ଗଛ। ଧରେ ଧିରେ ଏହା ଟାଙ୍ଗରା ଭୂଇଁରେ ପରିଣତ ହେବାକୁ ଲାଗିଲା,କେତେ ଦିନ ବା ଜଙ୍ଗଲ ଲୁଟେରାଙ୍କ ପାର୍ଦୁଭାବକୁ ସହିବେ ଗ୍ରାମବାସୀ, ସେହି ଗ୍ରାମର ମଙ୍ଗଲ ଦେଈ ହନ୍ତାଳଙ୍କ ନେତୃତ୍ବରେ ଗ୍ରାମର କିଛି ଆଦିବାସୀ ମହିଳା ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡି ଆଗେଇ ଆସିଲେ, ସେମାନଙ୍କୁ ସହଯୋଗର ହାତ ବଢାଇଲେ ଗ୍ରାମର କିଛି ମହିଳା ଓ ପୁରୁଷ। ହାତରେ ବାଡି, ଟାଙ୍ଗିଆ, ଧନୁତୀର ଧରି ପାହଡ଼କୁ ଆଗେଇ ଗଲେ। ପାଳି କରି ଜଗିଲେ ସେ ଜଙ୍ଗଲକୁ,ଯିଏ ସେ ଜଙ୍ଗଲରୁ ଗଛ କାଟିଲା ତାକୁ ଗୋଡାଇ ଗୋଡାଲ ଧରିଲେ।