ମାଲକାନଗିରି,୧୩/୦୫: ମାଲକାନଗିରି ପୁଲିସକୁ ବଡ଼ ସଫଳତା । ଆବୁଝମାଡ଼ ଜଙ୍ଗଲରୁ ଠାବ ହୋଇଛି ବଡ ଧରଣର ମାଓ ଡମ୍ପ । କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ସହ ଭାରି ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆବୁଝମାଡ଼ ଜଙ୍ଗଲରେ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ଯବାନମାନେ ମାଓବାଦୀଙ୍କ ଏକ ବିଶାଳ ଡମ୍ପ୍ ଠାବ କରିଥିବା ବେଳେ ସେଠାରୁ ନଗଦ ୧ କୋଟି ୧ ଲକ୍ଷ ୬୪ ହଜାର ଟଙ୍କା ସହ AK-4, SLR, INSAS, 303 ରାଇଫଲ୍ ସହ LMG, BGL, ରକେଟ୍ ଲଞ୍ଚର୍ ଭଳି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ଜବାନ ।

ଆହୁରି ପଢନ୍ତୁ- ସୌମ୍ୟରଞ୍ଜନଙ୍କ ଷ୍ଟେରୋଏଡ୍ ଥିଓରୀକୁ ନେଇ ଉଠିଲା ପ୍ରଶ୍ନ, ଶକ୍ତି ବର୍ଦ୍ଧକ ଔଷଧ ସେବନ କରିଥିବା ପୁଲିସର ଅନୁମାନ

ପୁଲିସ ସୂଚନା ଅନୁଯାୟୀ, ଆତ୍ମ ସମର୍ପଣ କରିଥିବା କିଛି ମାଓବାଦୀଙ୍କ ଠାରୁ ଗୁପ୍ତ ତଥ୍ୟ ମିଳିବା ପରେ ସୁରକ୍ଷାବାହିନୀ ଆବୁଝମାଡ଼ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଘଞ୍ଚ ଜଙ୍ଗଲ ମଧ୍ୟରେ ମାଟି ତଳେ ଲୁଚାଇ ରଖିଥିବା ଏକ ବଡ଼ ଡମ୍ପ୍ ଠାବ ହୋଇଥିଲା । ଏଥିରୁ ନଗଦ ଟଙ୍କା, ଅସ୍ତ୍ରଶସ୍ତ୍ର ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ବଡ଼ ଧରଣର ଆକ୍ରମଣ କରିବା ଉଦ୍ଦେଶ୍ୟରେ ଏହି ଅସ୍ତ୍ରଶସ୍ତ୍ର ମହଜୁଦ୍ କରିଥିବା ପୁଲିସ ଅନୁମାନ କରୁଛି । ନାରାୟଣପୁର ଜିଲ୍ଲାକୁ ନକ୍ସଲ ମୁକ୍ତ କରାଯାଇଥିବା ଦାବି ହେଉଥିବା ସତ୍ତ୍ୱେ ଆବୁଝମାଡ଼ ଭଳି ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ଏବେ ମଧ୍ୟ ମାଓବାଦୀଙ୍କ ଗୁପ୍ତ ଡମ୍ପ୍ ରହିଥିୁବା ନେଇ ପୁଲିସ ସତର୍କ ରହିଛି । ଆଗାମୀ ଦିନରେ ଅଧିକ ଚଢ଼ଉ ଅଭିଯାନ ଜାରି ରହିବ ବୋଲି ନାରାୟଣପୁର ପୁଲିସ କହିଛି।