ଫୁଲବାଣୀ/ବାଲିଗୁଡ଼ା/ଦାରିଙ୍ଗବାଡ଼ି, ୨୬/୦୨: ମାଓ ସଙ୍ଗଠନ କେକେବିଏନ୍ (କନ୍ଧମାଳ, କୋରାପୁଟ, ବୌଦ୍ଧ ଓ ନୟାଗଡ଼)ର ଡେପୁଟି ପ୍ଲାଟୁନ କମାଣ୍ଡର ଅନ୍ୱେଷଙ୍କୁ ହତ୍ୟା । ସହଯୋଗୀମାନେ ତାଙ୍କୁ ହତ୍ୟା କରି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କୁଟିମାହା ଗ୍ରାମ ନିକଟସ୍ଥ ପକାରୀ ସଂରକ୍ଷିତ ଜଙ୍ଗଲରେ ପୋତି ଦେଇଥିଲେ । ସେଠାରୁ ପୁଲିସ ଉଦ୍ଧାର କରିଛି ତାଙ୍କର ଗଳିତ ମୃତଦେହ । ତାଙ୍କୁ ସହଯୋଗୀ ଶୁକ୍ରୁ ଓ ଅନ୍ୟମାନେ ମିଶି ହତ୍ୟା କରିଥିବା ତଦନ୍ତରୁ ଜଣା ପଡ଼ିଥିବା ପ୍ରକାଶ କରିଛନ୍ତି କନ୍ଧମାଳ ଏସ୍ପି ହରିଶ ବି.ସି। ତେବେ ଅନ୍ୱେଷ ଆତ୍ମସମର୍ପଣ କରିବା ପାଇଁ ଚାହୁଁଥିବା ଜାଣିଲା ପରେ ତାଙ୍କ ମୁଣ୍ଡ ଗଡ଼ିଛି ବୋଲି ସୂଚନା ମିଳିଛି ।
କନ୍ଧମାଳ ପୁଲିସ ପକ୍ଷରୁ ଘନଘନ କମ୍ବିଂ ଅପରେସନ ସହିତ ଗୋଟିଏ ପରେ ଗୋଟିଏ ସଫଳତା ଯୋଗୁଁ ଲାଲ୍ବାହିନୀକୁ ଝଟ୍କା ଲାଗିଛି । ଇତି ମଧ୍ୟରେ ଅନେକ ଟପ୍ କ୍ୟାଡରଙ୍କ ମୃତ୍ୟୁ ଓ ଆତ୍ମସମର୍ପଣ ମାଓ ସଙ୍ଗଠନକୁ କ୍ରମାଗତ ଦୁର୍ବଳ କରି ଚାଲିଛି । ନିକଟରେ ନିଖିଲ ଓ ଇନ୍ଦୁ ରାୟଗଡ଼ା ପୁଲିସ ପାଖରେ ଏବଂ ଅନ୍ୟତମ ପ୍ରମୁଖ ସଙ୍ଗଠକ ମମତା ଛତିଶଗଡ଼ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ସଙ୍ଗଠନର ଅଣ୍ଟା ଦୋହଲେଇ ଦେଇଛି । ଅପରପକ୍ଷରେ, ସାମ୍ପ୍ରତିକ ପରିସ୍ଥିତି ଲାଲ୍ବାହିନୀରେ ଅନ୍ତଦ୍ୱର୍ନ୍ଦ୍ୱ ସୃଷ୍ଟି କରିଥିବା ମଧ୍ୟ ସ୍ପଷ୍ଟ ହୋଇଛି । ରାଜ୍ୟ ପୁଲିସ ସହିତ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ଆହ୍ୱାନ ଯୋଗୁଁ ଅନେକ ସଦସ୍ୟ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । କିନ୍ତୁ ଏହାକୁ ନେଇ ସଙ୍ଗଠନ ଭିତରେ ମତାନ୍ତର ସୃଷ୍ଟି ହେଉଛି ।
ଅଧିକ ପଢ଼ନ୍ତୁ :- ତୋଷାଳି ଭବନର ରେକର୍ଡ ରୁମ୍ରେ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
ଏହାହିଁ ଅନ୍ୱେଷଙ୍କ ହତ୍ୟାର କାରଣ ବୋଲି ସ୍ପଷ୍ଟ କରିଛନ୍ତି ଏସ୍ପି । ତାଙ୍କ ସୂଚନା ଅନୁଯାୟୀ, ଅନ୍ୱେଷ କେକେବିଏନ୍ର ଅଷ୍ଟମ କମ୍ପାନୀରେ ଡେପୁଟି ପ୍ଲାଟୁନ କମାଣ୍ଡର ଥିଲେ । ନିକଟରେ ତାଙ୍କ ମୁଣ୍ଡ ଉପରେ ୨୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ରାଜ୍ୟ ସରକାର । ପୁଲିସର ଲଗାତାର ମାଓ ବିରୋଧୀ ଅଭିଯାନ ସାଙ୍ଗକୁ ସଙ୍ଗଠନର ଟପ୍ କ୍ୟାଡର ଓ ସହଯୋଗୀ ମୃତ୍ୟୁମୁଖରେ ପଡ଼ିବା ଏବଂ ଆତ୍ମସମର୍ପଣ କରିବା ପରେ ଅନ୍ୱେଷ ମଧ୍ୟ ଆତ୍ମସମର୍ପଣ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ୧୪ ଜଣ ସହଯୋଗୀଙ୍କ ସମେତ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ଯୋଜନା ରହିଥିଲା । କିନ୍ତୁ ତାଙ୍କର ଏହି ପଦକ୍ଷେପକୁ ବିରୋଧ କରିଥିଲେ ସଙ୍ଗଠନର ଅନ୍ୟତମ ଟପ୍ କ୍ୟାଡର ଶୁକ୍ରୁ । ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଏତେ ସଂଖ୍ୟାରେ ସାଥୀ ସଙ୍ଗଠନ ଛାଡ଼ିଲେ କନ୍ଧମାଳ ଜିଲ୍ଲାରେ ଲାଲ୍ବାହିନୀର ମେରୁଦଣ୍ଡ ଭାଙ୍ଗିଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା । ଗତ ଜାନୁଆରୀ ୨୯ରେ ଶୁକ୍ରୁ ଓ ତାଙ୍କ ସହଯୋଗୀ ଅନ୍ୱେଷଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିବା ପରେ ପକାରୀ ସଂରକ୍ଷିତ ଜଙ୍ଗଲରେ ପୋତି ଦେଇଥିଲେ । ପୁଲିସ ନିକଟରେ ଏ ନେଇ ଆଭାସ ଥିଲେ ମଧ୍ୟ ମୃତଦେହ ଠାବ ହୋଇ ପାରି ନଥିଲା ।
ମଙ୍ଗଳବାର ଜଙ୍ଗଲ ମଧ୍ୟରେ ଶବ ପଡ଼ିଥିବା ଦାରିଙ୍ଗବାଡ଼ି ପୁଲିସ ଜାଣିବାକୁ ପାଇଥିଲା । ମୃତଦେହ ଉଦ୍ଧାର କରି ଦାରିଙ୍ଗବାଡ଼ି ମେଡିକାଲ ଅଣାଯାଇଥିଲା । ଶବ ପଚି ଯାଇଥିବା ଯୋଗୁଁ ଏଠାରେ ବ୍ୟବଚ୍ଛେଦ ହୋଇ ନପାରି ବ୍ରହ୍ମପୁର ପଠାଯାଇଛି । ଘଟଣାକୁ ନେଇ ଦାରିଙ୍ଗବାଡ଼ି ଥାନାରେ ୫୮/୨୬ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ବୁଧବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କନ୍ଧମାଳ ଏସ୍ପି । କନ୍ଧମାଳ ପୁଲିସର ଭୟରେ ମାଓବାଦୀ ଜିଲ୍ଲା ଛାଡ଼ି ଚାଲି ଯାଉଥିବା କହିଛନ୍ତି । ଖୁବଶୀଘ୍ର ଅନ୍ୟ ମାନେ ଆତ୍ମସମର୍ପଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।
ଅପରପକ୍ଷରେ, ଲାଲ୍ବାହିନୀରେ ଭୀଷଣ ଅନ୍ତଦ୍ୱର୍ନ୍ଦ୍ୱ ସୃଷ୍ଟି ହୋଇଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି । ଜିଲ୍ଲାକୁ ମାଓମୁକ୍ତ ଘୋଷଣା ପାଇଁ ଚଳିତ ମାର୍ଚ୍ଚ ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ବେଳେ ଜିଲ୍ଲା ପୁଲିସ ଏ ଦିଗରେ ଆଗକୁ ବଢୁଥିବା ଜଣାପଡିଛି ।