ଭୁବନେଶ୍ବର, ୩୧/୦୩: ଓଡ଼ିଶାରେ ନକ୍ସଲ ଦମନ ସଫଳ । ରାଜ୍ୟରେ ପ୍ରାୟ ଆଉ ମାଓବାଦୀଙ୍କ ଭୟ ନାହିଁ । ମାଓମୁକ୍ତ ଭାରତ ଡେଡଲାଇନର ଶେଷ ଦିନରେ ଏଭଳି କିଛି କହିଛନ୍ତି ADG ସଂଜୀବ ପଣ୍ଡା । ନକ୍ସଲ ମୁକ୍ତ ଦେଶ ଘୋଷଣା ପରଠାରୁ ଓଡ଼ିଶାରେ ମୋଟ୍ ୧୫୬ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ବିରୋଧରେ ଶସ୍ତ୍ର ଉଠାଇଥିବା ୨୭ଜଣ ମାଓବାଦୀଙ୍କୁ ନିହତ କରାଯାଇଛି ।
ମାଓବାଦୀଙ୍କୁ ମାର୍ଚ୍ଚ ଶେଷ ସୁଦ୍ଧା ଆତ୍ମସମର୍ପଣ କରିବାକୁ କେନ୍ଦ୍ର ସରକାର ଡେଡଲାଇନ୍ ଦେଇଥିଲେ । ଏହା ପରଠାରୁ ଲଗାତାର ଭାବେ ମାଓବାଦୀମାନେ ପୁଲିସ ସାମ୍ନାରେ ଆତ୍ମସମର୍ପଣ କରୁଛନ୍ତି । ଆଜି ସୁଦ୍ଧା ୧୫୬ ମାଓବାଦୀ ଶସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇଛନ୍ତି । ଅନ୍ୟପଟେ ସରକାରଙ୍କ ଘୋଷଣାକୁ ଖାତିର ନକରି ପୁଲିସ ବିରୋଧରେ ଶସ୍ତ୍ର ଉଠାଇ ଥିବା ୨୭ଜଣ ନକ୍ସଲଙ୍କୁ ସୁରକ୍ଷାବଳ ଏନକାଉଣ୍ଟର କରିଛି । ଏହାଛଡ଼ା ମାଓ ଦମନ ଅପରେସନରେ ୯ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି ବୋଲି ADG ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି । ମୋଟ୍ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍ର ମଧ୍ୟରୁ ୭୮ଜଣ ଓଡ଼ିଶା ହୋଇଥିବା ବେଳେ ୪୨ଜଣ ଛତିଶଗଡ଼ର ରହିଛନ୍ତି ।
ଅଧିକ ପଢନ୍ତୁ-ଡେଡ୍ଲାଇନ୍ ଶେଷ ଦିନରେ ଦୁଇ ନକ୍ସଲଙ୍କ ଆତ୍ମସମର୍ପଣ, ଛତିଶଗଡ଼ ୯୬% ମାଓମୁକ୍ତ
୨୦୨୫ରେ ଓଡ଼ିଶାର ୯ଟି ଜିଲ୍ଲା ମାଓବାଦୀ ପ୍ରଭାବିତ ଥିଲା। ଏଥିରୁ ବର୍ତ୍ତମାନ ୮ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ମାଓବାଦୀ ମୁକ୍ତ ହୋଇସାରିଛି । ମାଓବାଦୀ ଅପରେସନରେ ୨୩୯ଜଣ ଯବାନ ଶହୀଦ ହୋଇଥିବା ବେଳେ ୫୯ଜଣ ସାଧାରଣ ନାଗରିକଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ଏପରିକି ଡେଡଲାଇନର ଶେଷ ଦିନରେ ଦୁଇଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ସଂଜୀବ ପଣ୍ଡା କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ମାଓବାଦୀ ଆତ୍ମସମର୍ପଣ ନେଇ ଥିବା ସମୟସୀମା ଶେଷ ହୋଇଛି । କାଲିଠାରୁ ଆଉ ଆତ୍ମସମର୍ପଣ ସୁଯୋଗ ମିଳିବ ନାହିଁ । ଯେଉଁ ହାତ ଗଣତି କେତେ ଜଣ ରହିଛନ୍ତି, ସେମାନଙ୍କୁ ନିପାତ କରାଯିବ । ବର୍ତ୍ତମାନ ଓଡ଼ିଶାରେ ମାଓ ରିକ୍ରୁଟମେଣ୍ଟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଛି । ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ମଧ୍ୟ ମାଓବାଦୀ ଅପରେସନ ଜାରି ରହିବ। ନକ୍ସଲମାନେ ଯେଭଳି ପୁନଃସଂଗଠିତ ନ ହୁଅନ୍ତି ତାହାକୁ ଗୁରୁତ୍ୱ ଦେଉଛୁ । ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ୱିକେଙ୍କ ନିପାତ ମାଓବାଦୀଙ୍କ ଟର୍ଣ୍ଣିଂ ପଏଣ୍ଟ ରହିଥିଲା ବୋଲି ADG ସଂଜୀବ ସୂଚନା ଦେଇଛନ୍ତି ।