ଭୁବନେଶ୍ୱର ୨୫/୦୫: ଆଜିକାଲିର ବ୍ୟସ୍ତବହୁଳ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟକୁ ଅଣଦେଖା କରିବାରେ ଲାଗିଛନ୍ତି। ବିଶେଷକରି ଖାଦ୍ୟ ପାନୀୟ କ୍ଷେତ୍ରରେ ଅଧିକାଂଶ ଲୋକ ଘର ଖାଦ୍ୟ ଛାଡି ବାହାର ଫାଷ୍ଟ ଫୁଡ୍‌, ପ୍ରୋସେସ୍‌ ଫୁଡ୍‌ ଓ ଛଣାଛଣି ଖାଦ୍ୟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ଶରୀରକୁ ପର୍ଯ୍ୟାପ୍ତ ପୋଷକ ତତ୍ତ୍ୱ ମିଳିପାରୁନାହିଁ। ଫଳରେ ଅନେକ ପ୍ରକାରର ପୋଷକ ତତ୍ତ୍ୱର ଅଭାବଜନିତ ସମସ୍ୟା ଦେଖିବାକୁ ମିଳୁଛି। ଭିଟାମିନ୍‌-ବି ୧୨ ଅଭାବ ଆଜିକାଲି ପ୍ରାୟ ଲୋକଙ୍କ ପାଇଁ ଖୁବ୍‌ ସାଧାରଣ ହୋଇପଡିଲାଣି। ଏହା ଶରୀର ପାଇଁ ଖୁବ୍‌ ଜରୁରୀ ପୋଷକ ତତ୍ତ୍ୱ, ଯାହା ସ୍ନାୟୁର ସ୍ୱାସ୍ଥ୍ୟ, ମସ୍ତିଷ୍କର କାର୍ଯ୍ୟକ୍ଷମତା, ଲାଲ୍‌ ରକ୍ତକଣିକାର ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାର ଅଭାବରେ ଥକ୍କାପଣ, ମୁଣ୍ଡ ବୁଲାଇବା, ଭୁଲିବା ସମସ୍ୟା ଓ ଅବସାଦ ପରି ସମସ୍ୟା ଦେଖିବାକୁ ମିଳିଥାଏ। ଏବେ ପ୍ରଶ୍ନ ଉଠୁଛି ଏହି ଭିଟାମିନ୍‌-ବି ୧୨ ଅଭାବ କାହାଠାରେ ଅଧିକ ଦେଖାଦିଏ। ମହିଳା ନା ପୁରୁଷଙ୍କ ଠାରେ? ଏହା କେବଳ ଶାକାହାରୀ ନା ମାଂସାହାରୀଙ୍କଠାରେ ମଧ୍ୟ ଦେଖା ଦିଏ? 

ଭିଟାମିନ-ବି ୧୨ର ଅଭାବ ଉଭୟ ପୁରୁଷ ଓ ମହିଳାଙ୍କଠାରେ ଏହାର ଆଶଙ୍କା ଅଧିକ ରହିଥାଏ। ବିଶେଷକରି ଯେଉଁ ମହିଳାମାନେ ଶାକାହାରୀ, ଗର୍ଭବତୀ ଓ ବୟସ୍କ ହୋଇଥାନ୍ତି। ଦ୍ୱିତୀୟତଃ ପୁରୁଷଙ୍କ କ୍ଷେତ୍ରରେ ଏହାର ଅଭାବ ସେତେବେଳେ ଦେଖାଦିଏ, ଯେତେବେଳେ ସେମାନେ ଖରାପ ଜୀବନଶୈଳୀ ଗ୍ରହଣ କରିବା ସହ  ଅଧିକ ଧୂମପାନ କରୁଥାନ୍ତି ବା ୬୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ଏହାର ଆଶଙ୍କା ଅଧିକ ରହିଥାଏ। କାରଣ ଏହି ବୟସରେ ବ୍ୟକ୍ତିର ଅବଶୋଷଣ ତନ୍ତ୍ର ଦୁର୍ବଳ ରହିଥାଏ।

ଲକ୍ଷଣ :

ଲଗାତାର ଥକିବା ଓ ଦୁର୍ବଳ ଲାଗିବା, ହାତ ଗୋଡ ଝିମ୍‌ ଝିମ୍‌ ହେବା, ମୁଣ୍ଡ ବୁଲାଇବା, ଧ୍ୟାନ କେନ୍ଦ୍ରୀତ କରିବାରେ ସମସ୍ୟା, ଭୁଲିଯିବା, ଅବସାଦ ଓ ମୁଡ୍‌ ସ୍ୱିଇଂ, ଭୋକ ନ ହେବା ଓ ହୃଦ୍‌ ସ୍ପନ୍ଦନ ବଢିବା ଆଦି ଭିଟାମିନ୍‌-ବି୧୨ ଅଭାବର ଲକ୍ଷଣ। ଏହା ପ୍ରାୟତଃ ଶାକାହାରୀମାନଙ୍କଠାରେ ଅଧିକ ଦେଖା ଦେଇଥାଏ। 

ବୟସ ବଢିବା ସହ ଶରୀରେ ପୋଷକ ତତ୍ତ୍ୱର ଅବଶୋଷଣ କମ୍‌ ହୋଇଥାଏ। ମଧୁମେହ ଦୀର୍ଘଦିନ ରହିବା ପରେ ଔଷଧ ଖାଇବା ଯୋଗୁ ଏହି ଅଭାବ ଦେଖାଦେଇପାରେ।  ଏହାକୁ ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇଥାଏ। ଯଦି ଭିଟାମିନ୍‌  ଭିଟାମିନ୍‌-ବି୧୨ ର ସ୍ତର ୨୦୦ ପିଜି/ ଏମଏଲରୁ କମ୍‌ ରହିଥାଏ, ତେବେ ଡାକ୍ତର ଡାଏଟରେ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥାନ୍ତି।