ଭୁବନେଶ୍ୱର ୨୩/୦୫: ସୁସ୍ଥ ଜୀବନଯାପନ ପାଇଁ ନିଜ ବିଚାରଧାରକୁ ମଧ୍ୟ ସକାରାତ୍ମକ ରଖିବା ଜରୁରି । ସେଥିପାଇଁ ତ ପରିବାରର ବୟସ୍କ ଲୋକ କିମ୍ବା ମୋଟିଭେସନାଲ୍‌ ସ୍ପିକର୍‌ ନକାରାତ୍ମକ ଭାବନାଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି । ଭାବନା କେବଳ ମାନସିକ ନୁହେଁ ବରଂ ଶାରିରୀକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ । ସେହିପରି ନକାରାତ୍ମକ ବିଚାର କେବଳ ଆତ୍ମବିଶ୍ୱାସକୁ କମ୍‌ କରେନି ବରଂ ସ୍ୱାସ୍ଥ୍ୟକୁ ମଧ୍ୟ ବିଗାଡ଼ିଥାଏ । ଏପରିକି ଅନେକ ରୋଗ ମଧ୍ୟ ସୃଷ୍ଟି କରିଥାଏ । ଜର୍ଣ୍ଣାଲ୍‌ ଅଫ୍‌ ମେଡିସିନ୍‌ ଆଣ୍ଡ୍‌ ଲାଇଫ୍‌ରେ ପ୍ରକାଶିତ ସର୍ଭେ ଅନୁସାରେ ନକାରାତ୍ମକ ବିଚାର ଭିତରେ ବୁଡ଼ିରହିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ଦେଖିବାକୁ ମିଳିଥାଏ । ଏହି କାରଣରୁ ବ୍ୟକ୍ତି ଥାଇରଏଡ୍‌ ଏବଂ ଉଚ୍ଚ ରକ୍ତଚାପ ପରି ସମସ୍ୟାର ଶିକାର ହୋଇଥାଏ । 

ଥାଇରଏଡ୍‌ ସମସ୍ୟା :

ନକାରାତ୍ମକ ଭାବନା ଥାଇରଏଡ୍‌ ଗ୍ରନ୍ଥିର କାର୍ଯ୍ୟପ୍ରଣାଳୀକୁ ପ୍ରଭାବିତ କରିଥାଏ, ଯାହା ମେଟାବଲିଜିମ୍‌,ଏନର୍ଜିସ୍ତର ଓ ମୁଡ୍‌କୁ ନିୟନ୍ତ୍ରିତ କରିଥାଏ । ଜର୍ଣ୍ଣାଲ୍‌ ଅଫ୍‌ କ୍ଲିନିକାଲ୍‌ ଏଣ୍ଡୋକ୍ରୋନୋଲୋଜି ଆଣ୍ଡ୍‌ ମେଟାବଲିଜିମ୍‌ରେ ପ୍ରକାଶିତ ଗବେଷଣା ଅନୁସାରେ ଅଧିକ ସମୟ ଯାଏ ଚିନ୍ତା ଓ ନକାରାତ୍ମକ ଭାବନାରେ ରହିବା ଦ୍ୱାରା ଶରୀରରେ ଥାଇରଏଡ୍‌ ହର୍‌ମୋନ୍‌ର ସନ୍ତୁଳନ ବିଗିଡ଼ି ଯାଇଥାଏ । ଫଳରେ ହାଇପୋଥାଇରଏଡଜିମ୍‌ କିମ୍ବା ହାଇପର୍‌ଥାଇରଏଡଜିମ୍‌ ପରି ସମସ୍ୟା ସୃଷ୍ଟି ହୋଇଥାଏ । 

ତୀବ୍ର ହୃଦ୍‌ସ୍ପନ୍ଦନ୍‌ :

ଯଦି ବ୍ୟକ୍ତି ଲଗାତାର ନକାରାତ୍ମକ ଭାବନା ଭିତରେ ଘେରି ହୋଇ ରହେ । ତେବେ ଚିନ୍ତା ବଢିଥାଏ, ଯାହାଦ୍ୱାରା ହୃଦ୍‌ସ୍ପନ୍ଦନ ବଢିପାରେ । ଆମେରିକାନ୍‌ କଲେଜ୍‌ ଅଫ୍‌ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏକ ଗବେଷଣାରୁ ଜଣାପଡିଛି ଯେ କ୍ରନିକ୍‌ ଷ୍ଟ୍ରେସ୍‌ ଏବଂ ନକାରାତ୍ମକ ଭାବନା ହୃଦ୍‌ସ୍ପନ୍ଦନକୁ ବଢାଇବାରେ ସହଯୋଗ କରିଥାଏ । ଯାହା ସମୟକ୍ରମେ ହୃଦ୍‌ରୋଗଜନିତ ସମସ୍ୟାର ସ୍ଥିତିକୁ ବଢାଇଥାଏ ।